ବାଇକ ଉପରେ ଚଢ଼ିଗଲା ଟ୍ରାକ୍ଟର: ମହିଳା ମୃତ, କ୍ଷତିପୂରଣ ଦାବିରେ ମୋଟେର ଛକରେ ରାସ୍ତା ଅବରୋଧ

ଓଡିଆ ବାର୍ତ୍ତା/ କଳାହାଣ୍ଡି| କୋକସରା (ଲିଙ୍ଗରାଜ ମିଶ୍ର/ ହିରଣ୍ୟ ବେହେରା): କୋକସରା ଥାନା ମୋଟେର ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ ୨୬ ମୋଟେର ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକରେ ଯାଉଥିବା ସ୍ୱାମୀ ସ୍ତ୍ରୀଙ୍କୁ ସାମ୍ନା ପଟୁ ଏକ ବାଲି ବୋଝେଇ ଟ୍ରାକ୍ଟର ଧକ୍କା ଦେଇ ମହିଳାଙ୍କ ଉପରେ ଚଢି ଯାଇଥିଲା। ତେଣୁ ଘଟଣା ସ୍ଥଳରେ ହଁ ମହିଳାଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ମୃତ ମହିଳା ଜଣକ ମୋଟେର ପଞ୍ଚାୟତ ବାଟିଗୁଡା ଗ୍ରାମର ନରେନ୍ଦ୍ର ନାଗଙ୍କ ସ୍ତ୍ରୀ ଦେବନ୍ତୀ ନାଗ ବୋଲି ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁସାରେ ଆଜି ନିଜର ୧ ବର୍ଷର ଅସୁସ୍ଥ ଶିଶୁକୁ ନେଇ ସ୍ବାମୀ-ସ୍ତ୍ରୀ ଡାକ୍ତରଙ୍କୁ ଦେଖାଇବା ପାଇଁ ବାଇକରେ ଯାଉଥିଲେ। ଏହି ସମୟରେ ମୋଟେର ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟି ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ମୋଟେର ଫାଣ୍ଡି ପୋଲିସ ଓ କୋକସରା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ମହିଳାଙ୍କ ପରିବାରଲୋକେ କ୍ଷତିପୂରଣ ଦାବିରେ ମୋଟେର ଛକରେ ଶବ ରଖି ରାସ୍ତା ଅବରୋଧ କରିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.