‘ନର୍ଲା ବ୍ଲକରେ ଖେଳ କରୁଛନ୍ତି ଦୁଇ କନିଷ୍ଠ ଯନ୍ତ୍ରୀ’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବର୍ଷ ବର୍ଷ ଧରି ଅବହେଳିତ ହୋଇ ପଡ଼ି ରହିବା ପରେ ନର୍ଲା ଏବେ ବିକାଶ ଦିଗରେ ମୁହାଁଇଛି। ତେବେ ଏଠାରେ ଦୀର୍ଘ ବର୍ଷ ଧରି ଆସ୍ଥାନ ଜମାଇ ବସିଥିବା ଦୁଇ କନିଷ୍ଠ ଯନ୍ତ୍ରୀଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ୬ ମାସ ତଳେ ଏହି ଦୁଇ ଯନ୍ତ୍ରୀଙ୍କୁ ଅନତ୍ର ବଦଳି ହୋଇଥିଲା କିନ୍ତୁ ସେମାନେ ଧରା ଧରି କରି ନର୍ଲାରେ ପୁଣି ଡେରା ମାରି ବସିିଛନ୍ତି। କାମ କରିବା ପାଇଁ ସରକାର ସମସ୍ତ ସରକାରୀ କର୍ମଚାରୀଙ୍କୁ ମୋଟା ଅଙ୍କର ଦରମା ଦେଉଛନ୍ତି। କିନ୍ତୁ ଏହି ଦୁଇ କନିଷ୍ଠ ଯନ୍ତ୍ରୀଙ୍କ ସହ ଆଉ କେତେକ ଯନ୍ତ୍ରୀ ମଧ୍ୟ ଠିକାଦାର ମାନଙ୍କ ଠାରୁ ମୋଟା ଅଙ୍କର ପିସି ଆଦାୟ କରୁଥିବା ଜଣାପଡିଛି। ଠିକାଦାରମାନେ ଅତ୍ୟଧିକ ପିସି ଦେଉଥିବାରୁ କାମ ଗୁଡିକର ସ୍ଥାୟୀତ୍ବ ପ୍ରତି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ବିନା ସୂଚନା ଫଳକରେ ଅନେକ କାର୍ଯ୍ୟ ଆରମ୍ଭ ହେଉଛି। ଅନେକ ସ୍ଥାନରେ ନିମ୍ନମାନର କାମ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ୍। ଅନ୍ୟପକ୍ଷରେ ସେକ୍ସନ ଅଫିସର ମଧ୍ୟ ଏମାନଙ୍କ କାନ୍ଧରେ ହାତ ପକାଇ ଚାଲୁଥିବା ଆଲୋଚନା ହେଉଛି। ଯେଉଁ ଠିକାଦାର ଟଙ୍କା ଦେବାକୁ ଅମଙ୍ଗ ହେଉଛନ୍ତି ତାଙ୍କ ବିଲ୍ କରିବାର ନାଁ ଧରୁ ନାହାନ୍ତି ଏହି ଗୋଷ୍ଠୀ। ଏମାନଙ୍କ ପ୍ରତି ସତେ ଅବା କାହାର ଅଙ୍କୁଶ ନାହିଁ। ତେଣୁ ‘ଏହି ଦୁଇ କନିଷ୍ଠ ଯନ୍ତ୍ରୀ ନର୍ଲା ବ୍ଲକରେ ଖେଳ କରୁଛନ୍ତି’ ବୋଲି ଲୋକେ କଟାକ୍ଷ କରୁଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ନର୍ଲା ବ୍ଲକ ଅଞ୍ଚଳରେ ଗତ ମାସରେ କାମ ହୋଇଥିବା ୪୦ ଗୋଟି କାମର ବିଲ୍ ହୋଇନାହିଁ। ରଥଯାତ୍ରା ପୂର୍ବରୁ ଆଜି ବିଲ୍ ହେବ, କାଲି ବିଲ୍ ହେବ କହି ଛୋଟ ଛୋଟ ଠିକାଦାର ମାନଙ୍କୁ ଶୋଷଣ କରିବାରେ ଲାଗିଛନ୍ତି ଏମାନେ। ପାଖାପାଖି ମାସଟେ ହୋଇଗଲାଣି ତଥାପି ବିଲ ହୋଇ ପାରୁନି। ସେମାନେ ଟଙ୍କା ଲଗାଇ କିଛି ନିଜ ଲୋକଙ୍କୁ କାମ ଦେଇ ସେହି କାମ ଗୁଡିକର ବିଲ୍ ଫଟାଫଟ୍ କରୁଥିବା ଠିକାଦାର ମହଲରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି। ଏଠାରେ ପ୍ରଶ୍ନ ଉଠୁଛି; ଦୀର୍ଘ ବଷ ଧରି ନର୍ଲାରେ ରହିବା ପରେ, ଜଣକୁ ବରଗଡ ଓ ଆଉ ଜଣକୁ ନବରଙ୍ଗପୁର ବଦଳି ହେବା ପରେ କାହିଁକି ନର୍ଲାକୁ ଜାବୁଡି ଧରିଛନ୍ତି ଏହି ଦୁଇ କନିଷ୍ଠ ଯନ୍ତ୍ରୀ? କିଏ ପ୍ରଶ୍ରୟ ଦେଉଛି ଏମାନଙ୍କୁ? ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ବୋଲି ବୁଦ୍ଧିଜୀବି ମହଲରୁ ମତ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.