ପଛୁଆ ଓ ଦୁର୍ଗମ ଅଞ୍ଚଳର ପିଲାଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ପଛୁଆ ଓ ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ସମାନ ଭାବେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ କୋରାପୁଟ ଜିଲ୍ଲାରେ ଶିକ୍ଷାର ମାନକୁ ଆହୁରି ଉନ୍ନତ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଜ୍ଞାନଦୀପ ୨.୦’ ଆରମ୍ଭ କରାଯାଇଛି। ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ସହ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତା ବଢ଼ାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଏନେଇ ଜିଲ୍ଲାର ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର ଶିକ୍ଷାଦାନ ପ୍ରଣାଳୀ, ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଅଗ୍ରଗତି, ଦୁର୍ବଳ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଧ୍ୟାନ, ପରୀକ୍ଷା ଫଳାଫଳରେ ଉନ୍ନତି ଏବଂ ବିଦ୍ୟାଳୟରେ ଉନ୍ନତ ଶିକ୍ଷା ପରିବେଶ ସୃଷ୍ଟି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହି କର୍ମଶାଳାରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀ ଏବଂ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ରଘୁରାମ ମାଛ ପ୍ରମୁଖ ଯୋଗଦେଇଥିଲେ। ବକ୍ତାମାନେ କହିଥିଲେ ଯେ, ଶିକ୍ଷା ହେଉଛି ଏକ ଅଞ୍ଚଳର ବିକାଶର ମୁଖ୍ୟ ଆଧାର। ବିଶେଷକରି କୋରାପୁଟ ଭଳି ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ମାନ ବଢ଼ିଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସମଗ୍ର ଅଞ୍ଚଳର ବିକାଶ ମଧ୍ୟ ତ୍ୱରାନ୍ୱିତ ହେବ। ତେଣୁ ସହରାଞ୍ଚଳ ଭଳି ଦୁର୍ଗମ ଅଞ୍ଚଳର ପିଲାମାନେ ମଧ୍ୟ ଉତ୍ତମ ଶିକ୍ଷା ପାଇବା ଦିଗରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦିଆଯାଇଥିଲା। ପଛୁଆ ଅଞ୍ଚଳର ପିଲାମାନେ ଯେପରି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ବିଦ୍ୟାଳୟରେ ଶିକ୍ଷକଙ୍କ ଉପସ୍ଥିତି, ନିୟମିତ ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ସ୍ତରର ନିରନ୍ତର ମୂଲ୍ୟାଙ୍କନ ଓ ଆବଶ୍ୟକତା ଅନୁଯାୟୀ ସ୍ୱତନ୍ତ୍ର ଶିକ୍ଷାଦାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। କର୍ମଶାଳାରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ମଧ୍ୟ ଯୋଗଦେଇ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାରେ ଆହୁରି ଉନ୍ନତି ଆଣିବା ଦିଗରେ ଆଲୋକପାତ କରିଥିଲେ। ଶିକ୍ଷକମାନେ କେବଳ ପାଠ୍ୟପୁସ୍ତକର ଜ୍ଞାନ ନୁହେଁ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସୃଜନଶୀଳତା ଓ ଭବିଷ୍ୟତ ଲକ୍ଷ୍ୟ ପ୍ରତି ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ମତ ପ୍ରକାଶ କରାଯାଇଥିଲା। ‘ଜ୍ଞାନଦୀପ ୨.୦’ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, କୋରାପୁଟର ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ପରିବର୍ତ୍ତନ ଆଣିବାର ଏକ ପ୍ରୟାସ। ଏହାର ସଫଳ କାର୍ଯ୍ୟକାରିତା ମାଧ୍ୟମରେ ଦୁର୍ଗମ ଅଞ୍ଚଳର ପିଲାମାନେ ମଧ୍ୟ ଉତ୍ତମ ଶିକ୍ଷାର ସୁଯୋଗ ପାଇ ନିଜ ଭବିଷ୍ୟତ ଗଢ଼ିପାରିବେ ବୋଲି ଆଶା ପ୍ରକାଶ ପାଇଛି।





