ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ସୁନାବେଡ଼ା ଅଭୟାରଣ୍ୟର ଅଧିଷ୍ଠାତ୍ରୀ ଦେବୀ ମାଁ ସୁନାଦେଇଙ୍କ ପ୍ରସିଦ୍ଧ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଚାକୋଟିଆ ଭୁଞ୍ଜିଆ ଆଦିମ ଜନଜାତିଙ୍କ ଅଧିଷ୍ଠାତ୍ରୀ ଦେବୀ ମାଁ ସୁନାଦେଇ ପବିତ୍ର କୁମାର ପୂର୍ଣ୍ଣମୀ ଦିନ ଯାତ୍ରା ଅନୁଷ୍ଠିତ ହୋଇଥାଏ। ନିଜ ପୀଠ ସ୍ଥଳୀରୁ ଛତର ଦେହରେ ବିରାଜମାନ ହୋଇ ଲିଙ୍ଗ ଭଟ୍ଟା ଠାରେ ପହଞ୍ଚିଥାନ୍ତି। ଅଭୟାରଣ୍ୟରେ ବସବାସ କରିଥିବା ସୁନଦେଇଙ୍କ ୧୦ ଭାଇ ସହ ୮୪ ଟିକରି ଅଧିବାସୀ ମାନେ ଆସି ମାଁ ଙ୍କ ଠାରେ ପୂଜା ଅର୍ଚ୍ଚନା କରିଥିବା ବେଳେ ସେଠାରେ ମାଁ କାଳିସୀ ଦେହରେ ଆସି ବାର୍ଷିକ ହିସାବ ନିକାଶ କରିଥାଆନ୍ତି। ସୁନଦେଇ ମାଁ ଭକ୍ତଙ୍କ ସହ ସାଧାରଣ ଭାବରେ କଥା ବାର୍ତ୍ତା ହୋଇ, ତାଙ୍କ ପ୍ରତି ହୋଇଥିବା ଅବମାନନା ଏବଂ ଭକ୍ତ କଥା ଶୁଣି ନଥିବା ବିଷୟ ନେଇ ମାଁ ସହ ମାନ ଅଭିମାନର ବାର୍ତ୍ତାଳାପ ହୋଇଥାଏ। ଏହି ସୁନଦେଇ ଯାତ୍ରା ଦେଖିବା ପାଇଁ ନୂଆପଡ଼ା ଜିଲ୍ଲା ସହ ପଡ଼ୋଶୀ ଜିଲ୍ଲା, ପଡ଼ୋଶୀ ରାଜ୍ୟରୁ ବହୁ ଭକ୍ତ ଆସି ମାଁ ଙ୍କ ଦର୍ଶନ କରି ନିଜ ମନସ୍କାମନା କରିଥାନ୍ତି। ଦେବୀ ପ୍ରତ୍ୟେକ୍ଷ ହୋଇଥିବା ଲୋକଙ୍କ ଦୃଢ଼ ବିଶ୍ୱାସ ଥିବା ବେଳେ ସମସ୍ତ ମନସ୍କାମନା ପୂର୍ଣ୍ଣ କରିବାର ଅନେକ ଉଦାହରଣ ଥିବା ଭକ୍ତମାନେ ପ୍ରକାଶ କରିଛନ୍ତି। ଲିଙ୍ଗ ଭଟ୍ଟା ଠାରୁ ପୂଜା ପାଇ ଆରମ୍ଭ ହୁଏ ଛତର ଯାତ୍ରା ମାନ ସୁନଦେଇ ସମସ୍ତ ଘରକୁ ଯାଇ ପୂଜା ପାଉଥିବା ବେଳେ ପାରମ୍ପରିକ ବେଶ୍ ଭୂଷାରେ ଭୁଞ୍ଜିଆ ମହିଳା ମାନେ ଧୂପ ଦୀପ ନୈବେ୍ଦୟ ପୂଜା କରିଥାନ୍ତି। ଆଜି ଉତ୍ସବ ଦେଖିବାକୁ ନୂଆପଡା ବିଧାୟକ ଜୟ ଢୋଲକିଆ, ସହ ହଜାର ହଜାର ସଂଖ୍ୟକ ଲୋକ ସାମିଲ ହୋଇଛନ୍ତି।





