ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଆର ଉଦୟଗିରି ପୋଲିସ ପକ୍ଷରୁ ୨୫୧ କେଜି ଗଞ୍ଜେଇ ଜବତ, ୨ ଗିରଫ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଜଙ୍ଗଲ ମଧ୍ୟରେ ବ୍ୟାପକ ଗଞ୍ଜେଇ ମହଜୁଦ୍ ରଖି ବ୍ୟବସାୟ ଉଦ୍ଦେଶ୍ୟରେ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଘଟଣା ସ୍ଥଳରେ ପୋଲିସ ଅଚାନକ ଚଢାଉ କରି ଦୁଇ କ୍ୟୁଣ୍ଟାଲ ୫୧ କେଜି ଗଞ୍ଜେଇ ଧରିବାରେ ସକ୍ଷମ ହୋଇଛି । ପୋଲିସ ସୂତ୍ରରୁ ଏକ ପ୍ରେସ ବିବୃତ୍ତି ରୁ ଜଣାପଡ଼ିଛି ଯେ, ଗଜପତି ଜିଲ୍ଲା ଆର:ଉଦୟଗିରି ଥାନାର ଏସ:ଆଇ ଶ୍ରୀ ଲକ୍ଷ୍ମଣ ବେଶ୍ରା ଗତକାଲି ୦୪ ତାରିଖ ସକାଳ ସମୟରେ ସମ୍ପୃକ୍ତ ଥାନାର କର୍ମଚାରୀଙ୍କ ସହିତ ଥାନା ଗାଡ଼ିରେ ଆର: ଉଦୟଗିରି ଥାନା ଅନ୍ତର୍ଗତ ସମ୍ବଲପୁର, କିରାମା, ନିଧିଗୁଡି ଏବଂ ତବରସାହି ଗ୍ରାମ ଅଞ୍ଚଳରେ ଡେ-ପାଟ୍ରୋଲିଂ ଏବଂ ଏକ୍ସାଇଜ୍ / ୱାରେଣ୍ଟ ଚଢାଉ ଡ୍ୟୁଟି କରୁଥିଲେ। ସେହି ସମୟରେ ସେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଲେ ଯେ, ତବରସାହିର କିଛି ଗ୍ରାମବାସୀ ଗୁପ୍ତ ଭାବରେ ନିଶାଦ୍ରବ୍ୟ ଗଞ୍ଜେଇ ବ୍ୟବସାୟ କରୁଛନ୍ତି ଏବଂ କିରାମା ପଞ୍ଚାୟତ ଅନ୍ତର୍ଗତ ତବରସାହି ଗ୍ରାମ ପଛ ପାର୍ଶ୍ୱରେ ଥିବା ଜଙ୍ଗଲରେ ବିପୁଳ ପରିମାଣରେ ଗଞ୍ଜେଇ ମହଜୁଦ ରଖିଛନ୍ତି। ଏଭଳି ସୂଚନା ପାଇବା ସଙ୍ଗେ ସଙ୍ଗେ ସେ ତୁରନ୍ତ ଥାନା କର୍ମଚାରୀଙ୍କ ସହିତ ତବରାସାହି ଗ୍ରାମ ନିକଟସ୍ଥ ପଛ ପାର୍ଶ୍ୱ ଜଙ୍ଗଲକୁ ଖୋଜା ଖୋଜି ତଥା ଚଢାଉ ପାଇଁ ଘଟଣାସ୍ଥଳକୁ ଯାଇଥିଲେ ଏବଂ ସେଠାରେ ସେ ଦେଖିବା ସହ ଜାଣିବାକୁ ପାଇଥିଲେ ଯେ ଘଟଣା ସ୍ଥଳରେ ଦୁଇଜଣ ବ୍ୟକ୍ତି ବଡ ବଡ଼ ଜରି ବସ୍ତାରେ ଗଞ୍ଜେଇ ସବୁ ପ୍ୟାକିଂ କରୁଥିଲେ। ଘଟଣା ସ୍ଥଳରେ ପୋଲିସ ଦଳ ଆସିବା ଦେଖି ଉଭୟେ ଗଞ୍ଜେଇ ବ୍ୟାଗ ଗୁଡ଼ିକ ଘଟଣା ସ୍ଥଳରେ ଛାଡି ଜଙ୍ଗଲ ଆଡ଼କୁ ପ୍ରାଣମୂର୍ଚ୍ଛା ହୋଇ ଦୌଡ଼ି ପଳାଇଥିଲେ। ଏହା ଦେଖି ସେ ଏବଂ ତାଙ୍କ ସହିତ ଥିବା କର୍ମଚାରୀ ମାନେ ସେମାନଙ୍କୁ ପିଛା କରିଥିଲେ ଏବଂ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଏଥିରେ ଧାରା ପଡ଼ିଥିବା ସେମାନଙ୍କର ପରିଚୟ ଜଣାପଡ଼ିଛି ଯେ ଅଭିନାଥ ରାଇକା (୪୪), ପୁଅ ଉଲାସା ରାଇକା ଏବଂ ଜାଖ୍ୟା ଗମାଙ୍ଗ (୫୫), ପୁଅ ସ୍ୱର୍ଗତ ଲୁକା ଗମାଙ୍ଗ ଏବଂ ଉଭୟେ ଗଜପତି ଜିଲ୍ଲା ଆର. ଉଦୟଗିରି, ଥାନା ଅନ୍ତର୍ଗତ ତାବରାସାହି ଗ୍ରାମର ବୋଲି । ଅଭିଯୁକ୍ତ ମାନଙ୍କ ଠାରୁ ଘଟଣା ସ୍ଥଳରେ ପୋଲିସ ପକ୍ଷରୁ ୮ ଗୋଟି ବଡ଼ ଜରି ବସ୍ତାରେ ଭର୍ତ୍ତି ଥିବା ମୋଟ ୨୫୧-କେଜି ଅର୍ଥାତ୍ ୨ କ୍ୱିଣ୍ଟାଲ ୫୧ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରା ଯାଇଥିଲା । ଏହି ମାମଲାରେ ଆର ଉଦୟଗିରି ଥାନା କେସ ନଂ ୧୪୩/୨୦୨୬ ତା:-୪/୮/୨୦୨୬ ୟୁ/ଏସ ୨୦(ବି)(ii)(ସି) ଏନଡିପିଏସ ଆକ୍ଟ ୧୯୮୫ ପ୍ରକାରେ ଉଭୟ ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟକୁ ପଠାଇ ଦିଆ ଯାଇଥିବା ପୋଲିସ ପକ୍ଷରୁ ଜଣାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.