ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ରେଳ ସୁରକ୍ଷା କ୍ଷେତ୍ରରେ ଅସାଧାରଣ ସତର୍କତା ଓ ଉଲ୍ଲେଖନୀୟ ଅବଦାନ ପାଇଁ ବାଲେଶ୍ୱରର ବରିଷ୍ଠ ସେକ୍ସନ ଇଞ୍ଜିନିୟର (କ୍ୟାରେଜ୍ ଓ ୱାଗନ୍) ଶ୍ରୀ ବି. ତାଜେଶ୍ୱର ରାଓଙ୍କୁ ମଙ୍ଗଳବାର ଖଡ଼ଗପୁରରେ ମଣ୍ଡଳ ରେଳ ପ୍ରବନ୍ଧକ (ଡିଆରଏମ୍) ଶ୍ରୀ ଲଲିତ ମୋହନ ପାଣ୍ଡେ ନଗଦ ଅର୍ଥ ରାଶି ଓ ପ୍ରଶଂସାପତ୍ର ପ୍ରଦାନ କରି ସମ୍ମାନିତ କରିଛନ୍ତି। କର୍ତ୍ତବ୍ୟ ପାଳନ ସମୟରେ ତାଙ୍କର ସତର୍କତା, ବୈଷୟିକ ଦକ୍ଷତା ଓ ତ୍ୱରିତ ପଦକ୍ଷେପ ପାଇଁ ଶ୍ରୀ ରାଓ ଏହି ସମ୍ମାନ ପାଇଛନ୍ତି। ଖନ୍ତାପଡ଼ା ରେଳ ଷ୍ଟେସନରେ ଯାଞ୍ଚ କାର୍ଯ୍ୟ ସମୟରେ ସେ ଏକ ମାଲବାହୀ ଟ୍ରେନର ୱାଗନରେ ଭଙ୍ଗା କପ୍ଲର୍ ବଡି ଚିହ୍ନଟ କରିଥିଲେ। ସମ୍ଭାବ୍ୟ ବିପଦକୁ ଅନୁଭବ କରି ସେ ତୁରନ୍ତ ହସ୍ତକ୍ଷେପ କରି ତ୍ରୁଟିପୂର୍ଣ୍ଣ ୱାଗନକୁ ଟ୍ରେନରୁ ଅଲଗା କରାଇଥିଲେ। ଫଳରେ ଏକ ସମ୍ଭାବ୍ୟ ରେଳ ଦୁର୍ଘଟଣା ଏଡ଼ାଯିବା ସହ ଟ୍ରେନ ଚଳାଚଳ ସୁରକ୍ଷିତ ରହିଥିଲା। ଏହି ଅବସରରେ ଡିଆରଏମ୍ ଶ୍ରୀ ଲଲିତ ମୋହନ ପାଣ୍ଡେ ଶ୍ରୀ ରାଓଙ୍କର କର୍ତ୍ତବ୍ୟନିଷ୍ଠା, ବୈଷୟିକ ପାରଦର୍ଶିତା ଓ ରେଳ ସୁରକ୍ଷା ପ୍ରତି ତାଙ୍କର ଦୃଢ଼ ଅଙ୍ଗୀକାରର ଭୂୟସୀ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏଭଳି ସତର୍କତା ଓ ନିଷ୍ଠା ଖଡ଼ଗପୁର ମଣ୍ଡଳର ସୁଦୃଢ଼ ସୁରକ୍ଷା ସଂସ୍କୃତିର ପରିଚୟ ଏବଂ ଅନ୍ୟ ରେଳ କର୍ମଚାରୀଙ୍କ ପାଇଁ ପ୍ରେରଣାଦାୟୀ। ଦକ୍ଷିଣ ପୂର୍ବ ରେଳବାଇର ଖଡ଼ଗପୁର ମଣ୍ଡଳ ସର୍ବଦା ପରିଚାଳନାଗତ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଆସୁଛି। ଅସାଧାରଣ ସତର୍କତା, ବୈଷୟିକ ଉତ୍କର୍ଷତା ଓ କର୍ତ୍ତବ୍ୟପରାୟଣତା ପ୍ରଦର୍ଶନ କରୁଥିବା କର୍ମଚାରୀମାନଙ୍କୁ ନିୟମିତ ଭାବେ ସମ୍ମାନିତ କରାଯାଉଛି। ରେଳ ଅଧିକାରୀମାନେ କହିଛନ୍ତି ଯେ, ଏପରି ସମ୍ମାନ କର୍ମଚାରୀଙ୍କ ମନୋବଳ ବୃଦ୍ଧି କରିବା ସହିତ ସୁରକ୍ଷିତ ଓ ଦକ୍ଷ ରେଳ ପରିଚାଳନା ପ୍ରତି ମଣ୍ଡଳର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଥାଏ। ସମ୍ମାନ ପ୍ରଦାନ ସମାରୋହରେ ଉପସ୍ଥିତ ବରିଷ୍ଠ ଅଧିକାରୀ ଓ ରେଳ କର୍ମଚାରୀମାନେ ଶ୍ରୀ ବି. ତାଜେଶ୍ୱର ରାଓଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ।





