ଜୁଆଖେଳ ମାୟାରେ ବାୟା ରୁପ୍ରାରୋଡ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳୀ ରୁପ୍ରାରୋଡ କୈାଣସି ନା କୈାଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାର ପରିସରରେ ରହିଥାଏ। ବର୍ତ୍ତମାନ ଜୁଆଖେଳକୁ ନେଇ ନର୍ଲା ଥାନା ଅନ୍ତର୍ଗତ ରୁପ୍ରାରୋଡ ବସ୍ତି ବଦନାମ ହେବାକୁ ଯାଉଛି, ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ଓ ସଚେତନ ନାଗରିକ। ସୂଚନା ଅନୁସାରେ ଦୀର୍ଘ ଦିନ ହେଲା ରୁପ୍ରାରୋଡରେ ବେନିୟମ ଜୁଆଖେଳ ଚାଲିଛି। ଗୋଟିଏ ଦିନରେ ଲକ୍ଷାଧିକ ଟଙ୍କାର ବାଜି ପଡୁଛି। ଏଥିରେ ମାତିଛନ୍ତି କେତେକ ବ୍ୟବସାୟ, ସରକାରୀ ଚାକିରିଆ, ଅସାମାଜିକ ବ୍ୟକ୍ତି ତଥା ଯୁବପିଢି। ଜୁଆଖେଳ ପାଇଁ ଅନେକ ପରିବାର ବର୍ବାଦ ହେଉଛି। ସତେ ଯେପରି ଜୁଆଖେଳର ମାୟାରେ ବାୟା ହୋଇଛି ରୁପ୍ରାରୋଡ ବସ୍ତି। ରୁପ୍ରାରୋଡ, ନର୍ଲା, କର୍ଲାମୁଣ୍ଡା, ମ.ରାମପୁର, ଭବାନୀପାଟଣା ଆଦି ଅଞ୍ଚଳ ସମେତ ପଡୋଶୀ ଜିଲ୍ଲାରୁ ଜୁଆଡି ମାନେ ଆସି ଏଠାରେ ଆଡ୍ଡା ଜମାଉଛନ୍ତି। ଏହି ଖେଳ ସହ ସମାନ୍ତରାଳ ଭାବେ ବେନିୟମ ମଦ ଓ ନିଶା କାରବାର ଚାଲିଥିବାରୁ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ବଢ଼ି ଚାଲିଛି। କେତେକ ମୁଷ୍ଟିମେୟ ଲୋକମାନଙ୍କ ଛତ୍ରଛାୟା ତଳେ ରୁପ୍ରାରୋଡ ବସ୍ତି ଭିତରେ ଜୁଆ ଖେଳ ଚାଲିଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ଯାହାଫଳରେ ଅଞ୍ଚଳର ଶାନ୍ତି ଭଙ୍ଗ ହେଉଛି। ସବୁ ଜାଣି ପୋଲିସ ପ୍ରଶାସନ ଆଖିବାଜି ଦେଇଛି ନାଁ ଏବିଷୟରେ କିଛି ଜାଣି ନାହିଁ ଏହାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ରୁପ୍ରାରୋଡର ବେନିୟମ ଜୁଆଖେଳକୁ ତୁରନ୍ତ ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି ବସ୍ତି ବାସିନ୍ଦା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.