ଦାଦନ ଯାଇ ହାଇଦ୍ରାବାଦରେ ଯୁବକଙ୍କ ମୃତ୍ୟୁ

ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଲେ ନିରନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପେଟ ପାଇଁ ଦାଦନ ଖଟିବାକୁ ଯାଇ ଆଉ ଘରକୁ ଫେରିଲେ ନାହିଁ ଲାଞ୍ଜିଗଡ଼ ବ୍ଲକର ଯୁବକ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ସଦର ଥାନା ଅନ୍ତର୍ଗତ ଭଟାଙ୍ଗପଦର ଗ୍ରାମର ନିରନ ବିଭାର (୩୬)ଙ୍କ ହାଇଦ୍ରାବାଦରେ ଅକାଳ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ନିରନ ଗତ ୨ ମାସ ତଳେ ତାଙ୍କ ସମ୍ପର୍କୀୟଙ୍କ ସହିତ ହାଇଦ୍ରାବାଦ ରମନ୍ତାପୁର ଅଞ୍ଚଳର ଏକ ଇଟାଭାଟିରେ କାମ କରିବାକୁ ଯାଇଥିଲେ। ଗତ ଶନିବାର ଅପରାହ୍ନ ପ୍ରାୟ ୨ଟା ସମୟରେ କୌଣସି କାରଣରୁ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପୁଅର ମୃତ୍ୟୁ ଖବର ଶୁଣି ମା’, ସ୍ତ୍ରୀ ଓ ୩ ସନ୍ତାନ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ହାଇଦ୍ରାବାଦରୁ ଶବ ଆଣିବାକୁ ସମ୍ବଳ ନଥିବାରୁ ପରିବାର ଲୋକେ ଭଟାଙ୍ଗପଦର ସମିତି ସଭ୍ୟ ରୂପେନ୍ଦ୍ର ଛତ୍ରିଆଙ୍କୁ ଯୋଗାଯୋଗ କରିଥିଲେ। ତାଙ୍କ ହସ୍ତକ୍ଷେପ ପରେ ଇଟାଭାଟି ମାଲିକ ଶବ ପଠାଇବାକୁ ରାଜି ହୋଇଥିଲେ। ପରେ ମାଲିକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ନିରନଙ୍କ ମୃତ ଶରୀର ଗାଁରେ ପହଞ୍ଚିଥିଲା। ଆଜି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଗାଁ ମଶାଣିରେ ଶବ ସତ୍କାର କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.