ବିପଦ ସାଜିଛି ହାତୀଶାଲ ଘାଟି, ରାସ୍ତା ଚଉଡ଼ା କରିବାକୁ ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ବିଶ୍ଵନାଥପୁରୁ ବିଜେପୁରକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଥିବା ହାତୀଶାଲ ଘାଟି ଏବେ ଗମନାଗମନ ପାଇଁ ବିପଦ ସାଜିଛି। ବିଭିନ୍ନ ପଞ୍ଚାୟତର ଲୋକେ ବ୍ଲକ, ତହସିଲ, ଡାକ୍ତରଖାନା, ବ୍ୟାଙ୍କ୍ କାର୍ଯ୍ୟ ପାଇଁ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଆସିବାକୁ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ଏହି ଘାଟି ରାସ୍ତାରେ ବିଭିନ୍ନ ସ୍ଥାନରେ ତୀବ୍ର ମୋଡ ରହିଥିବା ବେଳେ ରାସ୍ତା ବହୁ ସ୍ଥାନରେ ଖାଲଖମା ହୋଇପଡିଛି। କେତେକ ସ୍ଥାନରେ ବଡ଼ ବଡ଼ ଖାଲ ଥିବାରୁ ବର୍ଷା ହେଲେ ଯାତ୍ରୀବାହୀ ଗାଡି ଓ ବାଇକ୍ ଆରୋହୀମାନେ ପ୍ରତିଦିନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ଅତ୍ୟଧିକ ଉଚ୍ଚ ଓ ବିପଦସଙ୍କୁଳ ହୋଇଥିବା ସତ୍ତ୍ୱେ ଘାଟି ସ୍ଥାନରେ କୌଣସି ସୂଚନା ବୋର୍ଡ କିମ୍ବା ସୁରକ୍ଷା ବାଡ଼ ନାହିଁ। ଫଳରେ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି। କେତେବେଳେ ବଡ଼ ବଡ଼ ଟ୍ରକ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡୁଛି। ଏହି ଦୁର୍ଘଟଣାରେ ବହୁ ଲୋକ ଆହତ ହୋଇସାରିଛନ୍ତି। ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଶତାଧିକ ଛାତ୍ରଛାତ୍ରୀ ସ୍କୁଲ, କଲେଜ ଯାଉଥିବା ବେଳେ ସେମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ତେବେ ଏହି ଘାଟି ରାସ୍ତାର ତୁରନ୍ତ ମରାମତି, ଚଉଡ଼ାକରଣ ସହିତ ସୂଚନା ବୋର୍ଡ ଓ ସୁରକ୍ଷା ବାଡ଼ ଲଗାଇବା ପାଇଁ ଅଞ୍ଚଳବାସୀ ଦୀର୍ଘ ଦିନ ଧରି ଦାବି କରିଆସୁଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.