ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ପରବାଙ୍ଗି ସ୍ଥିତ ସତ୍ୟ ମହିମା ଆଶ୍ରମରେ ଶ୍ରାବଣ ପୂର୍ଣ୍ଣିମା ଦିନ ନବାନ୍ନ ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବୁଧବାର ସନ୍ଧ୍ୟାରେ ଅଖଣ୍ଡ ବ୍ରହ୍ମ ଧୁନି ପ୍ରଜ୍ବଳନ ପୂର୍ବକ ପ୍ରଭୁଙ୍କ ନାମ ଭଜନ କୀର୍ତ୍ତନ କରାଯାଇଥିଲା। ତା ପରଦିନ ଗୁରୁବାର ବ୍ରହ୍ମ ମୁହୂର୍ତ୍ତରେ ସପ୍ତମୃତ ପଣା ସହ ନବାନ୍ନକୁ ପ୍ରଭୁଙ୍କୁ ଅର୍ପଣ କଲା ପରେ ସମସ୍ତ ମହିମା ଧର୍ମାବଲମ୍ବୀ ନବାନ୍ନ ଭକ୍ଷଣ କରିଥିଲେ। ସତ୍ୟ ସନାତନ ମହିମା ଆଶ୍ରମ ପରବାଙ୍ଗିର ମଠାଧୀଶ ତଥା ବିଶ୍ବ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗର୍ଦଶକ ମଣ୍ଡଳୀ ସଦସ୍ୟ, ଅଖିଳ ଭାରତୀୟ ଧର୍ମ ବିଭାଗର ପ୍ରଚାରକ ସାଧୁ ପ୍ରଭାକର ଦାସ ମହାରାଜ ଅଖଣ୍ଡ ବ୍ରହ୍ମଧୁନି ପ୍ରଜ୍ବଳନ କରିବା ସହ ସମସ୍ତ ଭକ୍ତ ବୃନ୍ଦଙ୍କୁ ନବାନ୍ନ ଭୋଗ ସ୍ଵହସ୍ତରେ ଅର୍ପଣ କରିଥିଲେ। ସମସ୍ତେ ନବାନ୍ନ ଭକ୍ଷଣ କଲା ପରେ ପୂଜ୍ୟ ସାଧୁଙ୍କୁ ଶରଣ ମାନ୍ୟ କରି ଆଶୀର୍ବାଦ କାମନା କରିଥିଲେ। ପରେ ସମସ୍ତ ଭକ୍ତବୃନ୍ଦ ପରସ୍ପର ମଧ୍ୟରେ ଶରଣ ମାନ୍ୟ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମହିମା ଧର୍ମ ପରମ୍ପରାରେ ବୈଶାଖ ପୂର୍ଣ୍ଣିମା, ଶ୍ରାବଣ ପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମାର ସ୍ଵତନ୍ତ୍ର ମହତ୍ତ୍ଵ ରହିଛି। ଶ୍ରାବଣ ପୂର୍ଣ୍ଣିମାରେ ପଶ୍ଚିମ ଓଡ଼ିଶାର ସମସ୍ତ ମହିମା ଧର୍ମାବଲମ୍ବୀ ନୂତନ ବର୍ଷର ଉତ୍ପାଦିତ ନୂଆଁ ଫସଲକୁ ପ୍ରଭୁଙ୍କୁ ଅର୍ପଣ କରି ସମସ୍ତେ ନବାନ୍ନ ଭକ୍ଷଣ କରିବାର ବିଧି ରହିଛି। ତେବେ ପରବାଙ୍ଗି ମହିମା ଆଶ୍ରମଠାରେ ପାଳିତ ହୋଇଥିବା ଏହି ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମରେ ସାଧୁ ବିପିନ ଦାସ, ଲିପୁନ ଭକ୍ତ, ଧନେଶ୍ଵର ଭକ୍ତ, କୋଦଣ୍ଡ ଭକ୍ତ, ମନୋହର ଭକ୍ତ, ଭରତ ଭକ୍ତ, ଲକ୍ଷପତି ଭକ୍ତ, ସଚିଦାନନ୍ଦ ଭକ୍ତ, ଆକାଶ ଭକ୍ତ, ଉଦ୍ଧବ ଭକ୍ତ, ଯୁଧିଷ୍ଠିର ଭକ୍ତ, ଭୁବନେଶ୍ୱରରୁ ବିକ୍ରମ କୁମାର ନାୟକ, କୋରାପୁଟରୁ କୃଷ୍ଣ ଭକ୍ତ, କୁସୁମଖୁଣ୍ଟିରୁ ୨୦ ରୁ ଉର୍ଦ୍ଧ୍ବ ଭକ୍ତବୃନ୍ଦଙ୍କ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ମହିଳା ଓ ପୁରୁଷ ଭକ୍ତ ଯୋଗଦେଇ ସହଯୋଗ କରିଥିଲେ।





