ଶାନ୍ତିକାନନରେ ପାଳିତ ହେଲା ପ୍ରଖ୍ୟାତ ଚିତ୍ରଶିଳ୍ପୀ କଲ୍ଲୋଳ କୁମାର ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା

କଳା ଓ ସାଂସ୍କୃତିକ ଜଗତରେ ଅପୂରଣୀୟ କ୍ଷତି, କହିଲେ ଅତିଥି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସେନାପତିଙ୍କ ସ୍ମୃତିପୀଠ ଶାନ୍ତିକାନନ ପରିସରରେ ଗତକାଲି ସନ୍ଧ୍ୟାରେ ଦିବଙ୍ଗତ ଚିତ୍ରଶିଳ୍ପୀ, କଳାଶିକ୍ଷକ ତଥା ସାଂସ୍କୃତିକ କର୍ମୀ କଲ୍ଲୋଳ କୁମାର ଦାସଙ୍କ ସ୍ମୃତିରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଚିତ୍ରଶିଳ୍ପୀ ଅରୁଣ କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାର ଆରମ୍ଭରେ ସ୍ୱର୍ଗତ କଲ୍ଲୋଳ କୁମାର ଦାସଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରାଯିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନାରେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା।ଗୋପାଳପୁର (ବାଲେଶ୍ୱର) ନିବାସୀ ମନୋରଞ୍ଜନ ଦାସଙ୍କ ଜ୍ୟେଷ୍ଠ ପୁତ୍ର କଲ୍ଲୋଳ କୁମାର ଦାସ ଗତ ବାହୁଡ଼ାଯାତ୍ରା ଦିବସ ସନ୍ଧ୍ୟାରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ଦୀର୍ଘଦିନ ଧରି ଚିକିତ୍ସାଧୀନ ରହିବା ପରେ ଗତ ୩୦ ଜୁଲାଇ ରାତି ପ୍ରାୟ ୧୦.୩୦ ସମୟରେ ୫୫ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା।ଶୋକସଭାରେ ବକ୍ତାମାନେ ସ୍ୱର୍ଗତ କଲ୍ଲୋଳ ଦାସଙ୍କ କର୍ମମୟ ଜୀବନ ଓ ବହୁମୁଖୀ ପ୍ରତିଭାକୁ ସ୍ମରଣ କରି କହିଥିଲେ ଯେ ସେ କେବଳ ଜଣେ ସଫଳ ଚିତ୍ରଶିଳ୍ପୀ ନୁହେଁ, ବରଂ ଜଣେ ସୁମଧୁର କଣ୍ଠଶିଳ୍ପୀ, ସକ୍ରିୟ ସାଂସ୍କୃତିକ କର୍ମୀ ଏବଂ ଦକ୍ଷ ଶିଳ୍ପୀ ସଂଗଠକ ଭାବେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ଅକାଳ ବିୟୋଗ କଳା ଓ ସାଂସ୍କୃତିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଚିତ୍ରଶିଳ୍ପୀ ପ୍ରତାପ ସିଂହ, ବିଶ୍ୱଜିତ ପରମାଣିକ, ନିତ୍ୟାନନ୍ଦ ସାହୁ, ମରୁତ ରାଉତ, ଅନ୍ତର୍ଯ୍ୟାମୀ ସାହୁ, ଅରୁଣ ବାରିକ ଓ ସମାଜସେବୀ ଅରବିନ୍ଦ ବାବୁ ପ୍ରମୁଖ ସ୍ମୃତିଚାରଣ କରି କହିଥିଲେ ଯେ କଲ୍ଲୋଳ ଦାସ ଜଣେ ଅମାୟିକ, ମିଷ୍ଟଭାଷୀ, ପରୋପକାରୀ ଏବଂ ଅତ୍ୟନ୍ତ ମଧୁର ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ତାଙ୍କ ସହୃଦୟତା ଓ ମଣିଷପଣିଆ ପାଇଁ ସେ ସମସ୍ତଙ୍କ ନିକଟରେ ପ୍ରିୟ ଥିଲେ। ଶେଷରେ ଉପସ୍ଥିତ ସମସ୍ତେ ସ୍ୱର୍ଗତ କଲ୍ଲୋଳ କୁମାର ଦାସଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଥିଲେ। ଏଥିସହିତ ଏହି ଅପୂରଣୀୟ ଦୁଃଖ ସହିବା ପାଇଁ ପରିବାରବର୍ଗଙ୍କୁ ଭଗବାନ ଶକ୍ତି ଓ ସାହସ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.