ଓଡିଆ ଜାତିର ମହାନ ପର୍ବ ଚିତାଲାଗି ଅମାବାସ୍ୟା ପଶ୍ଚିମ ଓଡିଶାରେ ହରାଲି ଉଆଁସ ଭାବେ ଖ୍ୟାତ । ଶ୍ରାବଣ ମାସର କୃଷ୍ଣ ପକ୍ଷ ଅମାବାସ୍ୟା ଦିନ ଏହି ପାର୍ବଣ ଅନୁଷ୍ଠିତ ହୁଏ । ଏହି ଅଞ୍ଚଳର ବିଭିନ୍ନ ସଂପ୍ରଦାୟ ହରାଲି ଉଆଁସକୁ ପାରଂପରା ଅନୁକ୍ରମେ କୂଳାଚାର ରିତି ଅନୁସାରେ ପାଳନ କରିଥାନ୍ତି। ଓଡିଶା ବିଶେଷକରି ପଶ୍ଚିମାଞ୍ଚଳରେ ସଂଖ୍ୟା ଗରିଷ୍ଠ ମଗଧା ଯାଦବ ମାନେ ମଧ୍ୟ ଏହି ପର୍ବକୁ ପାରମ୍ପାରିକ ରିତି ନିତି ଅନୁସାରେ ପାଳନ କରିଥାନ୍ତି । ଏହି ପର୍ବ କୃଷି ସହ ସମନ୍ଧିତ ଏକ ମହାନ ପାର୍ବଣ ଓ ଏହି ପାର୍ବଣ ମଧ୍ୟରେ ଅନ୍ତର୍ନିହିତ ହୋଇ ରହିଛି ମଗଧା ଯାଦବଙ୍କ ପୂର୍ବ ଗୌରବର ଗାଥା, ଯାହା ହରାଲି ଉଆଁସର ଛତ୍ରେ ଛତ୍ରେ ପରିଦୃଷ୍ୟ ହୁଏ ।
ଗୋ ବନ୍ଦାଣ ଓ ଗୁହାଳ ପୂଜା
ହରାଲି ଉଆଁସ ଦିନ ଯାଦବ ରମଣୀ ଓ ଗୃହକର୍ତ୍ତା ସକାଳୁ ଗାଧୁଆ ପାଧୁଆ ସାରି ଗୁହାଳକୁ ଯାଇ ଗାଇ ଗୋରୁଙ୍କୁ ହଳଦୀ ମିଶ୍ରିତ ଚାଉଳରେ ବନ୍ଦାପନା କରି ସାଷ୍ଟାଙ୍ଗ ପ୍ରଣାମ କରି ଜାଣତ ଅଜାଣତରେ ହୋଇଥିବା ଭୂଲ ପାଇଁ କ୍ଷମା ପ୍ରାର୍ଥନା କରନ୍ତି । ଏହାପରେ କୃଷିକ୍ଷେତ୍ରରେ ଆନୁସାଙ୍ଗିକ ପୂଜାପାଠ, ଚରଡାଙ୍ଗ, ଗୃହ ଦେବାଦେବୀ ଆରଧନା ଆଦି ସାରିବାପରେ ଗୁହାଳ ଦେବତାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ମଗଧା ଯାଦବଙ୍କ ୧୨୦ ବଂଶ/ଗୋତ୍ର ମଧ୍ୟରୁ କେତେକ ଗୁହାଳରେ ଶୁକ୍ଲାହାର ସହ ପୂଜାବିଧି ସାରୁଥିବା ସମୟରେ ଅନ୍ୟ କେତେକ ବଂଶ ରକ୍ତାହାର ଦେଇଥାନ୍ତି । ଗୁହାଳ ପୂଜାପରେ ବନ୍ଧୁ ବାନ୍ଧବ ଭାଇଦାଇ ସହ ମିଶି ସନ୍ଧ୍ୟାରେ ଭୋଜି ଭାତ କରି ଖାଇଥାନ୍ତି ।
କେନ୍ଦୁ ବୃକ୍ଷ ପୂଜା, ଖେନା ଗାଡା ଓ କ୍ଷେତ ପୂଜା
ଯାଦବ ସଂସ୍କୃତିରେ କେନ୍ଦୁ ବୃକ୍ଷର ବିଶେଷ ମହତ୍ବ ରହିଛି । କେନ୍ଦୁ ଠେଙ୍ଗା ଯାଦବଙ୍କ ମହାନ ଅସ୍ତ୍ର ଭାବେ ପରିଗଣିତ ହୁଏ । ହରାଲି ଉଆଁସ ଦିନ ଗୋ ବନ୍ଦାଣ ପରେ ଚାଷୀ କୃଷି କ୍ଷେତ୍ରକୁ ଯାଇ କେନ୍ଦୁ ବୃକ୍ଷକୁ କ୍ଷୀର,ଅରୁଆ ଚାଉଳ,ଦୁବପତ୍ର,ବରପତ୍ର ଓ ଫୁଳଦେଇ ବନ୍ଦାପନା କରିଥାନ୍ତି ଓ ସେହି ବୃକ୍ଷରୁ ଏକ ଶାଖା (ଖେନା) ନେଇ କ୍ଷେତରେ ସ୍ଥାପନ କରିଥାନ୍ତି ।
କୃଷି କ୍ଷେତ୍ରରେ ଏହି ସମୟରେ ବେଉଷଣ ସରିଯାଇଥିବା ବେଳେ ତଳି ରୋପିବା କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥାଏ । ଫସଳକୁ କଙ୍କଡା ମାନଙ୍କ ଉପଦ୍ରବରୁ ରକ୍ଷା କରିବାପାଇଁ କ୍ଷେତରେ ଚିତାଉ ପିଠା ପୋତାଯାଇ କ୍ଷେତ୍ର ପୂଜା କରାଯାଏ । କିମ୍ବଦନ୍ତି ଅନୁସାରେ ପୂର୍ବେ ମଗଧା ଯାଦବ ମାନେ ରାଜ୍ୟ ରକ୍ଷା କରୁଥିଲେ । ଏମାନେ କୃଷି କର୍ମ ସାରି କ୍ଷେତରେ ବିଜୟର ପ୍ରତିକ ଭାବେ କେନ୍ଦୁ ଶାଖା ସ୍ଥାପନ କରୁଥିଲେ ଓ ଏହାପରେ ସୀମାକୁ ଚାଲି ଯାଉଥିଲେ । କଳିଙ୍ଗ ସମ୍ରାଟ ମହାମେଘବାହାନ ଐର ଖାରବେଳ ଏହି ଅଞ୍ଚଳ (ଆଟବିକ ବିଦ୍ୟାଧର ରାଜ୍ୟ) ର ସୈନ୍ୟ ମାନଙ୍କୁ କଳିଙ୍ଗର ସୀମା ସୁରକ୍ଷା ଭାର ନୈସ୍ତ କରିଥିଲେ, ଯାହା ଇତିହାସର ପୃଷ୍ଠା ଅବଳୋକନ କଲେ ଜଣା ପଡିଥାଏ ।
ଚର ଡାଙ୍ଗ
ଗ୍ରୀଷ୍ମ ଋତୁରୁ ଗାଇର ଗୋବରକୁ ସୁଖାଇ ରଖାଯାଇଥାଏ । ହରାଲି ଉଆଁସ ଦିନ ଏହି ସୁଖା ଗୋବରକୁ ଏକ ମାଟି ପାତ୍ର (ତେଲେନ୍) ରେ ରଖି ନିଆଁ ଜଳାଇ ଦିଆଯାଏ । ଏଥିରେ ଚର ଡାଙ୍ଗକୁ ଗରମ କରାଯାଇ ଛୋଟ ଛୋଟ ଶିଶୁଙ୍କ ପେଟ ଓ ବଡ ମାନଙ୍କ ଆଣ୍ଠୁ ଗଣ୍ଠୀ, ଗଳା ଆଦିରେ ଚେଙ୍କ ଦିଆଯାଏ । ଏପରି କରିବା ଦ୍ବାରା ଶିଶୁ ମାନଙ୍କ ଉଦର ସମନ୍ଧିୟ ରୋଗ ବିନାଶ ହେବାସହ ବଡ ମାନଙ୍କ ବାତ ରୋଗ ନାଶ ହୋଇଥାଏ ।
ପିତୃ ଉପାସନା
ମଗଧା ଯାଦବଙ୍କ ପ୍ରତ୍ୟେକ ପାର୍ବଣ ପିତୃ ଉପାସନାର ବିବର୍ତ୍ତିତ ରୂପ । ପିତୃ ପୁରୁଷଙ୍କ ପ୍ରତି କୃତଜ୍ଞ ହୋଇ ଏମାନେ ପ୍ରତ୍ୟେକ ଅନୁଷ୍ଠାନରେ ପିତୃ ଉପାସନା କରିଥାନ୍ତି । ହରାଲି ଉଆଁସ ଦିନ ପିତୃ ପୁରୁଷଙ୍କୁ ମସାନ କୁନାରେ ମନସା ଆଦରା କରି ଅସ୍ତ୍ର ଶସ୍ତ୍ର ପୂଜା କରାଯାଇ ପିଠା, କ୍ଷିରୀ, ଅର୍ଣ୍ଣ ବ୍ୟଞ୍ଜନ ଭୋଗ ଲଗାଯାଇଥାଏ ।
ମଉଜ ମଜଲିସର ଦିନ
କୃଷି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାରୁ ଚାଷୀର ମନ ଖୁସିଥାଏ । ଏହି ଦିନ ବିଳକୁ ବଳଦ ଯାଏନାହିଁ । କୃଷି କର୍ମ ବନ୍ଦ ରୁହେ । ଯାଦବ ସଂପ୍ରଦାୟର ଅନ୍ୟାନ୍ୟ ବର୍ଗ ସାକାହାରୀ ହୋଇଥିବା ସ୍ଥଳେ ମଗଧା ଯାଦବ ମାନେ ମାଂସାହାରୀ ହୋଇଥାନ୍ତି । ଏମାନେ ମଗଧ ସମ୍ରାଟ ଜରାସନ୍ଧଙ୍କ ବଂଶଧର ଭାବେ ରାଜକିୟ ଖାଦ୍ୟ ପେୟରେ ରୁଚି ରଖିଥାନ୍ତି । ତେଣୁ ହରାଲି ଉଆଁସ ଦିନ ଛେଳି, କୁକୁଡା ଆଦି ମାରି ବନ୍ଧୁ ବାନ୍ଧବ, ହଳିଆ ତୁଳିଆ ଆଦିଙ୍କୁ ଡାକି ଭୁରି ଭୋଜନରେ ଆପ୍ୟାୟିତ କରି ମଉଜ ମଜଲିସରେ ଦିନ କାଟିଥାନ୍ତି ।
ଉପସଂହାର
କେଉଁ ଏକ ସ୍ମରଣାତିତ ସମୟରୁ ହରାଲି ଉଆଁସ ପାଳିତ ହୋଇ ଆସୁଛି । ପିତୃ ପୁରୁଷ ଅନୁକ୍ରମେ ପିଢି ପରେ ପିଢି କୂଳାଚାର ଅନୁସାରେ ଏହା ସଂଘଟିତ ହୋଇ ଆସୁଥିବା ଏହି ମହାନ ପାର୍ବଣ ଭିତରେ ମଗଧା ଯାଦବ ସଂସ୍କୃତିର ବିବିଧ ଦିଗ ବିଷୟରେ ଜାଣିହୁଏ । ଏହି ପର୍ବର ପ୍ରଚ୍ଛଦ ପଟ୍ଟରେ ପିତୃ ପୁରୁଷଙ୍କୁ ସମ୍ମାନ ଜଣାଇବା ସହ ଗୋପାଳନ, କୃଷିକାର୍ଯ୍ୟ, ରାଜ୍ୟରକ୍ଷା, ସାମାଜିକ ସଂହତି ଓ ଉଦାର ଭାବ ଜଳ ଜଳ ହୋଇ ଦିଶିଯାଏ ।
ସୁନୀଲ କୁମାର ଧଙ୍ଗଡାମାଝୀ
ସଂପାଦକ, ଓଡ଼ିଆ ବାର୍ତ୍ତା