ଉନ୍ମୋଚିତ ହେଲା ସୁଲେଖିକା ଦେବଯାନୀ ଦାସଙ୍କ ଗଳ୍ପ ଓ ଉପନ୍ୟାସ ପୁସ୍ତକ

ଦେବଯାନୀଙ୍କ ଗଳ୍ପରେ ସେ ଦୂବରେ ଦାରୁ ଦର୍ଶନ କରାଇଛନ୍ତି, କହିଲ ଅତିଥି

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ସୁଲେଖିକା ତଥା ଅଧ୍ୟାପିକା ଦେବଯାନୀ ଦାସଙ୍କ ‘ଏବଂ ଇତ୍ୟାଦି’ର ଶୁଭ ଉନ୍ମୋଚନ ଓ ‘ଅପୂର୍ଣ୍ଣ ପୂର୍ଣ୍ଣତା’ର ଆଲୋଚନା ସଭା ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଶାନ୍ତିକାନନ ପରିସରସ୍ଥ ସଭାଗୃହରେ ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ଅନୁଷ୍ଠିତ ହେଇ ଯାଇଛି। ଏଥିରେ ‘ଏବଂ ଇତ୍ୟାଦି’ର ସମୀକ୍ଷକ ଭାବରେ ଯୋଗ ଦେଇ ଫକୀରମୋହନ ବିଶ୍ଵବିଦ୍ୟାଳୟର ଭାଷା ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ଦେବାଶିଷ ପାତ୍ର ଦେବଯାନୀଙ୍କ ଗଳ୍ପରେ ଜୀବନ ପ୍ରବାହ, ଆଧ୍ୟାତ୍ମିକତା ତଥା ପ୍ରେମର ଉତ୍ତରଣ, ଭାଷା ବିନ୍ୟାସ ଅତି ଆକର୍ଷଣୀୟ ବୋଲି କହିବା ସହ ଗୋଟେ ଭଲ ଗପ ବହି ପଢ଼ିବାର ଆତ୍ମପ୍ରଶାନ୍ତି ପ୍ରଦାନ କରୁଥିବା ଏହି ପୁସ୍ତକ ପାଠକୀୟ ଆଦୃତି ଲାଭ କରିବ ବୋଲି ଆଶା ବ୍ୟକ୍ତ କରିଥିଲେ। ଲେଖିକା ତାଙ୍କ ଗଳ୍ପରେ ଦୂବରେ ଦାରୁ ଦର୍ଶନ କରାଇଛନ୍ତି ବୋଲି ଡକ୍ଟର ପାତ୍ର ମତବ୍ୟକ୍ତ କରିଥିଲେ।

ଏଥିରେ ଅନ୍ୟତମ ସମୀକ୍ଷକ ଭାବରେ ଯୋଗ ଦେଇ ଉପନ୍ୟାସ ‘ଅପୂର୍ଣ୍ଣ ପୂର୍ଣ୍ଣତା’କୁ ସମୀକ୍ଷା କରିଥିଲେ ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଡ. ସନ୍ତୋଷ କୁମାର ନାୟକ। ସେ ତାଙ୍କ ଆଲୋଚନାରେ ଉପନ୍ୟାସଟିର ଭୂୟସୀ ପ୍ରଶଂସା କରିବା ସହିତ ଏ ଉପନ୍ୟାସ ଭିତରେ ଭାରତର ଆତ୍ମା ରହିଛି ବୋଲି କହିଥିଲେ। ଏହା ଏକ ବିରଳରୁ ବିରଳତର ବିଶ୍ବସ୍ତରୀୟ ଉପନ୍ୟାସ ବୋଲି ସେ ମତବ୍ୟକ୍ତ କରିଥିଲେ। ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସାରସ୍ବତ ସମାବେଶରେ ପ୍ରଥମେ ସମ୍ପାଦକ ରତ୍ନାକର ସିଂହ ପ୍ରାକ୍ କଥନ ରଖିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଲେଖିକା ଦେବଯାନୀ ଦାସ ଲେଖକୀୟ ଅଭିଭାଷଣରେ ନିଜର ଲେଖକ ହେବା ପଶ୍ଚାତରେ ଥିବା ପ୍ରେରଣା ସମ୍ପର୍କରେ ସ୍ଵୀକାରୋକ୍ତି ପ୍ରକାଶ କରିଥିଲେ। ଏଥିରେ ବରେଣ୍ୟ ଅତିଥି ତଥା ଉନ୍ମୋଚକ ଭାବରେ ଯୋଗ ଦେଇ ଡକ୍ଟର ଶିରୀଶ ଚନ୍ଦ୍ର ଜେନା ଦେବଯାନୀଙ୍କ କୃତି ସମ୍ପର୍କରେ ଆଲୋଚନା କରି ତାଙ୍କୁ ଜଣେ ବହୁ ପ୍ରତିଭାଧାରୀ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସାହିତ୍ୟିକା ବୋଲି ଅଭିହିତ କରିଥିଲେ। ଶେଷରେ ଅଧ୍ୟାପକ ଦିଲ୍ଲୀପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ସହରର ସାହିତ୍ୟପ୍ରେମୀ, ସାହିତ୍ୟିକ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.