ସାଉଁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହେଲା ଆଇନ ସଚେତନତା ଶିବିର

ମହିଳା, ଶିଶୁ ଓ ଦୁର୍ବଳ ବର୍ଗଙ୍କ ପାଇଁ ନିଃଶୁଳ୍କ ଆଇନ ସେବା ଉପରେ ଗୁରୁତ୍ୱ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ଅନ୍ତର୍ଗତ ସାଉଁସ୍ଥିତ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବାଲେଶ୍ୱରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀ ପରିଷଦର ସହଯୋଗରେ ଆୟୋଜିତ ଏହି ଶିବିରରେ ଛାତ୍ରଛାତ୍ରୀଙ୍କୁ ଆଇନଗତ ଅଧିକାର ଓ ନିଃଶୁଳ୍କ ଆଇନ ସେବା ସମ୍ପର୍କରେ ସଚେତନ କରାଯାଇଥିଲା। ପୁରାତନ ବିଦ୍ୟାର୍ଥୀ ପରିଷଦର ସମ୍ପାଦକ ତଥା ମାନବାଧିକାର କର୍ମୀ ସୁଧାକର ସେଠୀଙ୍କ ସଭାପତିତ୍ୱରେ ଅପରାହ୍ନ ୨ଟା ୩୦ ମିନିଟ୍‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ବିଚାରପତି ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବାଲେଶ୍ୱରର ସଚିବ ସୁମନ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଶ୍ରୀମତୀ ଜେନା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭୂମିକା ଓ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ। ବିଶେଷକରି ଏସିଡ୍‌ ଆକ୍ରମଣର ପୀଡ଼ିତଙ୍କ ପାଇଁ ଆଇନଗତ ପ୍ରତିକାର, ନିରାକରଣ ଓ ସରକାରୀ ସହାୟତା ସମ୍ପର୍କରେ ସେ ବିସ୍ତୃତ ଭାବେ ବୁଝାଇଥିଲେ। ଜିଲ୍ଲାରେ ଆଇନ ସେବା ପ୍ରାଧିକରଣ ଏକ ସଚେତନ ପ୍ରହରୀ ଭାବେ କାର୍ଯ୍ୟ କରୁଥିବା ସେ ପ୍ରକାଶ କରିଥିଲେ। ମହିଳା, ଭିନ୍ନକ୍ଷମ, ଶିଶୁ, ଆର୍ଥିକ ଅନଗ୍ରସର ବର୍ଗ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଲୋକଙ୍କ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ନିଃଶୁଳ୍କ ଆଇନଗତ ସହାୟତା ଯୋଗାଇ ଦିଆଯାଉଥିବା ସେ ସୂଚନା ଦେଇଥିଲେ। ଏହି ଅବସରରେ ବରିଷ୍ଠ ଆଇନଜୀବୀ ଜ୍ଞାନରଞ୍ଜନ ପାଣି ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦ୍ରୋଣାଚାର୍ଯ୍ୟ ପଟ୍ଟାୟତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଆଇନଗତ ବିଷୟରେ ସଚେତନ କରାଇଥିଲେ।

ପୁରାତନ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଇଂ. ମନ୍ମଥ କୁମାର ବାରିକ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବାବେଳେ ପାର୍ଥସାରଥୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟିତ୍ରୀ ଚିନ୍ମୟୀ ପାତ୍ର, ଇତିଶ୍ରୀ ବେହେରା, ଶିକ୍ଷକ ମିହିର ପଣ୍ଡାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.