କାଳ ବୈଶାଖୀର କରାଳ ରୁପ: ଉଜାଡି ଦେଲା କଦଳୀ ଓ ଆଖୁ ଚାଷ, ଉଡାଇ ନେଲା ଘରର ଆଜବେଷ୍ଟ ଛାତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ କାଳ ବୈଶାଖୀ ପ୍ରହାରରେ ଅନେକ କ୍ଷୟ କ୍ଷତି ହୋଇଛି। ସ୍ଥାନେ ସ୍ଥାନେ ଗଛ ଡାଳ ଭାଙ୍ଗି ଯାଇଥିବା ବେଳେ କାହା ଘରର ଛାତ ଉଡାଇ ନେଇ ବହୁ ଦୂରରେ ନିକ୍ଷେପ କରିଛି ତ ଚାଷୀର ଫସଲ ଉଜାଡି ଦେଇଛି। ଠିକ ସନ୍ଧ୍ୟା ୬.୩୦ ସମୟରେ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ଖୁବ ଯୋରରେ ପବନ ବୋହି ଗଛ ଡାଳ ମୋଡ଼ି ପକାଇଥିଲା। ଏହାପରେ ବର୍ଷା ସାଙ୍ଗକୁ କୁଆ ପଥର ମଧ୍ୟ ପଡିଥିଲା। ମାତ୍ର ଅଧ ଘଣ୍ଟାର ତାଣ୍ଡବରେ ଛିନ ଛତ୍ର କରି ପକେଇଲା କାଳ ବୈଶାଖୀ।

ନର୍ଲାର ମୁଖ୍ୟ ରାସ୍ତା ଉପରେ ଘଣ୍ଟମାଳରୁ ଦେହେଲି ମଧ୍ୟରେ ଅନେକ ସ୍ଥାନରେ ଗଛ ପଡି ରାସ୍ତା ଜାମ ହୋଇଥିଲା। ନର୍ଲା ଅଗ୍ନିଶମ ଵିଭାଗ ତରଫରୁ ଗଛ ଡାଳ ସବୁ କାଟି ରାସ୍ତା ସଫା କରିବା ପରେ ଗାଡ଼ି ମୋଟର ଚାଲିବା ସ୍ୱାଭାବିକ ହୋଇଥିଲା। ବୁଧବାର ସନ୍ଧ୍ୟାର କାଳ ବୈଶାଖୀ ମାଡ଼ରେ ସର୍ବସ୍ବାନ୍ତ ହୋଇ ପଡ଼ି ବାସହରା ହୋଇଛନ୍ତି ଘଣ୍ଟମାଳ ଗ୍ରାମ ପଞ୍ଚାୟତ ତିଲେଇମାଳର କ୍ଷୁଦ୍ର ବ୍ୟବସାୟୀ ତନୁ ନାଗ। ସେ ଋଣ କରି ରାସ୍ତା କଡରେ ନିଜେ ରହିବା ପାଇଁ ଘର ଦୁଇ ବଖରା ଓ ତିନୋଟି ଦୋକାନ ଗୃହ କରି କୁଟୁମ୍ବ ପ୍ରତିପୋଷଣ କରୁଥିଲେ। ବୁଧବାର ସନ୍ଧ୍ୟା କାଳ ବୈଶାଖୀ ତାଙ୍କ ଘର ଓ ଦୋକାନ କ୍ୱାର୍ଟର ଗୁଡିକର ଆଜବେଷ୍ଟ ଛାତ ସମେତ ଲୁହା ପାଇପ ଗୁଡିକ ବହୁତ ଦୂର ଏକ ଚାଷ ଜମିରେ ନିକ୍ଷେପ କରିଛି। ତନୁ ନାଗ ନର୍ଲା ଆର ଆଇ ଏବଂ ତହସିଲଦାରଙ୍କୁ ଏ ନେଇ ଲେଖି ଜଣାଇଛନ୍ତି। ଆର ଆଇ ଆଜି ଛୁଟି ଆସନ୍ତା କାଲି ଦେଖିବା ପାଇଁ ଆସିବାକୁ କହିଥିବା ପ୍ରକାଶ କରିବା ସହ ଏବେ ପଡୋଶୀ ଘରେ ମୁଣ୍ଡ ଗୁଞ୍ଜିଥିବା କହିଛନ୍ତି।

ସେହିଭଳି କାଳ ବୈଶାଖୀ ପ୍ରଭାବରେ ସେହି ଗାଁର ଲଛମନ ବାଗଙ୍କ କାଠ ଆଜ ବେଷ୍ଟ ଗୁହାଳ ଓ ଘର ଭାଙ୍ଗି ଯାଇଛି। ସରକାରୀ ଯୋଜନାରେ ଘଣ୍ଟମାଳର ଚାଷୀ ଦିନମଣି ସା ଷ୍ଟେଟ ବ୍ୟାଙ୍କରୁ ଋଣ ଆଣି ତିଲେଇମାଳ ସ୍ଥିତ ନିଜ ଏକ ଏକର ଜମିରେ କଦଳୀ ଚାଷ କରିଥିଲେ। କଦଳୀ ଗଛ ଗୁଡିକ କାନ୍ଧି ଧରିଥିଲା। ହେଲେ କାଳ ବୈଶାଖୀ ଉଜାଡି ଦେଇଛି ଚାଷକୁ। କଦଳୀ କାନ୍ଧି ସହ ଗଛ ଗୁଡିକୁ ମୋଡି ଭାଙ୍ଗି ଦେଇଛି। ସମସ୍ତ ଖର୍ଚ୍ଚ ଯାଇ ଅଢେଇ ଲକ୍ଷ ଟଙ୍କା ପାଇଥାନ୍ତି। ହେଲେ କାଳ ସାଜିଲା କାଳ ବୈଶାଖୀ। ଏବେ ଋଣ କେମିତି ଶୁଝିବି? ପରିବାର କେମିତି ପ୍ରତି ପୋଷଣ କରିବି ବୋଲି ମୁଣ୍ତରେ ହାତ ଦେଇ ଭାଲେଣି କରୁଛନ୍ତି। ସେହିଭଳି ଉକ୍ତ ଗ୍ରାମ ମଝୀ ପଡାର ନିରଞ୍ଜନ ନାଗ ଳଙ୍କ ଘର ଭାଙ୍ଗି ଯାଇଥିବା ବେଳେ ଉମେଶ ଚନ୍ଦ୍ର ନାଗଙ୍କ ଆଖୁ କିଆରୀକୁ ଧ୍ୱଂସି ଦେଇଛି କାଳ ବୈଶାଖୀ। ମାତ୍ର ଅଧ ଘଣ୍ଟାର ତାଣ୍ଡବାରେ ନର୍ଲା ଅଞ୍ଚଳରେ ଅନେକ କ୍ଷୟ କ୍ଷତି କରି କରାଳ ଚିତ୍ର ଛାଡି ଯାଇଛି କାଳ ବୈଶାଖୀ। ସରକାର କ୍ଷୟ କ୍ଷତି ଆକଳନ କରି କ୍ଷତି ସହିଥିବା ଚାଷୀ ଓ ଗରୀବ ବାସହରାଙ୍କୁ ତୁରନ୍ତ କ୍ଷତପୂରଣ ପ୍ରଦାନ କରନ୍ତୁ ବୋଲି ସାଧାରଣ ରେ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.