ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସ୍ଥିତ କନ୍ଧ ସଂସ୍କୃତି ଭବନ ଠାରେ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ନର୍ଲା ଆଦିବାସୀ ସଂଘ ପକ୍ଷରୁ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ସଂଘର ପତାକା ଉତୋଳନ କରାଯାଇଥିଲା। ଆଦିବାସୀ ସଂସ୍କୃତି ବିଶ୍ବର ପୁରାତନ ସଂସ୍କୃତି। ତେଣୁ ଏହାର ସଂରକ୍ଷଣ ସହ ପ୍ରଚାର ପ୍ରସାର ଦିଗରେ ଯୁବପିଢି ଆଗେଇ ଆସିବାକୁ ସଭାରେ ଆହ୍ବାନ ଦିଆଯାଇଛି।
ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ହରିଶଙ୍କର ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ନର୍ଲା ବ୍ଲକ ଆଦିସ୍କନ୍ଦ ସମାଜ ସଭାପତି ଝସକେତନ ମାଝୀ, ପୂର୍ବତନ ସଭାପତି ତଥା ନର୍ଲା ବ୍ଲକ ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ଦୁର୍ଯ୍ୟୋଧନ ମାଝୀ, ବୀରକିଶୋର ମାଝୀ, ସଂପାଦକ ମାୟାଧର ମାଝୀ, ଯୁବ ସଂଗଠକ ଗଜପତି ମାଝୀ, କନ୍ଧାନ କବି କ୍ଷିତୀଶ ଚନ୍ଦ୍ର ମାଝୀ, ବିଘ୍ନରାଜ ମାଝୀ, ଲଲିତ ମାଝୀ ପ୍ରମୁଖ ଉପସ୍ଥିତ ରହି ବିଶ୍ଵ ଆଦିବାସୀ ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ।
ଏସଟି, ଏସସି ଆରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ବର୍ଗିକରଣକୁ ଜୋରଦାର ବିରୋଧ କରି ଆସନ୍ତା ୨୧ ତାରିଖରେ ହେବାକୁ ଥିବା ଭାରତବନ୍ଦକୁ ସଫଳ କରିବାକୁ ଆଜିର ସଭାରେ ନିଷ୍ପତ୍ତି ନିଆଯାଇଛି। ସଭାରେ ନର୍ଲା ବ୍ଲକର ସମସ୍ତ ଗ୍ରାମପଞ୍ଚାୟତର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବାବେଳେ କୈଳାଶ ଚନ୍ଦ୍ର ମାଝୀ, ଡିଙ୍ଗର ମୁଣ୍ଡା, ଇନ୍ଦ୍ର ମାଝୀ, କିଶୋର ମାଝୀ ପ୍ରମୁଖ ସହଯୋଗ କରିଥିଲେ। ବୀରକମଳ ମୈଦାନର ସଂପାଦକ ଦେବରାଜ ମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ନର୍ଲା ପଞ୍ଚାୟତ କନ୍ଧ ସମାଜ ସଭାପତି କିଶୋର ମାଝୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।