ଚନ୍ଦ୍ରଭାନୁ ସରକାରୀ ଉଚ୍ଚ ବିଦ୍ୟାଳୟ ଚିକିଲିରେ ଗୁରୁ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା):  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଚିକିଲି ଚନ୍ଦ୍ରଭାନୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ପବିତ୍ର ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଗୁରୁଙ୍କ ଦିବ୍ୟ ଚେତନା, ବୌଦ୍ଧିକ ବିଚାର ଓ ତ୍ୟାଗପୂତ ସାଧନାରେ ହିଁ କୋମଲମତି ଛାତ୍ରଙ୍କୁ ଏକ ଶୈକ୍ଷିକ ସମାଜ ଗଠନ କରିଥାଏ। ଏହି ଭାବଧାରାକୁ ଆଧାର କରି ଆୟୋଜିତ ଏହି ଉତ୍ସବରେ ଜୀବନ ଗଠନର କାରିଗର ପୂଜ୍ୟ ଗୁରୁଜନମାନଙ୍କୁ ଭକ୍ତିପୂତ କୃତଜ୍ଞତା ଜ୍ଞାପନ କରାଯାଇଥିଲା।
ଆୟୋଜିତ ସଭାରେ ମଳୟ ବାଗ ସଭାପତିତ୍ୱ କରିଥିବା ବେଳେ  ଚିତ୍ତରଞ୍ଜନ ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଅବସରରେ ଅତିଥି ଭାବରେ ଅନୁଷ୍ଠାନର ପ୍ରତିଷ୍ଠାକାଳରୁ ନିଜର ଶ୍ରମ ଓ ସାଧନା ଢାଳିଥିବା ତଥା ଏ ଅଞ୍ଚଳରେ ଶିକ୍ଷାର ପ୍ରଦୀପ ଜାଳିଥିବା ବରିଷ୍ଠ ଶିକ୍ଷକ ତଥା ଶିକ୍ଷାବିତ୍ ସୁଧୀର ପଣ୍ଡା, ଧନମତ୍ ଧଙ୍ଗଡା ମାଝୀ, ସରଜୁ ପ୍ରସାଦ ସାହୁ, ନୂଆଖାଉ ସୁନାନୀ ଏବଂ ପଦ୍ମନ ସାହୁ ଯୋଗଦେଇ ନିଜ ନିଜର ବହୁମୂଲ୍ୟ ଅନୁଭୂତି ପ୍ରଦାନ କରିଥିଲେ। ବିଦ୍ୟାଳୟ ତରଫରୁ  ଗୁରୁଜନମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଶିକ୍ଷୟିତ୍ରୀ ଗାୟତ୍ରୀ ଷଡ଼ଙ୍ଗୀ, ସରିତା ଧାରା ସାହୁ, କଳ୍ପନା ଶବର, ଦିବ୍ୟା ଶବର, ଏବଂ ଶିକ୍ଷକ ଦୁଲେଶ୍ୱର କୁମାର, ଶାରଦା ସାହୁ, ଭବାନୀ ଶଙ୍କର ଶବରଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ତଥା କର୍ମଚାରୀବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗୁରୁବନ୍ଦନା ଗାନ ସହିତ ସମଗ୍ର ପରିବେଶ ଭକ୍ତିମୟ ଓ ଉତ୍ସବମୁଖର ହୋଇଉଠିଥିଲା। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.