‘ପରିବେଶ ଫାଉଣ୍ଡେସନ’ ଓ ସେନାବାହିନୀ ପକ୍ଷରୁ ଚାନ୍ଦିପୁର ଡିଆରଡିଓ ପରିସରରେ ବିଶ୍ୱ ପରିବେଶ ଦିବସ ପାଇଁ ଅନୁଷ୍ଠିତ ହେଲା ମିଳିତ ବୃକ୍ଷରୋପଣ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆଜି ବିଶ୍ୱ ପରିବେଶ ଦିବସ ଅବସରେ ଚାନ୍ଦିପୁରସ୍ଥିତ ଡିଆରଡିଓ ଷ୍ଟେସନ ହେଡ୍‌କ୍ୱାର୍ଟର୍ସ ଓ ସାମାଜିକ ସଂଗଠନ ‘ପରିବେଶ ଫାଉଣ୍ଡେସନ’ର ମିଳିତ ଉଦ୍ୟମରେ ଏକ ବୃହତ୍ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡିଆରଡିଓ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ପୃଥିବୀର ସୁରକ୍ଷା ଓ ସବୁଜିମାର ପୁନରୁଦ୍ଧାର ପାଇଁ ସାଧାରଣରେ ଜାଗରଣ ସୃଷ୍ଟି କରିବା। ବ୍ୟାପକ ବୃକ୍ଷରୋପଣ ପରେ ଉପସ୍ଥିତ ସମସ୍ତେ ପରିବେଶ ସୁରକ୍ଷା, ପ୍ଲାଷ୍ଟିକ ମୁକ୍ତ ଚାନ୍ଦିପୁର ଗଠନ ଓ ପ୍ରକୃତିର ଯତ୍ନ ନେବା ପାଇଁ ସମୂହ ଶପଥ ଗ୍ରହଣ କରିଥିଲେ।

ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଷ୍ଟେସନ ହେଡ୍‌କ୍ୱାର୍ଟର୍ସର କମାଣ୍ଡେଣ୍ଟ ସନ୍ତୋଷ କୁମାର ପଣ୍ଡା କହିଲେ, ଦେଶ ସୁରକ୍ଷା ସହିତ ମାଟି ଓ ପ୍ରକୃତିର ସୁରକ୍ଷା ମଧ୍ୟ ଆମର ପରମ କର୍ତ୍ତବ୍ୟ। ଡିଆରଡିଓ ପରି ଗୁରୁତ୍ୱପୂର୍ଣ୍ଣ ସାମରିକ କ୍ଷେତ୍ରରେ ଏଭଳି ସବୁଜ ଅଭିଯାନ ଅଞ୍ଚଳର ପାରିପାର୍ଶ୍ୱିକ ସନ୍ତୁଳନ ରକ୍ଷାରେ ସହାୟକ ହେବ।

‘ପରିବେଶ ଫାଉଣ୍ଡେସନ’ର ମୁଖ୍ୟ ଗୋବିନ୍ଦ ବଲ୍ଲଭ ଦଳାଇ ଗ୍ଲୋବାଲ ୱାର୍ମିଂ ଓ ଜଳବାୟୁ ପରିବର୍ତ୍ତନର ଭୟାବହତା ଉପରେ ଆଲୋକପାତ କରି ‘ଗଛଟିଏ ଲଗାନ୍ତୁ, ଜୀବନ ବଞ୍ଚାନ୍ତୁ’ ବାର୍ତ୍ତା ଦେଇଥିଲେ। ଚାରା ରୋପଣ କରି ତାକୁ ବୃକ୍ଷରେ ପରିଣତ କରିବା ପର୍ଯ୍ୟନ୍ତ ଯତ୍ନ ନେବାକୁ ସେ ସଂକଳ୍ପବଦ୍ଧ ହେବାକୁ ଅନୁରୋଧ କରିଥିଲେ। ଏହି ଅଭିଯାନରେ ସେନା ଅଧିକାରୀ, ଯବାନ, ପରିବେଶବିତ୍, ଅବସରପ୍ରାପ୍ତ ସେନା ଅଧିକାରୀ ଏବଂ ଯୁବ ବିକାଶ ଓ ପରିବେଶ ଫାଉଣ୍ଡେସନର ସ୍ୱେଚ୍ଛାସେବୀମାନେ ସକ୍ରିୟ ଭାଗ ନେଇଥିଲେ। ଏଥିରେ ବୃକ୍ଷରୋପଣ ବିଶେଷଜ୍ଞ ଶ୍ରୀ ସତ୍ୟ ନାରାୟଣ ଦାଶ, ଅସିତ ଦଳାଇ, ସୁବାସ ଖୁଣ୍ଟିଆ ପ୍ରମୁଖ ସହଯୋଗ କରିଥିଲେ। ଏହି ପ୍ରଶଂସନୀୟ ପଦକ୍ଷେପକୁ ବାଲେଶ୍ୱର ବୁଦ୍ଧିଜୀବୀ ମହଲରେ ବ୍ୟାପକ ସ୍ୱାଗତ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.