୮୦ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପାଇଁ ବାଲେଶ୍ୱରରେ ଅନୁଷ୍ଠିତ ହେଲା ପ୍ରସ୍ତୁତି ବୈଠକ

ପ୍ୟାରେଡ୍, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମ୍ମାନ ପ୍ରଦାନ ସହ ଫୁଟବଲ ମ୍ୟାଚ୍ ଆୟୋଜନ ପାଇଁ ନିଷ୍ପତ୍ତି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆସନ୍ତା ଅଗଷ୍ଟ ୧୫ ତାରିଖରେ ଜିଲ୍ଲା ସ୍ତରରେ ପାଳନ ହେବାକୁ ଥିବା ୮୦ତମ ସ୍ୱାଧୀନତା ଦିବସକୁ ସୁଚାରୁ, ସୁରକ୍ଷିତ, ଶୃଙ୍ଖଳିତ ଓ ଗରିମାମୟ ଭାବେ ଆୟୋଜନ କରିବା ଲକ୍ଷ୍ୟରେ ସୋମବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାଧୀନତା ଦିବସର ଐତିହାସିକ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ସମସ୍ତ ବିଭାଗ ମଧ୍ୟରେ ସୁଦୃଢ଼ ସମନ୍ୱୟ ରଖି କାର୍ଯ୍ୟ ସମ୍ପାଦନ କରିବାକୁ ସେ ଆହ୍ୱାନ ଜଣାଇଥିଲେ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ହେମନ୍ତ କୁମାର ସିଂହ, ଉପଜିଲ୍ଲାପାଳ ଶିବ ମାଲବ୍ୟ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରମୋଦ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରବୋଧ କୁମାର ମଲ୍ଲିକ ଉତ୍ସବ ସମ୍ପର୍କିତ ବିସ୍ତୃତ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ।

ବୈଠକରେ ପତାକା ଉତ୍ତୋଳନ, ପୋଲିସ ପ୍ୟାରେଡ୍, ସମ୍ମାନ ରକ୍ଷୀଙ୍କ ଅଭିବାଦନ, ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବା ଓ ଅନ୍ୟାନ୍ୟ ଆନୁଷ୍ଠାନିକ କାର୍ଯ୍ୟକ୍ରମର ସଫଳ ଆୟୋଜନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ଚଳିତ ବର୍ଷ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ପରିବର୍ତ୍ତେ ଏକ ଫୁଟବଲ ମ୍ୟାଚ୍ ଆୟୋଜନ କରାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସ୍ୱାଧୀନତା ଦିବସ ଦିନ ପ୍ରତ୍ୟୁଷ ୪ଟାରେ ରାମଧୂନ ପରିବେଷଣ କରାଯିବା ସହ ସକାଳ ୯ଟା ୧୫ ମିନିଟରେ ପୋଲିସ ପ୍ୟାରେଡ୍ ପଡ଼ିଆରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବ।

ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ, ସାମାଜିକ କର୍ମୀ, ଜନପ୍ରତିନିଧି ଏବଂ ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ନିଜ ମତାମତ ରଖିଥିଲେ। ଶେଷରେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ ଧନ୍ୟବାଦ ଜ୍ଞାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.