ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ବେହେରା ଠାରେ ୧୧ଗୋଟି ପଞ୍ଚାୟତକୁ ନେଇ ସ୍ବତନ୍ତ୍ର ଦଣ୍ଡପାଟ ବ୍ଲକ ଗଠନ ପାଇଁ ଦିନକୁ ଦିନ ଦାବି ତେଜିବାରେ ଲାଗିଛି। ଦଳ ମତ ନିର୍ବିଶେଷରେ ସ୍ଥାନୀୟ ଜନସାଧାରଣ ଏହି ନାର୍ଯ୍ୟ ଦାବି ପ୍ରତି ବିପୁଳ ସମର୍ଥନ ଯୋଗାଉଥିବା ଦେଖିବାକୁ ମିଳୁଛି। ସୋମବାର କଳାହାଣ୍ଡି ଜିଲ୍ଲାପାଳଙ୍କୁ ସାକ୍ଷାତକରି ଦଣ୍ଡପାଟ ଅଞ୍ଚଳବାସୀ ବେହେରା ଠାରେ ଦଣ୍ଡପାଟ ବ୍ଲକ ଘୋଷଣା ପାଇଁ ଦାବି ଉପସ୍ଥାପନା କରିବାସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରସ୍ତାବିତ ଏହି ନୂତନ ବ୍ଲକ ପାଇଁ ଆଜି ଧର୍ମଗଡ଼ ବ୍ଲକର ବେହେରା, ଜୟନ୍ତପୁର, ଛଞ୍ଚାଣବାହଲି, ଧଅରପୁର, ତେଣ୍ଡାପାଲି ପଂଚାୟତ ଓ କୋକସରା ବ୍ଲକର ଗୋତମୁଣ୍ଡା, ସାନପୋଡଗୁଡା, ଡାଲଗୁମା, ମୂଷାପାଲି, ଡହଗାଁ ଓ ଖୁଣ୍ଟିଆ ପଂଚାୟତର ସମସ୍ତ ପଂଚାୟତ ପ୍ରତିନିଧି, ବୁଦ୍ଧିଜୀବୀ ଦଳ ମତ ନିର୍ବିଶେଷରେ ସମସ୍ତେ ମିଶି ଆଜି ଜିଲ୍ଲାପାଳ କଳାହାଣ୍ଡିଙ୍କୁ ବେହେରା ଠାରେ ଦଣ୍ଡପାଟ ବ୍ଲକ ପ୍ରତିଷ୍ଠା କରିବା ପାଇଁ ପ୍ରଶାସନିକ ସହଯୋଗ କାମନା କରିଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ବେହେରା ଗ୍ରାମ ହେଉଛି ଐତିହାସିକ ଦଣ୍ଡପାଟ ଅଂଚଳର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ। ବେହେରା ଗ୍ରାମ ଉପରେ ଏହି ଅଂଚଳ ବ୍ୟତୀତ ପଡୋଶୀ ନବରଙ୍ଗପୁର ଜିଲ୍ଲା ଓ ଛତିଶଗଡ଼ ରାଜ୍ୟର ଶହ ଶହ ବ୍ୟକ୍ତି ପ୍ରତ୍ୟେକ ଦିନ ନିଜର ଜୀବନ ଜୀବିକା ପାଇଁ ନିର୍ଭର କରନ୍ତି। ଠିକ୍ ସେହିଭଳି ବେହେରା ଠାରେ +୨ ଓ +୩ କଲେଜ, ପ୍ରାଥମିକ ଚିକିତ୍ସାଳୟ, ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଭଳି ଅନେକ ସରକାରୀ କାର୍ଯ୍ୟାଳୟ ଥିବାରୁ ଏହି ଅଂଚଳର ଲୋକ ମାନେ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇଥାନ୍ତି। ତେଣୁ ନୁଆ ସରକାର ଦଣ୍ଡପାଟରେ ଏକ ନୂତନ ବ୍ଲକ ଗଠନ ପାଇଁ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ବର୍ତମାନ ଓଡିଶାରେ ଡବଲ ଇଂଜିନର ସରକାର ତେଣୁ ବ୍ଲକ ପୁନର୍ଗଠନ କରି ଇତିହାସ ସୃଷ୍ଟି କରିବାକୁ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ପୁନଶ୍ଚ ଜିଲ୍ଲାପାଳ ମଧ୍ୟ ତାଙ୍କ ଅବଧିରେ ବେହେରା ଠାରେ ଦଣ୍ଡପାଟ ବ୍ଲକ ଗଠନ କରିବା ପାଇଁ ସରକାରଙ୍କୁ ନିଜର ଏକ ଉତ୍ତମ ସୁପାରିଶ କରିବାକୁ ସମବେତ ବୁଦ୍ଧିଜୀବୀ ଅନୁରୋଧ କରିଥିଲେ। ଉକ୍ତ ଦାବୀ ଉପରେ ପ୍ରତିକ୍ରିୟା ରଖି ଜିଲ୍ଲାପାଳ – “ସରକାର ତ’ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ବ୍ଲକ ପୁନର୍ଗଠନ ପାଇଁ ନୋଟିସ ଜାରି କରି ନାହାନ୍ତି। ଆଗାମୀ ଦିନରେ ଏଭଳି ବିଜ୍ଞପ୍ତି ପ୍ରକାଶ ପାଇଲେ ସେ ସରକାରଙ୍କ ନିୟମ ମୁତାବକ ନିଶ୍ଚୟ ସାହାଯ୍ୟ କରିବେ” ବୋଲି ପ୍ରକାଶ କରିଥିବା ଜଣାପଡିଛି। ଆଜିକାର ଏହି କାର୍ଯ୍ୟକ୍ରମରେ ଦଣ୍ଡପାଟ ବ୍ଲକ କ୍ରିୟାନୁଷ୍ଠାନ କମିଟିର ସଭାପତି ଘନଶ୍ୟାମ ପଟେଲ, କାର୍ଯ୍ୟକାରୀ ସଭାପତି ଦିଗାମ୍ବର ଦୁରିଆ, ସମ୍ପାଦକ ପ୍ରଶାନ୍ତ ତିୱାରି, ଉପଦେଷ୍ଟା କମିଟି ଅଧ୍ୟକ୍ଷ ଧର୍ମାନନ୍ଦ ସେଠିଆ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସରପଞ୍ଚ ଗୌଲୋଚନ ଗୋପାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଳରାମ ପୂଝରୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଭିକାରି ନିଆଲ, ଭବେଶ ଗଇନ୍ତା, ନୌଜଲ ବାଗ, ସମତି ସଭ୍ୟ କିଶୋର ନାଗ, ଭାରତ ଗୋପାଳ, ତୁଳସୀ ରାମ ବାରିକ, ଚିତ୍ତରଞ୍ଜନ ପୂଝାରୀ, ବଳରାମ ପୂଝାରୀ, ଚନ୍ଦ୍ରଶେଖର ନାଏକ, ଚନ୍ଦନ ବାଣୁଆ, ଗୌରଚନ୍ଦ୍ର ବାଗ,ରାଜୁ ସିଂ ଠାକୁର, ଖଗପତି ନାଏକ,ଧର୍ମେନ୍ଦ୍ର ସୋନି, ତ୍ରିଲୋକନାଥ ସିଂ, ସୁରେନ୍ଦ୍ର ନାଏକ, କମଲୁ ଗୋପାଳ, ସି୍ଧେଶ୍ୱର ଭଇଁସାଲ ପ୍ରମୁଖଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।