୪-ଷ୍ଟାର୍ ରେଟିଂ ସହ ଗୋଲ୍ଡ ବର୍ଗରେ ବିଜେତା ଘୋଷିତ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ସୁରକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ ପରିଚାଳନା ପ୍ରତି ଉଲ୍ଲେଖନୀୟ ପ୍ରତିବଦ୍ଧତା ପାଇଁ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍)କୁ ଜାତୀୟସ୍ତରରେ ସ୍ୱୀକୃତି ମିଳିଛି। ବିଶ୍ୱ ସୁରକ୍ଷା ସଂଗଠନ (ଡବ୍ଲ୍ୟୁଏସ୍ଓ) ଇଣ୍ଡିଆ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବୃତ୍ତିଗତ ସ୍ୱାସ୍ଥ୍ୟ, ସୁରକ୍ଷା ଓ ପରିବେଶ (ଓଏଚ୍ଏସ୍ଆଣ୍ଡଇ) ପୁରସ୍କାର-୨୦୨୬ରେ କମ୍ପାନିକୁ ୪-ଷ୍ଟାର୍ ରେଟିଂ ସହ ସ୍ୱର୍ଣ୍ଣ ବର୍ଗର ବିଜେତା ଭାବେ ସମ୍ମାନିତ କରାଯାଇଛି।
୨୦୨୫ ମୂଲ୍ୟାୟନ ବର୍ଷର ସୁରକ୍ଷା ପ୍ରଦର୍ଶନ ଆଧାରରେ ଡବ୍ଲ୍ୟୁଏସ୍ଓର ବିଚାରକମଣ୍ଡଳୀ କ୍ଷେତ୍ର ପରିଦର୍ଶନ ଓ ମୂଲ୍ୟାୟନ କରିବା ପରେ ଏହି ସ୍ୱୀକୃତି ପ୍ରଦାନ କରିଛନ୍ତି। ମୁମ୍ବାଇରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଟିପିଏନ୍ଓଡିଏଲ୍ ପକ୍ଷରୁ ସୁରକ୍ଷା ବିଭାଗ ମୁଖ୍ୟ ତପନ ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେଶ କୁମାର ମହାନ୍ତ ଏବଂ ଦିଲୁ ରାଉତ ପୁରସ୍କାର ଗ୍ରହଣ କରିଥିଲେ।
ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ କମ୍ପାନିର ବିଦ୍ୟୁତ୍ ବିତରଣ କାର୍ଯ୍ୟ ସମୟରେ ଅନୁସୃତ ସୁରକ୍ଷା ବ୍ୟବସ୍ଥା ଏହି ମୂଲ୍ୟାୟନର ଅଂଶବିଶେଷ ଥିଲା। କାର୍ଯ୍ୟସ୍ଥଳରେ ବିପଦ ପରିଚାଳନା, ସୁରକ୍ଷା ନିୟମର ଅନୁପାଳନ ଏବଂ କର୍ମଚାରୀ ଓ ବ୍ୟବସାୟିକ ସହଯୋଗୀଙ୍କ ଦ୍ୱାରା ନିର୍ଦ୍ଧାରିତ ସୁରକ୍ଷା ପ୍ରକ୍ରିୟାର ପାଳନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ବିଦ୍ୟୁତ୍ ବିତରଣ କାର୍ଯ୍ୟରେ ଦୁର୍ଘଟଣା ଏଡ଼ାଇବା ପାଇଁ କାର୍ଯ୍ୟାରମ୍ଭ ପୂର୍ବରୁ ବିପଦ ଚିହ୍ନଟ, ମାନକ କାର୍ଯ୍ୟପଦ୍ଧତିର ଅନୁପାଳନ, ବ୍ୟକ୍ତିଗତ ସୁରକ୍ଷା ଉପକରଣର ବ୍ୟବହାର, ନିୟମିତ ପ୍ରଶିକ୍ଷଣ ଓ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଉପରେ ଟିପିଏନ୍ଓଡିଏଲ୍ ଗୁରୁତ୍ୱ ଦେଉଛି। ଏହି ପଦକ୍ଷେପଗୁଡ଼ିକ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ବିଦ୍ୟୁତ୍ ସେବାର ନିରନ୍ତରତା ବଜାୟ ରଖିବାରେ ସହାୟକ ହେଉଛି।
ଏହି ସଫଳତା ସମ୍ପର୍କରେ ଟିପିଏନ୍ଓଡିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଷ୍ୟନ୍ତ କୁମାର ତ୍ୟାଗୀ କହିଛନ୍ତି, “ସୁରକ୍ଷା ଆମର ସାମୂହିକ ଦାୟିତ୍ୱ। ପ୍ରତ୍ୟେକ କାର୍ଯ୍ୟ ଓ ନିଷ୍ପତ୍ତିରେ ସୁରକ୍ଷାକୁ ପ୍ରାଥମିକତା ଦେବା ଆବଶ୍ୟକ। କାର୍ଯ୍ୟ ଆରମ୍ଭ ପୂର୍ବରୁ ବିପଦ ଚିହ୍ନଟ କରିବା, ନିର୍ଦ୍ଧାରିତ ସୁରକ୍ଷା ନିୟମ ପାଳନ କରିବା ଏବଂ ଅସୁରକ୍ଷିତ ପରିସ୍ଥିତି ସମ୍ପର୍କରେ ତୁରନ୍ତ ଜଣାଇବା ଉପରେ ଆମେ ଗୁରୁତ୍ୱ ଦେଉଛୁ। ଏହି ସ୍ୱୀକୃତି ସୁରକ୍ଷିତ କାର୍ଯ୍ୟପଦ୍ଧତିର ନିରନ୍ତର ଉନ୍ନତି ଏବଂ କର୍ମଚାରୀ ଓ ଜନସାଧାରଣଙ୍କ ସୁରକ୍ଷା ପ୍ରତି ଆମର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି।”
କର୍ମଚାରୀଙ୍କ ସୁରକ୍ଷା ସହ ସାଧାରଣ ଲୋକଙ୍କୁ ବିଦ୍ୟୁତ୍ଜନିତ ବିପଦ ସମ୍ପର୍କରେ ସଚେତନ କରିବା ପାଇଁ ମଧ୍ୟ କମ୍ପାନି ପକ୍ଷରୁ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଗୋଷ୍ଠୀସ୍ତରୀୟ କାର୍ଯ୍ୟକ୍ରମ, ଉପଭୋକ୍ତାଙ୍କ ସହ ଯୋଗାଯୋଗ ଏବଂ ଋତୁକାଳୀନ ସୁରକ୍ଷା ଅଭିଯାନ ମାଧ୍ୟମରେ ଦୈନନ୍ଦିନ ବିଦ୍ୟୁତ୍ ବ୍ୟବହାର, ପର୍ବପର୍ବାଣି ଓ ପ୍ରତିକୂଳ ପାଣିପାଗ ସମୟରେ ଆବଶ୍ୟକ ସତର୍କତା ବିଷୟରେ ଲୋକଙ୍କୁ ଅବଗତ କରାଯାଉଛି।
ବିଦ୍ୟୁତ୍ଜନିତ ବିପଦ କିମ୍ବା ଅସୁରକ୍ଷିତ ପରିସ୍ଥିତି ଦେଖିଲେ ଦୁର୍ଘଟଣା ଏଡ଼ାଇବା ଲାଗି ଉପଭୋକ୍ତାମାନେ ଟିପିଏନ୍ଓଡିଏଲ୍ର ଗ୍ରାହକ ସେବା ନମ୍ବର ୧୮୦୦ ୩୪୫୬ ୭୧୮ କିମ୍ବା ୧୯୧୨ରେ ତୁରନ୍ତ ଜଣାଇବାକୁ କମ୍ପାନି ପକ୍ଷରୁ ଅନୁରୋଧ କରାଯାଇଛି।





