ବାଲେଶ୍ୱର ପୌରପାଳିକା ପକ୍ଷରୁ ପାଳିତ ହେଲା ୧୫୦ତମ ସ୍ୱାୟତ୍ତ ଶାସନ ଦିବସ

• ଐତିହ୍ୟର ସ୍ମରଣ ସହ ସ୍ୱଚ୍ଛ, ସୁସ୍ଥ ଓ ସୁବ୍ୟବସ୍ଥିତ ସହର ଗଠନର ସଂକଳ୍ପ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ପୌରପାଳିକାର ୧୫୦ତମ ସ୍ୱାୟତ୍ତ ଶାସନ ଦିବସ ଅବସରରେ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଏକ ଭବ୍ୟ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଐତିହାସିକ ଏହି ଅବସରରେ ପୌରପାଳିକାର ୧୫୦ ବର୍ଷର ଗୌରବମୟ ଯାତ୍ରା, ବାଲେଶ୍ୱର ସହରର ବିକାଶ ଏବଂ ନାଗରିକ ସେବା କ୍ଷେତ୍ରରେ ଏହାର ଅବଦାନକୁ ସ୍ମରଣ କରାଯାଇଥିଲା। ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗଦେଇଥିଲେ। ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ହେମନ୍ତ କୁମାର ସିଂହ, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ଶିବ ମାଲବ୍ୟ, ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସିରିଆଲ ପଟେଲ ଏବଂ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଡ. ମଧୁସ୍ମିତା ସାମନ୍ତରାୟଙ୍କ ସମେତ ପୌର ପରିଷଦର ସଦସ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସୀନ ଥିଲେ।

ଅତିଥିମାନେ ନିଜ ବକ୍ତବ୍ୟରେ ବାଲେଶ୍ୱର ପୌରପାଳିକାର ୧୫୦ ବର୍ଷର ଯାତ୍ରା ଓ ସହରର ବିକାଶରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ। ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ନାଗରିକଙ୍କ ନିକଟରେ ପ୍ରଶାସନ ଓ ମୌଳିକ ସେବା ପହଞ୍ଚାଇବାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ସେମାନେ କହିଥିଲେ।

ନଗରାଞ୍ଚଳର ସୁପରିଚାଳନା, ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ଓ ଆଲୋକୀକରଣ, ନାଗରିକ ସୁବିଧା ସହିତ ସହରର ସାମଗ୍ରିକ ବିକାଶରେ ପୌରପାଳିକାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

୧୫୦ତମ ସ୍ୱାୟତ୍ତ ଶାସନ ଦିବସ ପାଳନ ମାଧ୍ୟମରେ ପୌରପାଳିକାର ଗୌରବମୟ ଐତିହ୍ୟ ଓ ପରମ୍ପରାକୁ ସମ୍ମାନ ଦେବା ସହ ଆଗାମୀ ଦିନରେ ଏକ ସୁନ୍ଦର, ସ୍ୱଚ୍ଛ, ସୁସ୍ଥ ଓ ସୁବ୍ୟବସ୍ଥିତ ବାଲେଶ୍ୱର ସହର ଗଠନ ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ।

ସମାରୋହରେ ପୌରପାଳିକାର ଅଧିକାରୀ ଓ କର୍ମଚାରୀ, ଜନପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ ଏବଂ ବହୁ ସଂଖ୍ୟକ ନାଗରିକ ଯୋଗଦେଇଥିଲେ। ଅତିଥିମାନେ ପୌରପାଳିକାର ଦେଢ଼ଶହ ବର୍ଷର ଐତିହାସିକ ଗୌରବକୁ ସ୍ମରଣ କରି ଏହାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ। ୧୫୦ ବର୍ଷର ସେବା, ପ୍ରଗତି ଓ ପରମ୍ପରାକୁ ସ୍ମରଣ କରି ବାଲେଶ୍ୱର ପୌରପାଳିକାର ଏହି ଐତିହାସିକ ଉତ୍ସବ ଆଗାମୀ ଦିନରେ ସହରର ସାମଗ୍ରିକ ବିକାଶ ପାଇଁ ଏକ ନୂତନ ସଂକଳ୍ପର ବାର୍ତ୍ତା ଦେଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.