ଓଡ଼ିଆ ବାର୍ତ୍ତା/ ନୟାଗଡ଼: ନୟାଗଡ଼ ଜିଲ୍ଲା ରାଜସୁନାଖଳା ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ “ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଓ ସ୍ବତନ୍ତ୍ର ଶିକ୍ଷକ” ଶୀର୍ଷକ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଓଏସ୍ଇଏଫଡ଼ି ସଂଘର ଯୁଗ୍ମ ସମ୍ପାଦକ ଆୟୁଷ୍ମାନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ, ସମ୍ମାନିତ ଅତିଥି ଭାବେ ସକ୍ଷମ ସଂଗଠନର ସମ୍ପାଦିକା ମନସ୍ମିତା ଜେନା, ମୁଖ୍ୟବକ୍ତା ଭାବେ ସକ୍ଷମ ସଂଗଠନର ଉପସଭାପତି ପ୍ରଫେସର ଡ଼ଃ ବିନୟ ଭୂଷଣ ମହାପାତ୍ର ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଓ ସ୍ବତନ୍ତ୍ର ଶିକ୍ଷକ ଶୀର୍ଷକ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏହାସହ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ସମସ୍ତ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ ଓ କ୍ରମାଗତ ଭାବେ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ସଂଖ୍ୟା କମିବା ପ୍ରସଙ୍ଗ ଆଦି ଆଲୋଚନା ହୋଇଥିଲା। ବାଚସ୍ପତି ଶ୍ରୀମତୀ ପାଢ଼ୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ସମ୍ପର୍କରେ ବିହିତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ସଂଘର ସଭାପତି ସୂର୍ଯ୍ୟକାନ୍ତ ବେହେରା ସ୍ବାଗତ ଭାଷଣ ରଖିଥିବାବେଳେ ସମ୍ପାଦକ ଜୀବନ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସଭାରେ ଅଭିଭାବକ ମାନେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟ କୋଷାଧ୍ୟକ୍ଷ ରୈପ୍ୟ ରଞ୍ଜନ ସାମନ୍ତରାୟ, ନୟାଗଡ଼ ଜିଲ୍ଲା ସଭାନେତ୍ରୀ ତୃପ୍ତିମୟୀ ପ୍ରଧାନ, ସମ୍ପାଦିକା ଶୁଭସ୍ମିତା ମିଶ୍ର, ଉପସଭାନେତ୍ରୀ ଆର୍ଷୀ ଉପାସନା କର, ଯୁଗ୍ମ ସମ୍ପାଦକ ଶିବପ୍ରସାଦ ମିଶ୍ରଙ୍କ ସମେତ ୫୦୦ ରୁ ଉର୍ଦ୍ଧ୍ବ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।