ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପବିତ୍ର ଶ୍ରୀପଞ୍ଚମୀ ଠାରୁ ରୁପ୍ରାରୋଡ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହୋଇଛି ଶ୍ରୀ ରାମ ଚରିତ ମାନସ କଥାମୃତ। ଅପରାହ୍ନ ୩ଘଣ୍ଟାରୁ ରାତ୍ର ୭ଘଣ୍ଟା ପର୍ଯ୍ୟନ୍ତ କଥା ଶୁଣାଉଛନ୍ତି ଓଡ଼ିଶାର ବିଶିଷ୍ଟ କଥାବାଚକ ଆଶିର୍ବାଦଜୀ ମହାରାଜ। ମହାରାଜ ବିଭିନ୍ନ ଶ୍ଲୋକ, ଭଜନ ଜଣାଣ ସହ ବିଭିନ୍ନ ପୌରାଣିକ ପ୍ରସଙ୍ଗ ମାଧ୍ଯମରେ ଅତି ସୁନ୍ଦର ଭାବରେ ପ୍ରବଚନ ପ୍ରଦାନ କରୁଛନ୍ତି। ସୋମବାର ଭଗବାନ ଶ୍ରୀରାମଙ୍କ ବିଭିନ୍ନ ଗାଥା ଅବତରଣ ହେବା ସମୟରେ ଉପସ୍ଥିତ ଭକ୍ତ ମଣ୍ଡଳୀ ଓ ମା’ମାନେ ହରି ଭକ୍ତିରେ ମଜ୍ଜି ଯାଇଥିଲେ। ଏକ ଅଦ୍ଭୁତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଜଣା ପଡୁଥିଲା କିଛି ସମୟ ପାଇଁ ସତେ ଅବା ରୁପ୍ରାରୋଡ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଅଯୋଧ୍ୟା ପାଲଟି ଯାଇଛି। ତ୍ରେତୟା ଯୁଗର ସେହି ଅପୂର୍ବ ଚରିତ ଅତି ସୁନ୍ଦର ଭାବେ ପରିବେଷଣ କରି ସମସ୍ତଙ୍କୁ ଭକ୍ତି ରଶରେ ପ୍ଲାବିତ କରୁଛନ୍ତି ଆଶିର୍ବାଦଜୀ ମହାରାଜ। ରୁପ୍ରାରୋଡ ଜଗନ୍ନାଥ ମନ୍ଦିର କମିଟିର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ପ୍ରବଚନ ଶୁଣିବା ପାଇଁ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁମାନେ ସମବେତ ହୋଇଥିଲେ। ପରମ ପବିତ୍ର ଶ୍ରୀରାମ କଥା ଶୁଣିବାକୁ ଆସିବା ପାଇଁ ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରିଛନ୍ତି ରୁପ୍ରାରୋଡ ଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା ସ୍ବର୍ଗତଃ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ଜ୍ୟୋଷ୍ଠ ପୁତ୍ର ସୁନିଲ ଅଗ୍ରୱାଲ। ଏଠାରେ ପ୍ରକାଶଯୋଗ୍ୟ ଯେ, ଫେବୃଆରୀ ୨ ତାରିଖରୁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀରାମ ଚରିତ ମାନସ କଥାମୃତ ଆରମ୍ଭ ହୋଇଥିବା ବେଳେ ଏହା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ।