ଶକ୍ତିଶାଳୀ ଓ ସ୍ଵାଭିମାନୀ ରାଷ୍ଟ୍ର ନିର୍ମାଣ ପାଇଁ ଆହ୍ୱାନ
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସଂଘର ଶତାବ୍ଦୀ ବର୍ଷର ଷଷ୍ଠ କାର୍ଯ୍ୟକ୍ରମ ଯୁବ ସମ୍ମିଳନୀ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଭବାନୀପାଟଣା ନଗରର ଦୁଇଟି ବସତିରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମଟି ବିକାଶ ମହାବିଦ୍ୟାଳୟ ଠାରେ ନଗର କାର୍ଯ୍ୟବାହ ବିଚିତ୍ରାନନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜୟପୁର ବିକ୍ରମଦେବ ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର ଡ଼. ଶୁଭମ ତ୍ରିପାଠୀ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଭାରତର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଆଲୋଚନା ପୂର୍ବକ ଶକ୍ତିଶାଳୀ ଓ ସ୍ଵାଭିମାନୀ ରାଷ୍ଟ୍ର ନିର୍ମାଣ ପାଇଁ ଆହ୍ୱାନ ଦେଇଥିଲେ। ଦେଶର ଯୁବଶକ୍ତି ସ୍ୱତଃପ୍ରବୃତ୍ତ ଭାବରେ ରାଷ୍ଟ୍ର ନିର୍ମାଣ ପାଇଁ ନେତୃତ୍ୱ ନେବାକୁ ଆଗେଇ ଆସିବା ଆବଶ୍ୟକ ବୋଲି ଗ୍ରୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ଏକ ଘଣ୍ଟାର ଶାଖାରେ ସାମୂହିକ ସୂର୍ଯ୍ୟ ନମସ୍କାର, ନିୟୁଦ୍ଧ ଚାଳନା, ଦେଶାତ୍ମବୋଧକ ଗୀତ ଅଭ୍ୟାସ, ଚର୍ଚ୍ଚା, ପରିଚୟ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ବିଭାଗ ପ୍ରଚାରକ ଆର. ଚକ୍ରଧର ରାଓ, ନଗର ପ୍ରଚାର ପ୍ରମୁଖ ପ୍ରିୟାଂଶୁ ବେହେରା, ନଗର ଶାରୀରିକ ପ୍ରମୁଖ ଶୁଭେନ୍ଦୁ ସାହୁ, ସହ ଶାରୀରିକ ପ୍ରମୁଖ ଚିତ୍ତରଞ୍ଜନ ଗମାଙ୍ଗ ଓ ନଗର ବୌଦ୍ଧିକ ପ୍ରମୁଖ କାର୍ତ୍ତିକେଶ୍ୱର ମିଶ୍ର ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ। ସେହିଭଳି ଦ୍ୱିତୀୟ ଯୁବ ସମ୍ମିଳନୀ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବ୍ରଜ ବିହାର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନନୀୟ କଳାହାଣ୍ଡି ବିଭାଗ ସଂଘ ଚାଳକ ଜୟନାରାୟଣ ବାବୁ, ମୁଖ୍ୟବକ୍ତା ପ୍ରଫେସର ଡ. ଶୁଭମ ତ୍ରିପାଠୀ, ନଗର କାର୍ଯ୍ୟବାହ ବିଚିତ୍ରାନନ୍ଦ ସ୍ୱାଇଁ କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ। ବିକାଶ ମହାବିଦ୍ୟାଳୟରେ ୧୨୦ ଓ ବ୍ରଜ ବିହାରରେ ୬୦ ସଂଖ୍ୟାରେ ଯୁବ ଶକ୍ତି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।





