ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ବାଲେଶ୍ଵରରେ ପାଳିତ ହେଲା ବିଶ୍ୱ ସ୍ତନ୍ୟପାନ ସପ୍ତାହ

ନବଜାତ ଶିଶୁର ସୁସ୍ଥ ବିକାଶ ପାଇଁ ସ୍ତନ୍ୟପାନର ଗୁରୁତ୍ୱ ଉପରେ ସଚେତନତା ସଭା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ବାଲେଶ୍ୱର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲା ତାଲିମ କେନ୍ଦ୍ର ସଭାକକ୍ଷରେ ଏକ ସଚେତନତା ସଭା ଆୟୋଜିତ ହୋଇଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ଥିଲା, “ଜୀବନର ଚିରନ୍ତନ ବିକାଶର ଅୟମାରମ୍ଭ ପାଇଁ ସ୍ତନ୍ୟପାନ: ଏହି ଉପାଦେୟ ପଦକ୍ଷେପକୁ ସଶକ୍ତ କରିବା।” ଆୟୋଜିତ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦିଲ୍ଲୀପ କୁମାର ଜେନା ସଭାପତିତ୍ୱ କରିଥିଲେ। ସେ ଜିଲ୍ଲା ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଅଧ୍ୟୟନରତ ଛାତ୍ରୀମାନଙ୍କୁ ସ୍ତନ୍ୟପାନ ସପ୍ତାହ ପାଳନର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ। ଜନ୍ମର ଏକ ଘଣ୍ଟା ମଧ୍ୟରେ ନବଜାତ ଶିଶୁକୁ ସ୍ତନ୍ୟପାନ କରାଇବା ଅତ୍ୟନ୍ତ ଜରୁରୀ ବୋଲି ସେ କହିଥିଲେ। ଏହା ଶିଶୁର ସୁସ୍ଥ ବିକାଶର ମୂଳଦୁଆ ସ୍ଥାପନ କରିଥାଏ ଏବଂ ଏଥିପାଇଁ ପରିବାର ସଦସ୍ୟଙ୍କ ସହଯୋଗ ଓ ସଚେତନତା ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ମିନାକ୍ଷୀ ରାୟ କହିଥିଲେ ଯେ, ମା’ର କ୍ଷୀର କେବଳ ଶିଶୁ ପାଇଁ ନୁହେଁ, ବରଂ ପରିବାର, ସମାଜ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। ଜନ୍ମ ପରେ ପ୍ରଥମ ଛଅ ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ମା’ର କ୍ଷୀର ଦେବା ଏବଂ ପରବର୍ତ୍ତୀ ଦୁଇ ବର୍ଷ ପର୍ଯ୍ୟନ୍ତ ସ୍ତନ୍ୟପାନ ଜାରି ରଖିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ।

ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର ନିୟୋଜନ ଓ ଟୀକାକରଣ) ଡାକ୍ତର ପରେଶ ଚନ୍ଦ୍ର ନନ୍ଦୀ କହିଥିଲେ ଯେ, ସ୍ତନ୍ୟପାନର ହାର ବୃଦ୍ଧି ପାଇଁ ପରିବାରର ସମସ୍ତ ସଦସ୍ୟଙ୍କୁ ସଚେତନ କରିବା ଜରୁରୀ। ଏହି ଅବସରରେ ଡାକ୍ତର ଅମୂଲ୍ୟ କୁମାର ଦାସ, ଡାକ୍ତର ସଞ୍ଜୀବ କୁମାର ପ୍ରଧାନ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ (ଡିପିଏମ୍) ଚକ୍ରଧର ଜେନା ଏବଂ ଜିଲ୍ଲା ମହିଳା ସ୍ୱାସ୍ଥ୍ୟ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ମଧ୍ୟ ସ୍ତନ୍ୟପାନର ଉପକାରିତା ଓ ସଚେତନତାର ଆବଶ୍ୟକତା ଉପରେ ମତ ରଖିଥିଲେ। ପରେ ତାଲିମରତ ଛାତ୍ରୀମାନେ ସ୍ତନ୍ୟପାନକୁ ନେଇ ସମାଜରେ ପ୍ରଚଳିତ କେତେକ କୁପ୍ରଥା ଏବଂ ସେଗୁଡ଼ିକର ନିରାକରଣ ସମ୍ପର୍କିତ ଏକ ସଚେତନତାଧର୍ମୀ ନାଟକ ପରିବେଷଣ କରିଥିଲେ, ଯାହା ଉପସ୍ଥିତ ସମସ୍ତଙ୍କ ପ୍ରଶଂସା ସାଉଁଟିଥିଲା। ସହକାରୀ ଜିଲ୍ଲା ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ସାହୁ ସଭା ପରିଚାଳନା କରିଥିବା ବେଳେ, ଶେଷରେ ଡିଏମ୍‌ଆର୍‌ସିଏଚ୍‌ ଜିତେନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, କର୍ମଚାରୀ ଏବଂ ତାଲିମରତ ଛାତ୍ରୀମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.