ବିଜୟ ପରେ ଶୁଭେଚ୍ଛାର ସୁଅ, ବରିଷ୍ଠ ନେତା ଓ ଜନପ୍ରତିନିଧିଙ୍କ ଅଭିନନ୍ଦନ
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): କୋରାପୁଟ ଆଞ୍ଚଳିକ ବଜାର କମିଟି (RMC)ର ନିର୍ଦ୍ଦେଶକ ପଦବୀ ପାଇଁ ଅନୁଷ୍ଠିତ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ସମାଜସେବୀ ଜଗଦୀଶ ଖୋସ୍ଲା। ନିର୍ବାଚନରେ ତାଙ୍କ ପ୍ରତି ମିଳିଥିବା ବ୍ୟାପକ ସମର୍ଥନ ପରେ କଂଗ୍ରେସ ମହଲ ସମେତ ଚାଷୀ, ବ୍ୟବସାୟୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି।
ଜଗଦୀଶ ଖୋସ୍ଲାଙ୍କ ବିଜୟ ପରେ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି। ଦୀର୍ଘଦିନ ଧରି ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସକ୍ରିୟ ଥିବା ଶ୍ରୀ ଖୋସ୍ଲାଙ୍କୁ RMC ନିର୍ଦ୍ଦେଶକ ଭାବେ ମିଳିଥିବା ବିପୁଳ ସମର୍ଥନ ତାଙ୍କ ପ୍ରତି ଥିବା ଆସ୍ଥାର ପ୍ରତିଫଳନ ବୋଲି ସମର୍ଥକମାନେ କହିଛନ୍ତି। ତାଙ୍କ ବିଜୟ ପରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁତା, ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ, ଜିଲ୍ଲା କଂଗ୍ରେସ ସଭାପତି ଡା. ରୂପକ ତୁରୁକ, ସାଂସଦ ପ୍ରତିନିଧି ବାବୁଲା ବେନିଆ, ମନୋଜ ଆଚାର୍ଯ୍ୟଙ୍କ ସମେତ ଅନେକ ବରିଷ୍ଠ ନେତା ଓ ଜନପ୍ରତିନିଧି ଜଗଦୀଶ ଖୋସ୍ଲାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ନିଜ ବିଜୟ ପରେ ଜଗଦୀଶ ଖୋସ୍ଲା କହିଛନ୍ତି, “କୋରାପୁଟ RMCର ନିର୍ଦ୍ଦେଶକ ପଦବୀ ପାଇଁ ଚାଷୀ ଭାଇ ଓ ଭଉଣୀମାନେ ମୋତେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇଥିବାରୁ ସମସ୍ତଙ୍କୁ ମୋର ଅନ୍ତରିକ ଧନ୍ୟବାଦ ଓ କୃତଜ୍ଞତା। ଆପଣମାନଙ୍କର ଭଲପାଇବା, ବିଶ୍ୱାସ ଓ ଆଶୀର୍ବାଦ ହିଁ ମୋର ଏହି ବିଜୟର ପ୍ରମୁଖ ଶକ୍ତି। ଆଗାମୀ ଦିନରେ ଚାଷୀ ଭାଇ ଓ ଭଉଣୀମାନଙ୍କ ସ୍ୱାର୍ଥ, ସମସ୍ୟା ଓ ଅଧିକାରକୁ ପ୍ରାଥମିକତା ଦେଇ RMCର ବିକାଶ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବି। ସମସ୍ତଙ୍କ ସହଯୋଗ ଓ ଆଶୀର୍ବାଦ ଆଗାମୀ ଦିନରେ ମଧ୍ୟ ଏହିଭଳି ରହୁ—ଏହା ମୋର ଆନ୍ତରିକ କାମନା।”
RMC ନିର୍ଦ୍ଦେଶକ ଭାବେ ନୂତନ ଦାୟିତ୍ୱ ପାଇବା ପରେ ବଜାର ବ୍ୟବସ୍ଥାର ଉନ୍ନତି, ଚାଷୀ ଓ ବ୍ୟବସାୟୀମାନଙ୍କ ସମସ୍ୟାର ସମାଧାନ, ମୌଳିକ ସୁବିଧାର ବିକାଶ ଏବଂ ଚାଷୀଙ୍କ ସ୍ୱାର୍ଥ ସୁରକ୍ଷା ଦିଗରେ ଗୁରୁତ୍ୱ ଦିଆଯିବ ବୋଲି ଆଶା ପ୍ରକାଶ ପାଇଛି। RMCର ସାମଗ୍ରିକ ବିକାଶ ପାଇଁ ସମସ୍ତଙ୍କ ସହଯୋଗ ନେଇ ଆଗକୁ ବଢ଼ିବାକୁ ଶ୍ରୀ ଖୋସ୍ଲା ଗୁରୁତ୍ୱ ଦେବେ ବୋଲି ସମର୍ଥକମାନେ ଆଶାବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ, ଜଗଦୀଶ ଖୋସ୍ଲାଙ୍କ ଏହି ବିଜୟକୁ କଂଗ୍ରେସ ମହଲରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବେ ଦେଖାଯାଉଛି। ବିପୁଳ ଭୋଟରେ ବିଜୟ ପରେ ତାଙ୍କୁ ଚାଷୀ, ବ୍ୟବସାୟୀ, କଂଗ୍ରେସ କର୍ମୀ ଓ ବିଭିନ୍ନ ବର୍ଗର ଲୋକଙ୍କ ପକ୍ଷରୁ ଶୁଭେଚ୍ଛା ଜାରି ରହିଛି। ଆଗାମୀ ଦିନରେ RMCର କାର୍ଯ୍ୟଧାରାକୁ ଆହୁରି ସୁଦୃଢ଼ କରିବା ସହ ଚାଷୀ ଓ ବ୍ୟବସାୟୀଙ୍କ ସ୍ୱାର୍ଥରେ ନୂଆ ପଦକ୍ଷେପ ନିଆଯିବ ବୋଲି ଆଶା ପ୍ରକାଶ ପାଇଛି।





