ବଞ୍ଜାରୀ ଘାଟିରେ ପୁଣି ଓଲଟିଲା ଏଲପିଜି ଗ୍ୟାସ ଟ୍ୟାଙ୍କର : ଘଟଣାସ୍ଥଳରେ ପ୍ରଶାସନ ଓ ଅଗ୍ନିଶମ ବାହିନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନିପାଟଣା ଠାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର କିଡିଙ୍ଗ-ଛତିଗୁଡ଼ା ରାସ୍ତାର ବଞ୍ଜାରୀ ଘାଟିରେ ପୁଣି ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏକ ଜ୍ୱଳନଶୀଳ ଏଲପିଜି ଗ୍ୟାସ ଟ୍ୟାଙ୍କର ଭାରସାମ୍ୟ ହରାଇ ଘାଟିରେ ନିକଟସ୍ଥ ଏକ ବୁଲାଣିରେ ଓଲଟି ପଡ଼ିବା ପରେ ଅଞ୍ଚଳରେ ଭୟ ଓ ଆତଙ୍କ ଖେଳିଯାଇଛି।ଦୁର୍ଘଟଣା ପରେ ଟ୍ୟାଙ୍କରର ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ସମ୍ଭାବ୍ୟ ଗ୍ୟାସ ଲିକେଜ୍ ଓ ଅଘଟଣକୁ ଦୃଷ୍ଟିରେ ରଖି ଛତିଗୁଡ଼ା-କିଡିଙ୍ଗ ରାସ୍ତାକୁ ସାମୟିକ ଭାବେ ଯାତାୟାତ ବନ୍ଦ କରାଯାଇଛି। ଫଳରେ ଭବାନୀପାଟଣା-ରାୟଗଡ଼ା ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଭାରୀଯାନ ଅଟକି ରହିଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଭବାନୀପାଟଣା ଉପ-ଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, ଲାଞ୍ଜିଗଡ଼ ତହସିଲଦାର ବନମାଳୀ ମେହେର, ନର୍ଲା ଥାନାଧିକାରୀ କୈବଲ୍ୟ ସେଠ ଓ ସିକେରକୁପା ଫାଣ୍ଡି ଅଧିକାରୀ ମୁରଲୀମୋହନ ପିଡ଼ିକାଙ୍କ ସମେତ ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖୁଛନ୍ତି। ଲାଞ୍ଜିଗଡ଼ ଦମକଳ ବାହିନୀ ମଧ୍ୟ ପହଞ୍ଚି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ଟ୍ୟାଙ୍କରକୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ଜୋରଦାର ପ୍ରୟାସ ଜାରି ରହିଛି। ଉଲ୍ଲେଖଯୋଗ୍ୟ, ପ୍ରାୟ ବର୍ଷକ ପୂର୍ବରୁ ମଧ୍ୟ ଏହି ସ୍ଥାନ ନିକଟରେ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଥିଲା। ସେତେବେଳେ ପୋଲିସ, ପ୍ରଶାସନ ଓ ଅଗ୍ନିଶମ ବାହିନୀ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇ ଦୀର୍ଘ ୧୮ ଘଣ୍ଟା ପରେ ଅଞ୍ଚଳବାସୀଙ୍କୁ ସମ୍ଭାବ୍ୟ ବିପଦରୁ ମୁକ୍ତ କରିଥିଲେ। ଏବେ ପୁଣି ସମାନ ଘଟଣା ଘଟିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ସୁରକ୍ଷା ଦୃଷ୍ଟିରୁ ଭବାନୀପାଟଣା ପଟୁ ରାୟଗଡ଼ା କିମ୍ବା ଲାଞ୍ଜିଗଡ଼ ଯାଉଥିବା ଯାନବାହନକୁ କଦଳୀଘାଟି ଛକରୁ ବିକଳ୍ପ ରାସ୍ତା ଦେଇ ଯିବାକୁ ଏବଂ ରାୟଗଡ଼ା ଓ ଲାଞ୍ଜିଗଡ଼ ପଟୁ ଆସୁଥିବା ଯାନବାହନକୁ ମଧ୍ୟ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଘଟଣାସ୍ଥଳରେ ସମ୍ଭାବ୍ୟ ବିପଦ ଉପରେ ଲଗାତାର ନଜର ରଖାଯାଇଛି ଏବଂ ଟ୍ୟାଙ୍କର ଉଦ୍ଧାର ପରେ ହିଁ ଯାତାୟାତ ସ୍ୱାଭାବିକ ହେବ ବୋଲି ଜଣାପଡିଛି। ତେବେ ଖବର ଲେଖା ପର୍ଯ୍ୟନ୍ତ ଟ୍ୟାଙ୍କରକୁ ଉଦାର କରାଯାଇନଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.