ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ବର ଜିଲାର ସଦର ବ୍ଲକ ସମେତ ସୋର, ସିମୁଳିଆ, ରେମୁଣା ଓ ବସ୍ତା ଆଦି ବ୍ଲକର ବିଭିନ୍ନ ପଞ୍ଚାୟତରେ ‘ସମାଜ’ ପକ୍ଷରୁ ତିନି ଦିନ ଧରି ରିଲିଫ ବଣ୍ଟନ କରାଯାଇଛି। ବାଲେଶ୍ବର ସହର ଉପକଣ୍ଠ ଓ ସଦର ବ୍ଲକ ବଇଁଚା ପଞ୍ଚାୟତରେ ରିଲିଫ ବଣ୍ଟନ କରାଯିବା ସହ ଗତକାଲି ସୋର ବ୍ଲକ କାଂଶବାଂଶ ଓ ପିତାକାଳିଆ ନଦୀର ବନ୍ୟାରେ ପ୍ରଭାବିତ ତଳନଗର ଓ କେଦାରପୁର ଅଞ୍ଚଳର ଅସହାୟ ପରିବାରଙ୍କ ସହାୟତା ପାଇଁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି।
ବନ୍ୟା ଯୋଗୁଁ ଘରଦ୍ୱାର, ଚାଷଜମି ଓ ଜୀବନଜୀବିକା କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କ ନିକଟରେ ପହଞ୍ଚି ‘ସମାଜ’ର ବାଲେଶ୍ୱର ଦଳ ମାନବିକତାର ପରିଚୟ ଦେଇ ସହାୟତାର ହାତ ବଢ଼ାଇଥିଲ। ସଲାମପୁରରେ ସୋର ବିଧାୟକ ମାଧବ ଧଡ଼ା ପହଞ୍ଚି ‘ସମାଜ’ର ଏହି ମହତ କାର୍ଯ୍ୟର ପ୍ରଶଂସା କରିବା ସହିତ ଲୋକଙ୍କୁ ସମାଜ ଅନୁଷ୍ଠାନ ସମ୍ପର୍କରେ ଅବଗତ କରାଇଥିଲେ।
ଏହି ଅବସରରେ ମୋଟ ୨୩୦ଟି ରିଲିଫ ପ୍ୟାକେଟ ବଣ୍ଟନ କରାଯାଇଥିଲା। ପ୍ରତ୍ୟେକ ପ୍ୟାକେଟରେ ଚୁଡ଼ା, ଚିନି, ଅମୂଲ ଦୁଗ୍ଧ ପାଉଡର, ବିସ୍କୁଟ, ମହମବତୀ ଓ ଦିଆସିଲି ଭଳି ଆବଶ୍ୟକୀୟ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ରଖା ଯାଇଥିଲା। ତଳନଗର ପଞ୍ଚାୟତର ପାଟଣା ସାହିର ୫୫, ସାଲମପୁରର ୭୪, ଅଙ୍କୁରଖାର୍ଜୀର ୪୧, କେଦାରପୁର ପଞ୍ଚାୟତର ଘାସୁଆର ୪୭, ପାଟଣାର ୬ ଓ ଥାନେଶ୍ୱରର ୭ ପରିବାରଙ୍କୁ ଏହି ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଥିଲା।
ବନ୍ୟା ବିପର୍ଯ୍ୟୟ ସମୟରେ ଏଭଳି ସହାୟତା ପାଇ ଉପକୃତ ପରିବାରମାନେ ‘ସମାଜ’ ଅନୁଷ୍ଠାନ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ସୋରର ସାମ୍ବାଦିକ ରାଜାରାମ ଦାସ ରିଲିଫ ସାମଗ୍ରୀ ପ୍ରଦାନରେ ସହଯୋଗ କରିଥିଲେ। ବନ୍ୟା ବିପର୍ଯ୍ୟୟ ସମୟରେ ସମାଜର ଏହି ମାନବିକ ପଦକ୍ଷେପ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ସାଉଁଟିଛି। ବିଭିନ୍ନ ଗ୍ରାମର ଲୋକମାନେ ‘ସମାଜ’ ଅନୁଷ୍ଠାନ ଓ ବାଲେଶ୍ୱର ଟିମ୍କୁ ଧନ୍ୟବାଦ ଜଣାଇବା ସହ ବିପଦ ସମୟରେ ଏଭଳି ସାମାଜିକ ଦାୟିତ୍ୱବୋଧ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ବୋଲି ମତ ପ୍ରକାଶ କରିଛନ୍ତି।
ସେହିପରି ସିମୁଳିଆ ବ୍ଲକ କ୍ଷୀରକୋଣା ପଞ୍ଚାୟତର ବାଙ୍କପାଟଣା ଓ ଚାଲୁଣୀ ଗାଁ ପଞ୍ଚାୟତର ବାଇଂଶୀବାଟି ଗ୍ରାମରେ ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ କରାଯାଇଛି। କ୍ଷୀରକୋଣା ପଞ୍ଚାୟତର ବାଙ୍କପାଟଣା ଗାଁରେ ୬୫, ଚାଲୁଣୀ ଗାଁ ପଞ୍ଚାୟତର ବାଇଂଶୀବାଟିରେ ୧୧୯ ଜଣଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।
‘ସମାଜ’ ବାଲେଶ୍ବର କାର୍ଯ୍ୟାଳୟ କର୍ମକର୍ତ୍ତାଙ୍କ ସହ ସମାଜସେବୀ ସୁରେଶ ଚନ୍ଦ୍ର ବେହେରା ଓ ରଞ୍ଜନ କୁମାର ରାଉତଙ୍କ ସହଯୋଗରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ସିମୁଳିଆ ‘ସମାଜ’ ପ୍ରତିନିଧି ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ସୋର ପ୍ରତିନିଧି ରାଜାରାମ ଦାସ, ଖଇରା ‘ସମାଜ’ ପ୍ରତିନିଧି କୈଳାସ ଚନ୍ଦ୍ର ବେହେରା, ସକ୍ରିୟ ସହଯୋଗ କରିଥିଲେ।
ସେହିଭଳି ରେମୁଣା ବ୍ଲକର ବନ୍ୟା ପ୍ରଭାବିତ ଲୋକଙ୍କୁ ‘ସମାଜ’ ପକ୍ଷରୁ ରିଲିଫ ପ୍ରଦାନ କରାଯାଇଛି। ଖରିଦମୁଖୁରା ପଞ୍ଚାୟତର ବଡ଼ୁଆ, ବାସୁଖୁଣ୍ଟାର ୩୦ ପରିବାର ଓ ନୂଆଗାଁ ପଞ୍ଚାୟତ ଦିଖାପଦାରେ ୪୦ ପରିବାରକୁ ଏହି ସବୁ ସାମଗ୍ରୀ ବଣ୍ଟନ କରାଯାଇଥିଲା। ବଡ଼ୁଆରେ ୱାର୍ଡ ସଭ୍ୟା ମାଳତୀ ମହାଳିକ, ରତିକାନ୍ତ ମଳିକ, ପ୍ରଫୁଲ ପ୍ରଧାନ, କରୁଣାକର ମଳିକ ଓ ଦିଖାପଦାରେ ନେତ୍ରୀ ଶାକମ୍ବରୀ ସିଂଙ୍କ ସହଯୋଗରେ ପୀଡ଼ିତ ଲୋକଙ୍କୁ ରିଲିଫ ପ୍ରଦାନ କରାଯାଇଥିଲା।
‘ସମାଜ’ର ଶାଖା ପରିଚାଳକ ସତ୍ୟବ୍ରତ ଜେନା, ସହାୟକ ରାମଚନ୍ଦ୍ର ପଟ୍ଟନାୟକ, ଦେବବ୍ରତ ମଲିକ, ରେମୁଣା ପ୍ରତିନିଧି ସୁରେଶ ଦାସ, ବିତରକ ବ୍ରହ୍ମାନନ୍ଦ ବିନ୍ଧାଣୀ ରିଲିଫ ବଣ୍ଟନ କରିଥିଲେ। ଅନୁରୂପ ଭାବେ ରବିବାର ବସ୍ତା ବ୍ଲକର ଇଡ଼ଦା ଓ ସଦର ବ୍ଲକର ଛାନୁଆ, ପରିଖି ଆଦି ଅଞ୍ଚଳରେ ରିଲିଫ ବଣ୍ଟନ କରାଯାଇଛି।





