କୋଲକାତାରେ କେନ୍ଦ୍ର ସାହିତ୍ୟ ଅକାଦେମିର ଦ୍ବି-ଦିବସୀୟ ଜାତୀୟ ଆଲୋଚନାଚକ୍ର

ଓଡ଼ିଆ ଲେଖକ ଓ ଗବେଷକଙ୍କୁ ନେଇ ସ୍ବତନ୍ତ୍ର ଅଧିବେଶନ
ମନ ମୋହିଲା ଓଡ଼ିଶୀ ନୃତ୍ୟ

ଓଡ଼ିଆ ବାର୍ତ୍ତା/ କୋଲକାତା: ବନ୍ଦେ ମାତରମ ହେଉଛି ରାଷ୍ଟ୍ରୀୟତାର ମୂଳ ମନ୍ତ୍ର ଏବଂ କୋଟି କୋଟି ଭାରତୀୟଙ୍କ ହୃଦୟର ସ୍ବନ୍ଦନ। ନିଜ ମାଆ ପ୍ରତି ସମ୍ପୂର୍ଣ୍ଣ ସମର୍ପଣର ଏହା ଅପୂର୍ବ ନିଦର୍ଶନ। ଏହା ଏମିତି ଏକ ଭାବନା ଯାହା ସମଗ୍ର ଭାରତକୁ ଏକ ରାଷ୍ଟ୍ରରେ ପରିଣତ କରିଛି। ମାତୃଭକ୍ତିରୁ ଜାତ ପରିବାରବାଦ ମାଧ୍ୟମରେ ରାଷ୍ଟ୍ରନିର୍ମାଣର କଥା କହିଥାଏ ବନ୍ଦେ ମାତରମ। ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଏହି କାଳଜୟୀ ରଚନାର ମୌଳିକତା ବେଦରୁ ନିସୃତ । ଏହା କହିଥାଏ ଯେ ବ୍ୟକ୍ତି, ସମାଜ ଏବଂ ପ୍ରକୃତି ମଧ୍ୟରେ ରହିଛି ଅତୁଟ ସମ୍ପର୍କ। ଏଥିରେ ବିବିଧତା ରହିବ, କିନ୍ତୁ ତାହା ହିଁ ହେଉଛି ସୌନ୍ଦର୍ଯ୍ୟବୋଧର ବର୍ଦ୍ଧକ।

ସାହିତ୍ୟ ଅକାଦେମି ପକ୍ଷରୁ କୋଲକାତାର ଭାରତୀୟ ସଂଗ୍ରହାଳୟର ଆଶୁତୋଷ ମୁଖାର୍ଜୀ ପ୍ରେକ୍ଷାଳୟରେ ଆୟୋଜିତ ବନ୍ଦେ ମାତରମ ସମ୍ପର୍କିତ ଦ୍ବି-ଦିବସୀୟ ଆଲୋଚନାଚକ୍ରର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି ଭାଷାରେ ବନ୍ଦେ ମାତରମର ବୈଶିଷ୍ଟ୍ୟ ଏବଂ ପ୍ରାସଙ୍ଗିକତା ଭିତ୍ତିରେ ବକ୍ତବ୍ୟ ପ୍ରଦାନ କରିଥିଲେ ପଶ୍ଚିମବଙ୍ଗ ରାଜ୍ୟପାଳ ଶ୍ରୀ ଆର.ଏନ୍. ରବି। ଭାରତୀୟ ସଂଗ୍ରହାଳୟ, ଇଜେଡସିସି ଏବଂ ସଂସ୍କୃତ ବିଶ୍ବବିଦ୍ୟାଳୟର ବିଭିନ୍ନ ସଭାଗୃହରେ ୨୯ ଓ ୩୦ ତାରିଖରେ ଅନୁଷ୍ଠିତ ୧୬ଟି ଅଧିବେଶନରେ ଦେଶର ବିଭିନ୍ନ ରାଜ୍ୟର ଷାଠିଏ ଜଣ ଲେଖକ, ଗବେଷକ ଏବଂ ବିଦ୍ବାନ ଯୋଗ ଦେଇ ବନ୍ଦେ ମାତରମର ବିଭିନ୍ନ ଦିଗରେ ଆଲୋଚନା କରିଥିଲେ।

ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଶାର ବିଶିଷ୍ଟ ଲେଖିକା ତଥା ହିନ୍ଦୀ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ନନ୍ଦିନୀ ସାହୁ। ସାହିତ୍ୟ ଅକାଦେମିର ସଚିବ ଡକ୍ଝର ବରୁଣ ଗୁଲାଟି ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଭାରତୀୟ ସଂଗ୍ରହାଳୟର ନିର୍ଦ୍ଦେଶକ ଡକ୍ଝର ସାୟନ ଭଟ୍ଟାଚାର୍ଯ୍ୟ, ଇ.ଜେଡ୍.ସି.ସି.ର ନିର୍ଦ୍ଦେଶକ ଆଶିଷ ଗିରି। ଡକ୍ଝର ଗୁଲାଟି କାର୍ଯ୍ୟକ୍ରମର ଆଭିମୁଖ୍ୟ ତଥା ବନ୍ଦେମାତରମର ପ୍ରଭାବ ସମ୍ପର୍କରେ ସୂଚନା ଦେଇଥିଲେ। ଅଧିବେଶନରେ ସଭାପତିତ୍ବ କରିଥିଲେ ସାହିତ୍ୟ ଅକାଦେମିର ଅଧ୍ୟକ୍ଷ ଡକ୍ଝର ମାଧବ କୌଶିକ। ସେ କହିଥିଲେ ଯେ ବଙ୍କିମଚନ୍ଦ୍ରଙ୍କ ଗୋଟିଏ ଗୀତର ଦୁଇଟି ଶବ୍ଦ କୋଟି କୋଟି ଭାରତୀୟଙ୍କୁ ଏକତାର ଡୋରିରେ ବାନ୍ଧି ରଖିଛି। ଏହି ଅଧିବେଶନରେ ଧନ୍ୟବାଦ ଦେଇଥିଲେ ଶାନ୍ତିନିକେତନ ସାହିତ୍ୟପଥ ପତ୍ରିକାର ସଂପାଦକ ପ୍ରଫେସର ସୁଦୀପ ବସୁ।

୩୦ ତାରିଖରେ ସଂସ୍କୃତ ବିଶ୍ବବିଦ୍ୟାଳୟରେ ଆୟୋଜିତ ସମାପନୀ ଉତ୍ସବରେ ବିଶିଷ୍ଟ ବକ୍ତା ଭାବରେ ଯୋଗ ଦେଇଥିଲେ ଓଡ଼ିଶା ବିଶିଷ୍ଟ ଲେଖକ ଡକ୍ଝର ଗୌରହରି ଦାସ, ଅରୁଣ କୁମାର ସାହୁ, ଡକ୍ଝର ଲଲାଟେନ୍ଦୁ ସାହୁ। ସଭାପତିତ୍ବ କରିଥିଲେ ପ୍ରଫେସର ନନ୍ଦିନୀ ସାହୁ। ଅନ୍ୟ ଏକ ଅଧିବେଶନରେ ସଭାପତିତ୍ବ କରିଥିଲେ ଓଡ଼ିଶାର ଗବେଷକ ନାରାୟଣ ନାୟକ ଏବଂ ପ୍ରବନ୍ଧ ଉପସ୍ଥାପନ କରିଥିଲେ ସୌରଭ କୁମାର ମହନ୍ତ। ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ସାହିତ୍ୟ ଅକାଦେମିର ଆଞ୍ଚଳିକ ସଚିବ ଡକ୍ଝର ଦେବେନ୍ଦ୍ର କୁମାର ଦେବେଶ। ସିଞ୍ଜନ ନୃତ୍ୟାଳୟ, କୋଲକାତାର ଶିଳ୍ପୀମାନେ ଗୁରୁ ଆଲୋକ କାନୁନଗୋଙ୍କ ନିର୍ଦ୍ଦେଶନାରେ ବନ୍ଦେ ମାତରମର ଓଡ଼ିଶୀ ନୃତ୍ୟ-ରୂପ ପରିବେଷଣ କରିଥିଲେ।

ପ୍ରଥମ ସନ୍ଧ୍ୟାରେ ପୂର୍ବ-ପଶ୍ଚିମ, କୋଲକାତାର କଳାକାରମାନଙ୍କ ଦ୍ବାରା ଆନନ୍ଦମଠ ଉପନ୍ୟାସ ଆଧାରିତ ନାଟକ ମଞ୍ଚସ୍ଥ ହୋଇଥିଲା। ସାହିତ୍ୟ ଅକାଦେମିର ଉପସଚିବ ଡକ୍ଝର ଏନ୍ ସୁରେଶ ବାବୁ, ସହାୟକ ସଂପାଦକ କ୍ଷେତ୍ରବାସୀ ନାଏକ, କାର୍ଯ୍ୟକ୍ରମ ଅଧିକାରୀ ଅଭିଷେକ ରଥ, ପ୍ରକାଶନ ସହାୟିକା ସମର୍ପିତା ଗୋସ୍ବାମୀ, ଏବଂ ଭାରତୀୟ ସଂଗ୍ରହାଳୟର ରିଥ୍ ବରୁଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.