ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମିସ୍ତ୍ରୀଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର(ପଦ୍ମନ ଭତ୍ରା): ଆବାସ ଘର ଛାତ ଉପରେ ରଡ଼ କାମ କରୁଥିବା ବେଳେ ହାତରେ ଧରିଥିବା ଲୁହା ରଡ଼ ହଟାତ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତକ ହେଲେ ଲଖଣ ମାଝୀ(୩୦) ବୋଲି ଜଣାପଡ଼ିଛି।ଏହି ଅଘଟଣ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାମୁଣ୍ଡି ଗାଁରେ ଘଟିଛି। ସୂଚନା ଅନୁଯାୟୀ, ଲଖଣ ମାଝୀ ଇନ୍ଦ୍ର ମାଝୀଙ୍କ ଆବାସ ଘର ଛାତ ଉପରେ ରଡ଼ କାମ କରୁଥିବା ସମୟରେ ତାଙ୍କ ହାତରେ ଥିବା ଲୁହା ରଡ଼ ହଠାତ୍ ଘର ଉପରେ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ସେ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ।ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ। ହେଲେ ସେଠାରେ କାର୍ଯ୍ୟରତ ଡାକ୍ତର ପବନ କୁମାର ବଚ୍ଛା ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଡଙ୍ଗାମୁଣ୍ଡି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ବିଜେପୁର ପୋଲିସ ଖବର ପାଇ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦେଇ ଅଧିକ ତଦନ୍ତ ଆରମ୍ଭ କରୁଥିବା କହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.