ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଜଗତସିଂହପୁର ଜିଲ୍ଲାର ସୁନାମଧନ୍ୟ ଗାଳ୍ପିକା ଛବିରାଣୀ ପତି ସଂପ୍ରତି ‘ଗୋକର୍ଣିକା ଗଳ୍ପ ସମ୍ମାନ’ରେ ସମ୍ବର୍ଦ୍ଧିତ ହୋଇଛନ୍ତି। ନିକଟରେ ଯାଜପୁର ଜିଲ୍ଲାର ଜାରକା ସ୍ଥିତ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଗୋକର୍ଣିକା ସାହିତ୍ୟ ସମାଜ’ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଶ୍ରୀମତୀ ପତିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ସଙ୍ଗଠନର ସଭାପତି ତଥା ‘ଗୋକର୍ଣିକା’ ପତ୍ରିକାର ସମ୍ପାଦକ ରମାକାନ୍ତ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାରୋହକୁ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଔପନ୍ୟାସିକା ପଦ୍ମଶ୍ରୀ ଡକ୍ଟର ପ୍ରତିଭା ରାୟ ଏବଂ ଜାତୀୟ ମାନବାଧିକାର କମିଶନ୍, ନୂଆଦିଲ୍ଲୀ, ଜଷ୍ଟିସ ଡକ୍ଟର ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ସହିତ ଏହି ସମ୍ମାନ ସ୍ଵରୂପ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ସମ୍ମାନ ପ୍ରାପ୍ତି ପରେ ଗାଳ୍ପିକା ଶ୍ରୀମତୀ ପତିଙ୍କୁ ଓଡ଼ିଆ ସାହିତ୍ୟର ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ମିଳିବାରେ ଲାଗିଛି । ଶୁଭେଚ୍ଛୁ ମାନଙ୍କ ସମେତ ଗାଳ୍ପିକା ଛବିରାଣୀ ଗୋକର୍ଣିକା ସାହିତ୍ୟ ସମାଜର ସମ୍ପାଦକ ରମାକାନ୍ତ ଜେନାଙ୍କୁ ମଧ୍ୟ କୃତଜ୍ଞତା ଅର୍ପଣ କରିଛନ୍ତି ।