ମାର୍ଚ୍ଚ ୩୦ ରୁ ପରବାଙ୍ଗି ଆଶ୍ରମରେ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ମହିମା  ମେଳା ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଷ୍ଟ୍ରିୟ ହିନ୍ଦୁ ନବବର୍ଷ ଉପଲକ୍ଷେ ସତ୍ୟ ମହିମା ଆଶ୍ରମ ପରବାଙ୍ଗି ଠାରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ମହିମା ମେଳା ମହୋତ୍ସବ-୨୦୨୫ ଅନୁଷ୍ଠିତ ହେବ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ପରବାଙ୍ଗି ସ୍ଥିତ ସତ୍ୟ ମହିମା ଆଶ୍ରମର ମଠାଧୀଶ ସାଧୁ ପ୍ରଭାକର ଦାସଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ ଏନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ବ୍ରହ୍ମଯଜ୍ଞ ମହିମା ମେଳା ମହୋତ୍ସବ ଆସନ୍ତା ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦା ଇଂ. ତା. ୩୦.୦୩.୨୦୨୫ ରିଖ ରବିବାର ଠାରୁ ଆରମ୍ଭ ହୋଇ ତା .୦୧.୦୪.୨୦୨୫ ରିଖ ମଙ୍ଗଳବାର ପର୍ଯ୍ୟନ୍ତ ଚାଲିବ। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଜୀବ ଜଗତର ମଙ୍ଗଳାର୍ଥେ ପ୍ରବୁଦ୍ଧଗୁରୁ ମହିମା ସ୍ଵାମୀ ଏହି ଘୋର କଳିକାଳରେ ସତ୍ୟ ସନାତନ ମହିମା ଧର୍ମ ସ୍ଥାପନ କଲେ। ଚଉଷଠି ସିଦ୍ଧ, ଅନନ୍ତ କୋଟୀ ସାଧୁ ଓ ନିଷ୍କାମି ଗହଣିଆ ଭକ୍ତ ବୃନ୍ଦ ତଥା ଧର୍ମାତ୍ମା ନରନାରୀ ମାନଙ୍କୁ ଧରି ଜୀବଜଗତର ପାପ, ତାପ ବିନାଶାର୍ଥେ ନିଷ୍କାମ ଖେଳ ଲୀଳା ବ୍ରହ୍ମ ଧୂନି ସ୍ଥାପନ ଘୃତବତୀ ବ୍ରହ୍ମାର୍ପଣ ପୂର୍ବକ ମହିମା ବାଲ୍ୟଲୀଳା ପ୍ରକାଶ କରିଅଛନ୍ତି। ମହିମା ସ୍ବାମୀଙ୍କ ପ୍ରଦର୍ଶିତ ପଥ ଅନୁସାରେ ସାଧୁମାନେ ଚାଲିବା ସହ ଦେଶର ବିଭିନ୍ନ ପ୍ରାନ୍ତରେ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ମହିମା ମେଳାର ଆୟୋଜନ କରି ଆସୁଛନ୍ତି। ସେହି କ୍ରମରେ ପ୍ରତିବର୍ଷ ରାଷ୍ଟ୍ରିୟ ହିନ୍ଦୁ ନବବର୍ଷର ଶୁଭ ଅବସରରେ ପରବାଙ୍ଗି ମହିମା ଆଶ୍ରମରେ ସାଧୁ ସନ୍ଥ, ମହାତ୍ମା, ସଜ୍ଜନ ବୃନ୍ଦ ତଥା ବିଶ୍ବବାସୀ ଭଗବତ୍ ପ୍ରେମୀ ଶ୍ରୋତା, ବକ୍ତା, ଦାତା ଓ ଧର୍ମ ପିପାଷୁ ବୃନ୍ଦଙ୍କ ସହଯୋଗରେ ଏହି ମେଳା ଚାଲି ଆସୁଛି। ଚଳିତ ବର୍ଷ ଏହି ବ୍ରହ୍ମଯଜ୍ଞରେ ବ୍ରହ୍ମ ଅବଧୂତ ଭଗବାନ ଦାସଙ୍କ ସମେତ ମହିମା ଧର୍ମାବଲମ୍ବୀ ସିଦ୍ଧ, ସାଧୁ, ବୈରାଗୀ ଓ ଭକ୍ତବୃନ୍ଦ ଯୋଗଦେବେ। ମାର୍ଚ୍ଚ ୩୦ ରବିବାର ଦିନ ସକାଳ ୮ ଘଣ୍ଟା କଳସ ଯାତ୍ରା, ସନ୍ଧ୍ୟା ୬ ଘଣ୍ଟା ବ୍ରହ୍ମଧୂନି ସ୍ଥାପନ ଓ ଯଜ୍ଞାରମ୍ଭ, ରାତ୍ର ୮.୩୦ ପ୍ରବଚନ, ଅହୋରାତ୍ର ନାମ ଭଜନ ଓ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହାପରେ ମାର୍ଚ୍ଚ ୩୧ ସୋମବାର ଦିନ ବ୍ରାହ୍ମ ମୂହୁର୍ତ୍ତରେ ମହାପ୍ରସାଦ ଅର୍ପଣ, ଦିବା ‌୮ଘଣ୍ଟା ଭଜନ ଓ ପ୍ରବଚନ ଅନୁଷ୍ଠିତ ହେବ। ଏହି ମେଳାର ଅନ୍ୟତମ ଆକର୍ଷଣ ଭାବେ ବରଗଡ଼ ଜିଲ୍ଲାର କଳାକାରମାନେ ରାତ୍ର ୮ଘଣ୍ଟାରୁ ଖଞ୍ଜଣୀ ବୈଠକି ପରିବେଷଣ କରିବେ। ଅପ୍ରେଲ ୧ ମଙ୍ଗଳବାର ସକାଳ ୮ ଘଣ୍ଟା ପୂର୍ଣାହୁତି ସହ ୨୦୨୫ ମହିମା ମେଳା କାର୍ଯ୍ୟକ୍ରମର ସମାପନ ହେବ। ସତ୍ୟ ମହିମା ଆଶ୍ରମ ପରବାଙ୍ଗିର ମଠାଧୀଶ ସାଧୁ ପ୍ରଭାକର ଦାସ କାର୍ଯ୍ୟକ୍ରମର ସବିଶେଷ ସୂଚନା ଦେବାସହ ଏହି ଧାର୍ମିକ କାର୍ଯ୍ୟରେ ସମସ୍ତଙ୍କ ଉପସ୍ଥିତି କାମନା କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.