ସୁନୀଲ ଧଙ୍ଗଡାମାଝୀଙ୍କ ସିଧା କଥା : ରାସ୍ତାକୁ ମରଣଯନ୍ତା କରିଦେଲା ବେଦାନ୍ତ

ଯେତେବେଳେ କଳାହାଣ୍ଡିର ଲାଞ୍ଜିଗଡକୁ ବେଦାନ୍ତ ଆସିଲା ସମସ୍ତେ ଆଶା କରୁଥିଲେ ଏହି ଅଞ୍ଚଳ ସହ ଜିଲ୍ଲାର ଚିତ୍ର ବଦଳିବ । କିନ୍ତୁ ଏକରେତ କିଛି ହେଲାନାହିଁ ଓଳଟା ରାସ୍ତାକୁ ମରଣଯନ୍ତା କରି ଦେଇଛି ବେଦାନ୍ତ । ବେଦାନ୍ତର ଶହ ଶହ ଗାଡି ଯିବା ଆସିବା କରିବା ଫଳରେ ରାସ୍ତାର ଅବସ୍ଥା ବେହାଲ ହୋଇଯାଉଛି । ରାସ୍ତା ଖାଳଖମାରେ ଭର୍ତ୍ତି ହୋଇଯାଇଥିବା ବେଳେ ପ୍ରତ୍ୟହ ଛୋଟବଡ ଦୂର୍ଘଟଣା ଘଟି ଚାଲିଛି । ବେଦାନ୍ତ କମ୍ପାନୀକୁ ଆସୁଥିବା ଗାଡିସବୁ ପାଷ୍ଟିକୁଡି – ଦେପୁର – ଛତିକୁଡା – ସାନ୍ତପୁର – କିଡିଂ – ପୋଖରିବନ୍ଧ – ଅମ୍ବାଦୋଲା – ଦଇଖାଲ ଦେଇ ବେଦାନ୍ତକୁ ଯାଇଥାଏ । ଏହି ରାସ୍ତା ଆଉ ରାସ୍ତା ହୋଇ ନାହିଁ । ଖାସ କରି ବେଦାନ୍ତ ଗାଡି ଚଳାଚଳ ପାଇଁ ହିଁ ରାସ୍ତା କଦର୍ଯ୍ୟ ହୋଇ ଅନେକ ସମୟରେ ସଡକ ଦୂର୍ଘଟଣା ଘଟି ଜନ ଜୀବନ ହାନି ହେଉଛି ।

ରାସ୍ତା ବେହାଲ ହୋଇ ଯାଇଥିଲେ ମଧ୍ୟ ବେଦାନ୍ତ କମ୍ପନୀ ପକ୍ଷରୁ ଏହାର ମରାମତି କିମ୍ବା ଆନୁସଙ୍ଗିକ ବ୍ୟବସ୍ଥା କରାଯାଉନାହିଁ । ସବୁ ଦେଖି ସବୁ ଜାଣି ଜିଲ୍ଲା ପ୍ରଶାସନ ମଧ୍ୟ ଆଖିବୁଜି ଦେଇଛି ।  ସବୁବେଳେ ଜନତା ତଥା ପ୍ରଶାସନ ରାସ୍ତା ନିର୍ମାଣ କରୁଥିବା ଠିକାଦାର ଉପରେ ଦୋଷ ଲଦିଥାନ୍ତି । ଠିକାଦାର ଭଲ କାମ କରୁନାହିଁ, ରାସ୍ତା ନିର୍ମାଣରେ ଅନିୟମିତା ହୋଇଛି, ଦୂର୍ନିତି ବଢିଛି ଇତ୍ୟାଦି କିନ୍ତୁ କେହିବି ନଜର ଦିଅନ୍ତି ନାହିଁ ଏହି ରାସ୍ତାକୁ ଖରାପ କରୁଛି କିଏ ? ଯେଉଁ ମାତ୍ରାରେ ବେଦାନ୍ତର ଗାଡି ଏହି ରାସ୍ତାରେ ଯାଉଛି, ଯେତେ ଭଲ କାମ କଲେ ମଧ୍ୟ ରାସ୍ତା ତିଷ୍ଟିବ ନାହିଁ । 

ଭବାନିପାଟଣା ବ୍ଲକର ଦେପୁର ଠାରୁ ନର୍ଲା ବ୍ଲକର ଛତିକୁଡା ଛକ ସେଠାରୁ ଲାଞ୍ଜିଗଡ ବ୍ଲକର କିଡିଂ – ପୋଖରିବନ୍ଧ ସେଠାରୁ ମୁନିଗୁଡା ବ୍ଲକର ଅମ୍ବାଦୋଲା – ଦଇଖାଲ ଦେଇ ଯାଇଥିବା ରାସ୍ତା ମରଣଯନ୍ତା ପାଲଟିଛି । ରାସ୍ତା ସାରା ଶହ ଶହ ଗାଡି ମଟର ଯାତାୟତ କରୁଥିବାରୁ ଅନେକ ସ୍ଥାନରେ ବଡ ବଡ ଖାଳ ଖମା ହୋଇ ଗମନା ଗମନ ପାଇଁ ଅନୁପଯୁକ୍ତ ହୋଇପଡିଛି । ଏହି ରାସ୍ତାରେ ସବୁବେଳେ ଛୋଟ ବଡ ଦୂର୍ଘଟଣା ଘଟି ଚାଲିଥିବା ବେଳେ ରାସ୍ତା ଅବସ୍ଥା ପୁରା କଦର୍ଯ୍ୟ ହୋଇପଡି ଥିବାରୁ ତିନି ଦିନ ହେଲା ରାସ୍ତା ଜାମ ହୋଇପଡିଛି ।

ସିକେରକୁପା ଛକ ଠାରୁ ଟିକିଏ ଆଗକୁ ଯିବାପରେ ସେଠାରୁ ପୋଖରି ବନ୍ଧ ପର୍ଯ୍ୟନ୍ତ ଶହ ଶହ ମାଳବାହୀ ଗାଡି ଠିଆ ହୋଇ ରହିଛି । ଯାହା ଫଳରେ ସାଧାରଣରେ ଜୀନଯାତ୍ରା ବ୍ୟାହତ ହୋଇଛି ।  ଗତ ଶନିବାର ଦିନ ବେଦାନ୍ତ ଗାଡି ସହ ଅନ୍ୟ ତିନୋଟି ଟ୍ରକ ପିଟି ହୋଇ ଦୂର୍ଘଟଣାଗ୍ରସ୍ଥ ହୋଇଛି । ରାସ୍ତାରେ ଗାଡି ମଟର ଜାମ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି କରିଥିବା ବେଳେ ସୋମବାର (୧୯/୮) ପୋଲିସ ବଳ ଆସି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଗାଡି ପାର କରାଇ ହାଲିଆ ହୋଇ ଯାଇଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ବେଦାନ୍ତ କମ୍ପାନୀକୁ ଆସୁଥିବା ଗାଡିସବୁ ପାଷ୍ଟିକୁଡି – ଦେପୁର – ଛତିକୁଡା – ସାନ୍ତପୁର – କିଡିଂ – ପୋଖରିବନ୍ଧ – ଅମ୍ବାଦୋଲା – ଦଇଖାଲ ଦେଇ ବେଦାନ୍ତକୁ ଯାଇଥାଏ । ଜନତାଙ୍କ ଅଭିଯୋଗ ହେଲା ବେଦାନ୍ତ କମ୍ପାନୀ ପାଇଁ ରାସ୍ତା ଖରାପ ହେଉଛି, କିନ୍ତୁ ରାସ୍ତା ସୁଧାରିବାକୁ ବେଦାନ୍ତ ଧ୍ୟାନ ଦେଉନାହିଁ । ଏହି ରାସ୍ତା ବଳରେ ବେଦାନ୍ତ କୋଟି କୋଟି ଟଙ୍କା ଫାଇଦା ମାରୁଥିବା ସମୟରେ ଏହାର ରକ୍ଷଣା ବେକ୍ଷଣ ନକରିବା ପରିତାପର ବିଷୟ ଅଟେ । ଏମିତିରେ ବେଦାନ୍ତ ଲାଞ୍ଜିଗଡକୁ ଆସିବାପରେ ଏଅଞ୍ଚଳର ଜୀବନ ଧାରଣର ମାନରେ ପରିବର୍ତ୍ତନ ହେବା ପରିବର୍ତ୍ତେ ସାଧାରଣ ଜନତା କଷ୍ଟକର ଜୀବନ ଜାପନ କରୁଛନ୍ତି । ବେଦାନ୍ତର ଶହ ଶହ ମାଳବାହୀ ଗାଡି ଯୋଗୁଁ ବାୟୁ ପ୍ରଦୂଷଣ ବଢିବା ସହ ରାସ୍ତାର ଅବସ୍ଥା ସୋଚନୀୟ ହୋଇପଡିଛି ।

ସାଧାରଣ ଜନତା ଯେତେବେଳେ ଏହି ରାସ୍ତାରେ ଜରୁରୀ କାମରେ ଯାଉଛି ତ ତାକୁ ଯମ ଯନ୍ତ୍ରଣା ସହିବାକୁ ପଡୁଛି । ରୋଗୀ ଟିଏକୁ ଆମ୍ବୁଲାନସରେ ନେଇ ଯିବା ସମୟର କଷ୍ଟ ଅନୁଭବି ହିଁ ଜାଣି ପାରିବ । ରାସ୍ତାର ଖରାପ ଅବସ୍ଥା ପାଇଁ ବେଦାନ୍ତ ହିଁ ଦାୟୀ, ତେଣୁ ପ୍ରଶାସନ ଏହା ଉପରେ ବିହିତ ପଦକ୍ଷେପ ନେଉ ନହେଲେ ଆଗକୁ ଜନ ଆନ୍ଦୋଳନ ହେବା ଜଳ ଜଳ ଦିଶୁଛି ବୋଲି ଜିଲ୍ଲାର ବୁଦ୍ଧିଜିବୀ ମହଲରୁ ମତ ପ୍ରକାଶ ପାଇଛ ।

ସୁନୀଲ କୁମାର ଧଙ୍ଗଡାମାଝୀ

Editor odiabarta.in

For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Click here to get daily News  & Views update 👇
https://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.