ଫକୀରମୋହନ ବିଶ୍ବବିଦ୍ୟାଳୟରେ ପାଳିତ ହେଲା ଶିକ୍ଷାବିତ ଓ ସାହିତ୍ୟିକ ଚନ୍ଦ୍ରମୋହନ ମହାରଣାଙ୍କ ଜୟନ୍ତୀ ଉତ୍ସବ

ଅଧ୍ୟବସାୟ ହିଁ ଶକ୍ତିର ପରିଚାୟକ ଓ ସଫଳତାର କାରଣ, କହିଲେ କୁଳପତି

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ମାଟିର ବରପୁତ୍ର ବିଶିଷ୍ଟ ଶିକ୍ଷାବିତ ଓ ସାହିତ୍ୟିକ ଚନ୍ଦ୍ରମୋହନ ମହାରଣାଙ୍କ ୧୫୫ତମ ଜୟନ୍ତୀ ଉତ୍ସବ, ଫକୀରମୋହନ ବିଶ୍ବବିଦ୍ୟାଳୟରେ ଇତିମଧ୍ୟରେ ପାଳିତ ହୋଇଯାଇଛି।

ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବ, ଭାଷା ଓ ସାହିତ୍ଯ ବିଭାଗ ଭବନ ସମ୍ମୁଖରେ ସ୍ଥାପିତ ଚନ୍ଦ୍ରମୋହନ ମହାରଣାଙ୍କ ଶିଳା-ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଆରମ୍ଭ ହୋଇଥିଲା। ଏହି ଅବସରର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ବିଶିଷ୍ଟ ଅତିଥି ଭାବେ ପ୍ରଫେସର ଜ୍ଞାନଦେବ ମହାରଣା, ସମ୍ମାନିତ ଅତିଥି ଭାବେ ବିଶ୍ବବିଦ୍ୟାଳୟର ସଂଯୁକ୍ତ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ, ମୁଖ୍ଯବକ୍ତା ଭାବେ ଗବେଷକ, ପ୍ରାବନ୍ଧିକ ଡ଼କ୍ଟର ଅରବିନ୍ଦ ଗିରି ପ୍ରମୁଖ ଯୋଗଦେଇ ଚନ୍ଦ୍ରମୋହନଙ୍କ ଜୀବନୀ, ତାଙ୍କ ରଚନା, କୃତି, ଓଡ଼ିଆ ସାହିତ୍ଯରେ ତାଙ୍କର ଅବଦାନ, ଶିକ୍ଷାବିତ ଭାବେ ତାଙ୍କର ଆଦର୍ଶ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ଭୂମିକା, ଓଡ଼ିଶାର ଶିକ୍ଷା ସଂସ୍କାର ଧାରାରେ ଆଣିଥିବା ପରିବର୍ତ୍ତନ ଇତ୍ୟାଦି ଅନେକ ପ୍ରସଙ୍ଗରେ ଆଲୋକପାତ କରିଥିଲେ।

ମୁଖ୍ଯବକ୍ତା ଡ଼କ୍ଟର ଗିରି, ବରପୁତ୍ରଙ୍କୁ ଜଣେ ଆଦର୍ଶ ଶିକ୍ଷକ ତଥା ଜାତୀୟତାବାଦ ଯୁଗର ସୃଷ୍ଟିକର୍ତ୍ତା ବୋଲି ସମ୍ବୋଧନ କରି ସମାଜସେବା ଓ ସାହିତ୍ଯଚର୍ଚ୍ଚା ତାଙ୍କ ଜୀବନର ଦୁଇଟି ପାର୍ଶ୍ବ ବୋଲି ଉଲ୍ଲେଖ କରିଥିଲେ।

ଏଥିସହିତ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଜ ଉଦବୋଧନରେ, ଚନ୍ଦ୍ରମୋହନଙ୍କ ସାହିତ୍ୟିକ ଅନ୍ତର୍ଦୃଷ୍ଟିକୁ ଆଧାର କରି ତାଙ୍କ ଲିଖିତ ବ୍ୟାକରଣ, ପ୍ରବନ୍ଧ, କବିତା ଆଦି ପଠନ ଦ୍ବାରା ଛାତ୍ରଛାତ୍ରୀମାନେ ନିଜର ଭାଷାଜ୍ଞାନକୁ ଉନ୍ନତ କରିବାନେଇ ଆଶାବ୍ୟକ୍ତ କରିଥିଲେ। ଅଧ୍ୟବସାୟ ସାହାଯ୍ଯରେ ଛାତ୍ରଛାତ୍ରୀମାନେ ନିଜର ଶକ୍ତିକୁ ଜାଗ୍ରତ କରିବା ସହ ସଫଳତାକୁ ପରିପୃଷ୍ଟ କରିପାରିବେ ବୋଲି ସେ ଆଶାପୋଷଣ କରିଥିଲେ।

ଭାଷା ଓ ସାହିତ୍ଯ ବିଭାଗର ମୁଖ୍ଯ ପ୍ରଫେସର ଦେବାଶିଷ ପାତ୍ର କାର୍ଯ୍ୟକ୍ରମର ସଂଯୋଜନା ଓ ସଂଚାଳନା କରିଥିଲେ। ଶେଷରେ ସହକାରୀ ପ୍ରଫେସର ଡ଼କ୍ଟର ଜୟନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.