ଅପ୍ରେଲ ୨ରେ “ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ” କାର୍ଯ୍ୟକ୍ରମ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ନୂତନ ଶିକ୍ଷାନୀତି-୨୦୨୦ ଅନୁଯାୟୀ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ “ଶିଶୁ ବାଟିକା’” ଆରମ୍ଭ କରାଯାଉଛି । ଏଥିରେ ସରକାରଙ୍କ ତରଫରୁ ୫ ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ ଏକ ଉତ୍ତମ, ସଂଗଠିତ ଏବଂ ଅନୁଭୂତିମୂଳକ ଶିକ୍ଷଣ ପରିବେଶ ପ୍ରଦାନ କରାଯିବ । ଏହି କ୍ରମରେ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀଙ୍କ ନେତୃତ୍ବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ ଓ ସୂର୍ଯ୍ୟଦେବ ବାଗ, ଜାତୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର ପ୍ରମୁଖ ବ୍ଲକର ବେହେରାପାଟି, କାନ୍ଥିଡିଗରା ପଡା, ପିପଲପଦର ଆଦି ଗ୍ରାମକୁ ଯାଇ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଆସନ୍ତା ଅପ୍ରେଲ ୨ ତାରିଖରେ “ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ” କାର୍ଯ୍ୟକ୍ରମର ଆୟୋଜନ ହେବ ସୂଚନା ଦେବା ସହ ଓ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ପ୍ରଦତ୍ତ ନିମନ୍ତ୍ରଣ ପତ୍ର ଅଭିଭାବକ/ଅଭିଭାବିକା ମାନଙ୍କୁ ପ୍ରଦାନ କରିଥିଲେ । ସମସ୍ତେ ପିଲାଙ୍କ ନାମଲେଖାକୁ ସ୍ମରଣୀୟ କରିବା ସହ ନାମଲେଖା ପାଇଁ ଯୋଗ୍ୟ ପିଲାଙ୍କ ସହିତ ନିଜେ ଉପସ୍ଥିତ ରହି ସେମାନଙ୍କର ଏହି ନୂତନ ଶିକ୍ଷା ଯାତ୍ରାକୁ ଭବ୍ୟ ଓ ଅବିସ୍ମରଣୀୟ କରିବାକୁ ଅଭିଭାବକ/ଅଭିଭାବିକା ଓ କମିଟି ସଦସ୍ୟ ମାନଙ୍କୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ବେହେରାପାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଚିତ୍ରଲେଖା ମହାପାତ୍ର, କାନ୍ଥିଡ଼ିଗରା ପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲଳିତ କୁମାର ସାହୁ , ପିପଲ ପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ସେଠୀ ଓ ସିଆରସିସି ହେମନ୍ତ କୁମାର ସାହୁ ଓ ସମ୍ପୃକ୍ତ ଗ୍ରାମର ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ ।