ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଅଞ୍ଚଳ ବାସୀଙ୍କ ଦୀର୍ଘ ଦିନର ଦାବୀ ଶେଷରେ ପୂରଣ ହୋଇଛି। ଜାତୀୟ ରାଜପଥ ୨୬ କୋକସରା ବ୍ଲକ ଚିଲିଗୁଡାଠାରୁ ଫୁଫଗାଁ କୁ ସଂଯୋଗ କରୁଥିବା ରାସ୍ତା ପାଇଁ ସୋମବାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀଙ୍କ କର କମଳରେ ଆନୁଷ୍ଠାନିକ ଭାବେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି। ଏହି ଅବସରରେ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଅଧିକାରୀ ସୋଭାଗ୍ୟ ମହାପାତ୍ର, ଚିଲିଗୁଡା ଗ୍ରାମର ଦେବାନନ୍ଦ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ। ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ହେବାପରେ ଅଞ୍ଚଳବାସୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ସମେତ କଳାହାଣ୍ଡି ସାଂସଦ, ସ୍ଥାନୀୟ ବିଧାୟକ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ରାସ୍ତା ନିର୍ମାଣ ହେଲେ କୋକସରା ବ୍ଲକର ୩ ଗୋଟି ପଞ୍ଚାୟତ ସମେତ କଲମପୁର, ଜୟପାଟଣା ବ୍ଲକର ହଜାର ହଜାର ଲୋକେ ଉପକୃତ ହେବେ ବୋଲି ଆଶା କରାଯାଉଛି। କାର୍ଯ୍ୟକ୍ରମକୁ ଜିଲ୍ଲା ଏସଟି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର ପରିଚାଳନା କରିଥିବାବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ସାହୁ ଓ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ।





