ଓଡ଼ିଆ ଭାଷାକୁ ଜ୍ଞାନ ବିଜ୍ଞାନର ଭାଷା କରିବା ଆମର ଲକ୍ଷ୍ଯ ହେଉ -ପ୍ରଫେସର ସୁସ୍ମିତ ପ୍ରସାଦ ପାଣି

ଉଦଯାପିତ ହେଲା ଫକୀରମୋହନ ବିଶ୍ବବିଦ୍ୟାଳୟରେ ଗବେଷଣାର ମହାକୁମ୍ଭ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ବବିଦ୍ୟାଳୟ ଓ ଓଡ଼ିଶା ସରକାରଙ୍କ ରାଜ୍ଯ ଉଚ୍ଚ ଶିକ୍ଷା ବିଭାଗ ପରିଷଦର ମିଳିତ ସହଭାଗିତାରେ ଆୟୋଜିତ ଗବେଷଣାର ମହାକୁମ୍ଭ ଓଡ଼ିଶା ଗବେଷଣା ସମ୍ମିଳନୀ-୨୦୨୪ ଉଦଯାପିତ ହୋଇଯାଇଛି। ଅନ୍ତିମ ଦିନର ଶେଷ ବୈଷୟିକ ଅଧିବେଶନ ତଥା ଚତୁର୍ଥ ଗୋଲ ଟେବୁଲ ଆଲୋଚନାଚକ୍ରରେ ‘ଶିଳ୍ପର ସ୍ଥାୟୀ ଅଭିବୃଦ୍ଧି ପାଇଁ ଗବେଷଣା ଓ ବିକାଶ’ ପ୍ରସଙ୍ଗରେ, ଭୁବନେଶ୍ୱର ସ୍ଥିତ ଆଇ.ଏମ.ଆଇ. ଶିକ୍ଷାନୁଷ୍ଠାନର ଡିନ୍ ପ୍ରଫେସର ସୁପ୍ରିତୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଲୋଚନା କରାଯାଇଥିଲା। ଏଥିରେ ବକ୍ତା ଭାବେ ବାଲେଶ୍ଵର ଆଲୋଏଜ୍- ବସ୍ତୁ ବିଜ୍ଞାନର ଜେନେରାଲ ମ୍ୟାନେଜର ଡ଼କ୍ଟର ରାଜେଶ ଝା, ବାଲେଶ୍ବର ସ୍ଥିତ ଓରିପୋଲ୍ ର ଅଧିକାରୀ ଆଦିତ୍ଯ ବେହେରା ଓ ବାଲେଶ୍ବର ସ୍ଥିତ ଇମାମୀ ପେପର ମିଲ୍ସ- ଗୁଣବତ୍ତା ନିଶ୍ଚିତତା ବିଭାଗର ଡି.ଜି.ଏମ୍. ଶ୍ରୀ ଏଲ.ସୁରେଶ ପ୍ରମୁଖ ଯୋଗ ଦେଇଥିଲେ।

ଏହା ପରେ ସମ୍ମିଳନୀର ଉଦଘାଟନୀ ଉତ୍ସବ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ବରିଷ୍ଠ କାର୍ଯ୍ୟନିର୍ବାହୀ ସଦସ୍ୟ ତଥା ଓଡ଼ିଶାର ପ୍ରତିଷ୍ଠିତ ଶିକ୍ଷାବିତ ପ୍ରଫେସର ସୁସ୍ମିତ ପ୍ରସାଦ ପାଣି ଯୋଗ ଦେଇ ଉପସ୍ଥିତ କୁଳପତିଗଣ, ଗବେଷକ, ବିଶେଷଜ୍ଞ, ନିର୍ଦ୍ଦେଶକ ଓ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ଯରେ ଉତ୍ସାହଜନକ ଉଦବୋଧନ ପ୍ରଦାନ କରିଥିଲେ। ଓଡ଼ିଆ ଭାଷା ଓ ଜ୍ଞାନର ପରିସୀମାକୁ ସୀମିତ ନରଖି, ଏହାର ଉନ୍ନତ ଗବେଷଣା ପାଇଁ ବିଭିନ୍ନ ଦିଗଗୁଡିକର ସମ୍ଭାବନା ସଂପର୍କରେ ସେ ଦୃଷ୍ଟିପାତ କରିଥିଲେ। ଏଥିସହ ଫକୀରମୋହନ ବିଶ୍ୱବିଦ୍ୟାଳୟ ଏହି ଗବେଷଣା ସମ୍ମିଳନୀର ଆୟୋଜକ ଭାବେ ଏକ ଅନନ୍ଯ ମାପଦଣ୍ଡ ସୃଷ୍ଟି କରିବାରେ ସଫଳ ହୋଇଛି ବୋଲି ଦର୍ଶାଇ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଧନ୍ୟବାଦ ଅର୍ପଣ କରିଥିଲେ।
ଏଥିସହ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କମଲଜିତ ସିଂ ଉପସ୍ଥିତ ହୋଇ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ପରିଚାଳନାଗତ ସମସ୍ତ ପ୍ରୟାସକୁ ପ୍ରଶଂସା କରି, ଏଥିରେ ନିୟୋଜିତ ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ସମ୍ମିଳନୀର ଆବାହକ ଡ଼କ୍ଟର ପଙ୍କଜ କୁମାର ପାରହୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଓ ସହ-ଆବାହକ ଡ଼କ୍ଟର ନିହାର ରଞ୍ଜନ ରାଉତ ତିନିଦିନ ବ୍ଯାପୀ ଅନୁଷ୍ଠିତ ସମସ୍ତ କାର୍ଯ୍ୟକଳାପଗୁଡିକ ସବିଶେଷ ତଥ୍ଯ ପ୍ରଦାନ କରିଥିଲେ। ପ୍ରଫେସର ସୋନାଲି ଦାସ, ଆସିଷ୍ଟାଣ୍ଟ ପ୍ରଫେସର ଜଶସ୍ୟା ରାଉତ ଓ ନନ୍ଦିନୀ ଘୋଷ, ସମ୍ମିଳନୀର ପ୍ରତ୍ୟେକ ଦିନର କାର୍ଯ୍ୟକ୍ରମଗୁଡ଼ିକର ସବିଶେଷ ବିବରଣୀ ପ୍ରଦାନ କରିଥିଲେ।

ବିଭିନ୍ନ ବିଶ୍ବବିଦ୍ୟାଳୟରୁ ଅଂଶଗ୍ରହଣକାରୀଙ୍କ କରାଯାଇଥିବା ଗବେଷଣା ସନ୍ଦର୍ଭର ପୋଷ୍ଟର ପ୍ରଦର୍ଶନ ଗୁଡ଼ିକୁ ବିଶ୍ଳେଷଣ ଏବଂ ମୂଲ୍ୟାଙ୍କନ କରାଯାଇ ୧୨ ଜଣ ଶ୍ରେଷ୍ଠ ବିବେଚିତ ଗବେଷକଙ୍କୁ ମାନପତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ଶେଷରେ ବିଶ୍ୱବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ ନିଜ ଅଭିଭାଷଣରେ ଓଡ଼ିଶା ରାଜ୍ଯ ଉଚ୍ଚ ଶିକ୍ଷା ବିଭାଗ ଓ ଓଡ଼ିଶା ରାଜ୍ଯ ଉଚ୍ଚ ଶିକ୍ଷା ବିଭାଗ ପରିଷଦକୁ ଧନ୍ୟବାଦ ଜଣାଇଥିଲେ। ଏଥିସହ ଉପସ୍ଥିତ ସମସ୍ତ ଅତିଥିଗଣ, ଅଧ୍ୟାପକ ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀଗଣ ଓ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଦେଇ ସମ୍ମିଳନୀର ସଫଳତା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏହି ସଫଳ ସମ୍ମିଳନୀରେ ସମସ୍ତଙ୍କ ଉଦ୍ୟମକୁ ସାଧୁବାଦ ଜଣାଇ ଆଗାମୀଦିନରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଅନ୍ୟାନ୍ଯ ବିଷୟଗୁଡ଼ିକରେ ଏହିଭଳି ଉଚ୍ଚସ୍ତରର ସମ୍ମିଳନୀ ଆୟୋଜନ ଲକ୍ଷ୍ଯ ରଖିବାରେ ସକ୍ଷମ ହୋଇପାରିବ ବୋଲି ମତବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.