ବଡ଼ପୋଡ଼ାଗୁଡ଼ା ପଞ୍ଚାୟତକୁ ମଦମୁକ୍ତ କରିବା ଦାବୀରେ ଅବକାରୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତ କୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ନାରୀ ଶକ୍ତି ଏକଜୁଟ ହୋଇଛନ୍ତି। ଏବଂ ମା’ ଲଙ୍କେଶ୍ଵରୀ ମହିଳା ସଂଘ ପକ୍ଷରୁ ଗତ ସପ୍ତାହେ ହେବ ପଞ୍ଚାୟତର ବିଭିନ୍ନ ଗ୍ରାମରେ ମଦ ବିରୋଧୀ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହି କ୍ରମରେ ଆଜି ମହିଳା ସଂଘର ସଭାନେତ୍ରୀ ପ୍ରଭାତୀ ଦାସଙ୍କ ନେତୃତ୍ୱରେ ଶତାଧିକ ମହିଳା ଏକଜୁଟ୍ ହୋଇ କୋକସରା ଅବକାରୀ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଅବକାରୀ ଓଆଇସି ଗୁପ୍ତେଶ୍ୱର ପୁଟେଲଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏବଂ ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଚାଲିଥିବା ବେଆଇନ ଦେଶୀ ଓ ବିଦେଶୀ ମଦ କାରବାର କୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଦାବୀ କରିଥିଲେ।ଅଭିଯୋଗ ଅନୁଯାୟୀ, ବର୍ତ୍ତମାନ ପଞ୍ଚାୟତର ପ୍ରାୟ ପ୍ରତ୍ୟେକ ଗ୍ରାମରେ ଦେଶୀ, ବିଦେଶୀ ଏବଂ ବେଆଇନ ହାତରନ୍ଧା ମଦ ଅବାଧରେ ବିକ୍ରି ଚାଲିଥିବା ଯୋଗୁଁ ଅଞ୍ଚଳର ଶାନ୍ତି ପରିବେଶ ନଷ୍ଟ ହେଉଛି। ମଦ୍ୟପାନ ଯୋଗୁଁ କିଶୋର ଓ ଯୁବ ପିଢ଼ିଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ ହେଉଛନ୍ତି। ପରିବାରର ମୁଖିଆ ବା ପୁରୁଷମାନେ ମଦ୍ୟପାନ କରିବା କାରଣରୁ ପ୍ରତିଦିନ ଘରେ ଅଶାନ୍ତି, ପରିବାର କଳହ ଓ ମାରପିଟ୍ ଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ସରପଂଚ ଜନେକ ନାଏକ, ଯମୁନା ମାଝୀ, ଲତା ରାଉତ, ଲକ୍ଷ୍ମୀ ବେମାଲ, ଡାଲିମ୍ବ ମାଝୀ, କେତକୀ ପୁଝାରୀ, ସୁଜ୍ଞାନୀ ଦାସ, ଦୁଃଶୀଳ ନାଏକ ସମେତ ଶତାଧିକ ମହିଳା ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.