ଆସିଲା ପାର୍ବଣ ଋତୁ: ରାସ୍ତା କଡରେ ମୂର୍ତ୍ତି କାରିଗରଙ୍କ କଳାକୃତୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆସିଗଲା ପର୍ବଣର ଋତୁ। ଆରମ୍ଭ ହୋଇଯିବ ପୂଜା। ଏଥିପାଇଁ ମୂର୍ତ୍ତି କାରିଗର ମାନେ ରାସ୍ତା କଡରେ ମୂର୍ତ୍ତି ନିର୍ମାଣ କାମ ଆରମ୍ଭ କରିଦେଇଥିବା ଦେଖିବାକୁ ମିଳୁଛି। ଅଗଷ୍ଟ ମାସ ସରିଲା। ଆସନ୍ତା ସେପ୍ଟେମ୍ବର ୧୪ ସୋମବାର ଗଣେଶ ଚତୁର୍ଥି। ଅଗ୍ରପୂଜ୍ୟ ଗଣନାଥଙ୍କ ପୂଜା। ସ୍କୁଲ, କଲେଜ, ସମସ୍ତ ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ କ୍ଲବ ଓ ଅନୁଷ୍ଟାନ ଗୁଡିକରେ ଅନୁଷ୍ଠିତ ହେବ ଶ୍ରୀଗଣେଶ ପୂଜା। ତା ପରଦିନ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ। ସେପ୍ଟେମ୍ବର ୪ ରେ ଜନ୍ମାଷ୍ଟମୀ, ୧୩ ରବିବାର ଖୁଦୁରୁକୁଣି ଓଷା, ଏହାପରେ ବିଶ୍ୱକର୍ମା ପୂଜା, ତା ପରେ ଅକ୍ଟୋବର ୧୧ ରୁ ନବରାତ୍ରୀ ଦୁର୍ଗାପୂଜା ଆରମ୍ଭ ହେବ। ଏଣୁ ଏହି ପାର୍ବଣ ଋତୁ କୁ ଦୃଷ୍ଟିରେ ରଖି ମୂର୍ତ୍ତି କାରିଗର ମାନେ ବିଭିନ୍ନ ପୋଷ୍ଟରର ଗଣେଶ ମୂର୍ତ୍ତି, ବିଶ୍ୱକର୍ମା ମୂର୍ତ୍ତି ଓ ଖୁଡ଼ୁରୁକୁଣି ମୂର୍ତ୍ତି ସବୁ ନିର୍ମାଣରେ ଲାଗି ପଡିଥିବା ଦେଖିବାକୁ ମିଳୁଛି। ନର୍ଲାର ଚାରିଛକ ମୁଖ୍ୟ ରାସ୍ତା କଡରେ ଜଣେ ଯୁବ ଶିଳ୍ପୀ ବିଭିନ୍ନ ଭଙ୍ଗୀର ଗଣେଶ ମୂର୍ତ୍ତି ନିର୍ମାଣ ସବୁ କରୁଥିବା ଦୃଶ୍ୟମାନ ହେଉଛି। ସ୍କୁଲ, କଲେଜ ଗୁଡିକ ପାଇଁ ଛୋଟ ଛୋଟ ରେଡିମେଡ ମୂର୍ତ୍ତି ସବୁ ନିର୍ମାଣ ଚାଲିଥିବା ବେଳେ ବିଭିନ୍ନ କ୍ଲବ ଓ ଅନୁଷ୍ଠାନ ଗୁଡିକ ତରଫରୁ ସେମାନଙ୍କ ମନ ପସନ୍ଦ, ପୋଜିସନ ଓ ସାଇଜର ଏଡଭାନ୍ସ ଅର୍ଡର ନେଇ ମୂର୍ତ୍ତି ସବୁ ନିର୍ମାଣ କରାଯାଉଥିବା ମତବ୍ୟକ୍ତ କରିଛନ୍ତି ଯୁବ ଶିଳ୍ପୀ। ସେପ୍ଟେମ୍ବର ୧୨ ତାରିଖ ସୁଧା ଗଣେଶ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ସାରିବାକୁ ପଡିବ। ବିଶ୍ୱକର୍ମା ଓ ଖୁଦୁରୁକୁଣି ପୂଜା ପାଇଁ ଟାଇମ ଅଛି। ଚଳିତ ବର୍ଷ ଟିକେ ବିଳମ୍ବରେ ଗଣେଶ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବାରୁ ଆମକୁ ଏବର୍ଷ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି। ଏହାବାଦ ନର୍ଲା ଅଞ୍ଚଳରେ ଝିପି ଝିପି ଲଗାଣ ବର୍ଷା ଏଥିରେ ଆହୁରି ବ୍ୟାଘାତ ସୃଷ୍ଟି କରୁଥିବା କଥା କହିଛନ୍ତି ଯୁବ ଶିଳ୍ପୀ ଦୀପୁ । ସୁଖିଲା ସିଜନରେ ମୂର୍ତ୍ତି ନିର୍ମାଣ ପାଇଁ ପାଳ ଓ ମାଟି ସଂଗ୍ରହ କରିବାକୁ ପଡିଥାଏ। ଏବଂ ସେ ସବୁକୁ ଯତ୍ନରେ ରଖାଯାଇଥାଏ। ଆମ ପରିଶ୍ରମ ଓ ମେହେନତକୁ ଦେଖିଲେ ଏହି ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ସେତେଟା ଲାଭ ନାହିଁ। ହେଲେ ଏହା ପାଇଁ ସ୍ୱତନ୍ତ୍ର ଋଚି ରହୁଥିବାରୁ ମୁଁ ଗତ ୧୦ ବର୍ଷ ହେଲା ଏହି ମୂର୍ତ୍ତି ଗଢିବା କାର୍ଯ୍ୟ କରି ଆସୁଛି ବୋଲି କହିଛନ୍ତି ନର୍ଲାର ଯୁବ ଶିଳ୍ପୀ ଶ୍ରୀ ଦୀପୁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.