ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ରାଜ୍ୟର ସର୍ବବୃହତ୍ ଶିଳ୍ପ ସଂଗଠନ ଉତ୍କଳ ଶିଳ୍ପ ବଣିକ ସଂଘ ଲିମିଟେଡ୍ (ୟୁସିସିଆଇଏଲ୍) ପକ୍ଷରୁ ଏହାର ନବୀକୃତ ‘ରିକ୍ରିଏସନ୍ କ୍ଲବ’ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ୟୁସିସିଆଇଏଲ୍ର ‘ବି୨ବି ଫୋରମ୍’ ପକ୍ଷରୁ ପ୍ରସ୍ତୁତ ଦୁଇଟି ପୁସ୍ତକ ‘ପ୍ରାଇଡସ୍ ଅଫ୍ ୟୁସିସିଆଇଏଲ୍-୨.୦’ ଏବଂ ‘ୱି ନଟ୍ ମି’ ଉନ୍ମୋଚିତ ହୋଇଛି। ଏମ୍ଜିଏମ୍ ଗ୍ରୁପ୍ର ସହାୟତାରେ ପୁନଃନିର୍ମିତ ୟୁସିସିଆଇଏଲ୍ର ନବୀକୃତ ରିକ୍ରିଏସନ୍ କ୍ଲବ୍କୁ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଉଦ୍ଘାଟନ କରିଥିଲେ। ଏହାପରେ ୟୁସିସିଆଇଏଲ୍ର ‘କନଭିନ୍’ରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଂଘର ସଭାପତି ପ୍ରବୋଧ ମହାନ୍ତି ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ୟୁସିସିଆଇଏଲ୍ର କର୍ମକର୍ତ୍ତା ଓ ବହୁ ସଂଖ୍ୟକ ସଦସ୍ୟ ଉପସ୍ଥିତ ଥିଲେ।ଏହି ଅବସରରେ ଏମ୍ଜିଏମ୍ ଗ୍ରୁପ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପଙ୍କଜ ଲୋଚନ ମହାନ୍ତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ୟୁସିସିଆଇଏଲ୍ ‘ବି୨ବି ଫୋରମ୍’ର ଆବାହକ ମନୋଜ ପୃଷ୍ଟିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। ‘ପ୍ରାଇଡସ୍ ଅଫ୍ ୟୁସିସିଆଇଏଲ୍-୨.୦’ରେ ରାଜ୍ୟର ବିଶିଷ୍ଟ ଶିଳ୍ପପତିମାନଙ୍କ ସମ୍ପର୍କରେ ତଥ୍ୟ ସ୍ଥାନ ପାଇଥିବା ବେଳେ ‘ୱି ନଟ୍ ମି’ ପୁସ୍ତକରେ ସଭାପତି ପ୍ରବୋଧ ମହାନ୍ତିଙ୍କ ଦୁଇବର୍ଷର କାର୍ଯ୍ୟକାଳ ମଧ୍ୟରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ସ୍ଥାନ ପାଇଛି। କାର୍ଯ୍ୟକ୍ରମରେ ଆୟନସାକର ପରିଚାଳନା ନିର୍ଦ୍ଦେଶକ ମାନଗୋବିନ୍ଦ ମିଶ୍ର, ମ୍ୟାନେଜମେଣ୍ଟ ପରାମର୍ଶଦାତା ଡ. ଆର୍. ମଙ୍ଗେଶ ଦାଶ ଏବଂ ଇଣ୍ଡଓରିଏଣ୍ଟ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍ର ଆଶୁତୋଷ ନିଜ ନିଜ କମ୍ପାନୀ ଓ କାର୍ଯ୍ୟଧାରା ସମ୍ପର୍କରେ ଉପସ୍ଥାପନ କରିଥିଲେ। ଶେଷରେ ‘ପ୍ରାଇଡସ୍ ଅଫ୍ ୟୁସିସିଆଇଏଲ୍-୨.୦’ରେ ସ୍ଥାନ ପାଇଥିବା ରାଜ୍ୟର ବିଶିଷ୍ଟ ଶିଳ୍ପପତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।





