ଖବର ପ୍ରସାରଣ ପରେ ନିଜ କାର୍ଯ୍ୟାଳୟକୁ ସୁକାନ୍ତିଙ୍କୁ ଡାକି ଆଲୋଚନା କଲେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ

ଓଡିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ପ୍ରଶାସନିକ ସ୍ତରରେ କିପରି ତୁରନ୍ତ ପ୍ରଭାବ ପକାଇପାରେ, ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି କୋରାପୁଟରେ। ଶିକ୍ଷିତ ହୋଇ ମଧ୍ୟ ପାରିବାରିକ ଅଭାବ ଓ ଆର୍ଥିକ ଅନଟନ କାରଣରୁ ମୁଣ୍ଡରେ ହଣ୍ଡି, ଗୋଇଠି, ବାଲି ଓ ସିମେଣ୍ଟ ବୋହି କୁଲି କାମ କରୁଥିବା ଆଦିବାସୀ ଯୁବତୀ ସୁକାନ୍ତିଙ୍କ ସମ୍ପର୍କରେ ଖବର ପ୍ରସାରଣ ହେବା ପରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ତୁରନ୍ତ ଘଟଣାକୁ ଗୁରୁତ୍ୱର ସହ ନେଇ ପଦକ୍ଷେପ ଗ୍ରହଣ କରିଥିଲେ। ଖବର ପ୍ରସାରଣର କିଛି ସମୟ ମଧ୍ୟରେ ଜିଲ୍ଲାପାଳ ସୁକାନ୍ତିଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ତାଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଆଲୋଚନା ସମୟରେ ସେ ସୁକାନ୍ତିଙ୍କ ଶିକ୍ଷାଗତ ଯୋଗ୍ୟତା, ପାରିବାରିକ ଆର୍ଥିକ ସ୍ଥିତି, ବର୍ତ୍ତମାନର ଜୀବନ ସଂଘର୍ଷ ଏବଂ ରୋଜଗାର ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ଅବଗତ ହୋଇଥିଲେ। ଜଣେ ଶିକ୍ଷିତ ଯୁବତୀ ହୋଇ ମଧ୍ୟ ପରିସ୍ଥିତିର ଚାପରେ କୁଲି କାମ କରିବାକୁ ବାଧ୍ୟ ହେଉଥିବା ଘଟଣା ତାଙ୍କୁ ବେଶ୍‌ ମର୍ମାହତ କରିଥିବା ଜଣାପଡ଼ିଛି। ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସୁକାନ୍ତିଙ୍କ ଯୋଗ୍ୟତା ଅନୁଯାୟୀ ରୋଜଗାରର ସୁଯୋଗ ସୃଷ୍ଟି କରିବା, ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସୁବିଧା ତାଙ୍କ ପରିବାର ପାଖରେ ପହଞ୍ଚାଇବା ଏବଂ ତାଙ୍କ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ସେହିପରି ସୁକାନ୍ତିଙ୍କ ଭବିଷ୍ୟତ ଜୀବନକୁ ସ୍ୱାବଲମ୍ବୀ କରିବା ଦିଗରେ ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ମଧ୍ୟ ଆଶ୍ୱାସନ ଦିଆଯାଇଥିବା ଜଣାପଡ଼ିଛି।‌ଜିଲ୍ଲାପାଳଙ୍କ ଏହି ମାନବିକ ଓ ସମ୍ବେଦନଶୀଳ ପଦକ୍ଷେପକୁ ସାଧାରଣ ଲୋକ, ବୁଦ୍ଧିଜୀବୀ ଓ ବିଭିନ୍ନ ସାମାଜିକ ସଂଗଠନ ସ୍ୱାଗତ କରିଛନ୍ତି। ସମୟୋପଯୋଗୀ ହସ୍ତକ୍ଷେପ ପାଇଁ ଜିଲ୍ଲାପାଳଙ୍କୁ ପ୍ରଶଂସା କରାଯାଉଥିବାବେଳେ ସୁକାନ୍ତି ମଧ୍ୟ ନିଜ ସମସ୍ୟା ପ୍ରତି ଦୃଷ୍ଟି ଦେଇଥିବାରୁ ଜିଲ୍ଲାପାଳଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ସ୍ଥାନୀୟ ମହଳର ମତ, ଏପରି ସମ୍ବେଦନଶୀଳ ପଦକ୍ଷେପ ଦୁର୍ଦ୍ଦଶାରେ ଥିବା ଅନେକ ଯୁବକ-ଯୁବତୀଙ୍କ ପାଇଁ ଆଶାର ଆଲୋକ ସୃଷ୍ଟି କରିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.