ମଣ୍ଡେଲରେ ପୂର୍ବଭଳି ଚାଲିବ ଧାନ ମଣ୍ଡି: ଚାଷୀଙ୍କ ଜିଦ୍ ଆଗରେ ହାରମାନିଲା ପ୍ରଶାସନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପେକ୍ସ ଅଧିନ ମାଣ୍ଡେଲରୁ ଉପମଣ୍ଡି ଉଠିଯାଇ ଦୁରାପଦରରେ ସ୍ଥାପିତ ହେବା ଘଟଣାକୁ ନେଇ କିଛି ଦିନ ହେଲା ବିବାଦ ଲାଗି ରହିଥିଲା। ଶେଷରେ ଏହାର ସମାଧାନ ହୋଇଥିବା ଜଣାପଡିଛି। ପୂର୍ବପରି ମଣ୍ଡି ଚାଲିବ ଏବଂ ଏଥିପାଇଁ ମାଣ୍ଡେଲ ରାଜୀବ ଭବନ ପାଖରେ ଜାଗା ଚିହ୍ନଟ ହୋଇଥିବା ଜଣାପଡ଼ିବା ପରେ ଚାଷୀ ମହଲରେ ଖୁସିର ଲହରୀ ଖେଳିଯାଇଛି। ୨୦୧୭ରୁ ଚାଲି ଆସୁଥିବା ଧାନ ମଣ୍ଡି ମାଣ୍ଡେଲରୁ ସ୍ଥାନାନ୍ତର ହୋଇ ଦୁରାପଦରରେ ସ୍ଥାପିତ ହେବା ବିଷୟକୁ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପ୍ରଶାସନର ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରି ମାଣ୍ଡେଲରେ ହିଁ ପୂର୍ବପରି ମଣ୍ଡି ଚାଲୁ ରଖିବା ପାଇଁ ଅଞ୍ଚଳର ଚାଷୀମାନେ ଜିଦ୍ ଧରି ବସିଥିଲେ। ଏନେଇ ଗତ ଶୁକ୍ରବାର ସନ୍ଧ୍ୟାରେ ମାଣ୍ଡେଲ ଅଞ୍ଚଳର ଚାଷୀମାନେ ମାର୍କଣ୍ଡ ଜାଲଙ୍କ ନେତୃତ୍ୱରେ ନର୍ଲା ବିଧାୟିକା ମନୋରମା ମହାନ୍ତି ଓ ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କୁ ସାକ୍ଷାତ କରି ମାଣ୍ଡେଲରେ ହିଁ ପୁନଃ ମଣ୍ଡି ଚାଲୁ କରିବା ପାଇଁ ଅନୁରୋଧ କରିଥିଲେ।ଏନେଇ ‘ଓଡ଼ିଆ ବାର୍ତ୍ତା’ରେ ଖବର ପ୍ରକାଶିତ ହୋଇଥିଲା। ଏହାସହ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀମାନଙ୍କୁ ସାକ୍ଷାତ କରି ମାଣ୍ଡେଲରେ ପୂର୍ବପରି ମଣ୍ଡି ଚାଲୁ ରଖିବା ପାଇଁ ଦାବି କରିଥିଲେ ଚାଷୀ। ଶେଷରେ ଚାଷୀଙ୍କ ଜିଦ୍ ଆଗରେ ହାରମାନିଲା ପ୍ରଶାସନ। ମାଣ୍ଡେଲରେ ପୁନଃ ମଣ୍ଡି ସ୍ଥାପନ ପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରୀୟା ଆରମ୍ଭ ହୋଇଥିବା ଜଣାପଡିଛି। ଏହାକୁ ନେଇ ଚାଷୀ ନେତା ମାର୍କଣ୍ଡ ଜାଲଙ୍କ ସହ ଦୀନବନ୍ଧୁ ପଧାନ, ଉମାକାନ୍ତ ନାଏକ, ନିର୍ମଳ ଦୀପ, ସାଧୁ ଭୋଇ, ପିତବାସ ଜାଲ, ପିତାମ୍ବର ରଣା, ସତ୍ୟା ପଧାନ, ବୈଦ୍ୟନାଥ ପଧାନ, ଦୟାନିଧି ପଧାନ, ହୃଦାନନ୍ଦ ନାଏକ, ରମେଶ ନାଏକ, ରୋମାଞ୍ଚଳ ନାଏକ, ବୃନ୍ଦାବନ ବାରିକ ଏବଂ ଅଞ୍ଚଳର ଚାଷୀ ନର୍ଲା ବିଧାୟିକା ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଏବଂ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି। ଅନ୍ୟପକ୍ଷରେ ଦଲାଲ ଓ ଅସାଧୁ କର୍ମଚାରୀଙ୍କ ମଧୁଚନ୍ଦ୍ରିକାର ଜବନୀକା ପଡ଼ିଛି। କିଛି ଦଲାଲ ମାଣ୍ଡେଲରୁ ଦୁରାପଦରକୁ ମଣ୍ଡି ସ୍ଥାନାନ୍ତର କରି ଭଲ ଦୁଇ ପଇସା ଉପାର୍ଜନ କରିବାର ଯେଉଁ ସ୍ବପ୍ନ ଦେଖୁଥିଲେ ତାହା ଧୁଳିସାତ ହୋଇଛି। ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୭ରେ ତତ୍କାଳୀନ ନର୍ଲା ବ୍ଲକ ଅଧ୍ୟକ୍ଷା ତଥା ବର୍ତ୍ତମାନର ବିଧାୟିକା ମନୋରମା ମହାନ୍ତିଙ୍କ କରକମଳରେ ମାଣ୍ଡେଲ ଠାରେ ଧାନମଣ୍ଡି ଉଦ୍ଘାଟନ ହୋଇଥିଲା। ସେହି ଦିନଠାରୁ ମାଣ୍ଡେଲରେ ସୁରୁଖୁରୁରେ ଉପମଣ୍ଡି ଚାଲି ଆସୁଥିଲା। ତେବେ ଚଳିତ ବର୍ଷ ଏହି ଧାନମଣ୍ଡି ମାଣ୍ଡେଲରୁ ସ୍ଥାନାନ୍ତର ହୋଇ ହାତୀ ଉପଦୃତ ତଥା ଜଙ୍ଗଲ ଭିତରେ ଥିବା ଦୁରାପଦରକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିବା ପରେ ଚାଷୀମାନେ ତାତି ଉଠିଥିଲେ। କିଛି ଦଲାଲ ନିଜ ସୁବିଧା ଦୃଷ୍ଟିରୁ ମାଣ୍ଡେଲରୁ ମଣ୍ଡି ନେଇ ଦୁରାପଦରେ ସ୍ଥାପନ କରିଇବାର ମସୁଧାକୁ ଚାଷୀମାନେ ତୀବ୍ର ବିରୋଧ କରିବା ସହ ମାଣ୍ଡେଲରେ ହିଁ ପୁନଃ ମଣ୍ଡି ଚାଲୁ କରିବା ପାଇଁ ଦାବି କରିଥିଲେ। ଯଦି ମାଣ୍ଡେଲରୁ ମଣ୍ଡି ସ୍ଥାନାନ୍ତର ହୁଏ ତେବେ ଭୟାବହ ଆନ୍ଦୋଳନ ହେବବୋଲି ଚାଷୀମାନେ ଚେତାବନୀ ଦେଇ ନିର୍ବାଚିତ ଲୋକପ୍ରତିନିଧି, ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀମାନଙ୍କୁ ଭେଟିଥିଲେ। ଶେଷରେ ଜିଲ୍ଲା ପ୍ରଶାସନ ମାଣ୍ଡେଲରେ ହିଁ ପୂର୍ବପରି ମଣ୍ଡି ଚାଲୁ ରହିବ ବୋଲି ପ୍ରତିଶୃତି ଦେବାସହ କାର୍ଯ୍ୟକାରୀ କରିବା ପ୍ରକ୍ରିୟା ଆରମ୍ଭ କରିଥିବା ଚାଷୀନେତା ମାର୍କଣ୍ଡ ଜାଲ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.