ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ଓ ନ୍ୟାୟସଙ୍ଗତ ସମାଧାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ଲାଞ୍ଜିଗଡ଼ ବ୍ଲକ୍ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଶ୍ରୀ ପାୱାର ସଚିନ ପ୍ରକାଶ, ଉପଜିଲ୍ଲାପାଳ ଅଶ୍ନି ଏ ଏଲ, ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀ, ଉପଖଣ୍ଡ ପୋଲିସ ଅଧିକାରୀ ସନ୍ଦୀପ କୁମାର ମାଝୀଙ୍କ ସମେତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ।
ସେହିପରି ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ମଙ୍ଗଳ ଅଧିକାରୀ ଶ୍ୟାମ ସୁନ୍ଦର ନାୟକ, ବ୍ଲକ ଯୋଗାଣ ଅଧିକାରୀ ଦିଲୀପ କୁମାର ନାୟକ, ବ୍ଲକ ଶିକ୍ଷାଧିକାରୀ ଋଷିଆ ମେହେର, ବିଶ୍ୱନାଥପୁର ବନ ବିଭାଗ ଏସିଏଫ ନରୋତ୍ତମ ମାଝୀ, ବ୍ଲକ ସେକ୍ସନ ଅଫିସର ସୁନିଲ କୁମାର କାନୁନଗୋ, ବରିଷ୍ଠ କିରାଣୀ ଜଗଜୀବନ ମାଝୀ, ଗ୍ରାମ୍ୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ଦଶମତ ମାଝୀ, ଏପିଓ ସଞ୍ଜିତ ପରିଡ଼ାଙ୍କ ସମେତ ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ବନ, ପୂର୍ତ୍ତ, ଜଳସମ୍ପଦ, ଶିଶୁ ବିକାଶ, ବିଦ୍ୟୁତ୍ ଆଦି ବିଭିନ୍ନ ବିଭାଗର ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ଏହି ଶିବିରରେ ଲାଞ୍ଜିଗଡ଼ ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତ ଅଞ୍ଚଳର ଜନସାଧାରଣ ଯୋଗ ଦେଇ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗମନାଗମନ, ଭତ୍ତା, ଆବାସ ଯୋଜନା, ବିଦ୍ୟୁତ୍ ଓ ଟେଲି ସେବା ସମ୍ପର୍କିତ ବିଭିନ୍ନ ଅଭିଯୋଗ ଉପସ୍ଥାପନ କରିଥିଲେ।ଏହି ଶିବିରରେ ମୋଟ ୪୨ଟି ଅଭିଯୋଗ ଗ୍ରହଣ କରାଯାଇଥିଲା, ଯେଉଁଥିରେ ୨୩ଟି ବ୍ୟକ୍ତିଗତ ଏବଂ ୧୯ଟି ସାମୂହିକ ଅଭିଯୋଗ ରହିଥିଲା। ସେଥିମଧ୍ୟରୁ ୩ଟି ଅଭିଯୋଗର ସମାଧାନ ତତ୍କାଳ ଘଟଣାସ୍ଥଳରେ କରାଯାଇଥିବା ବେଳେ ଅବଶିଷ୍ଟ ଅଭିଯୋଗଗୁଡ଼ିକର ତ୍ୱରିତ ତଦନ୍ତ ଓ ନିୟମାନୁଯାୟୀ ସମାଧାନ ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ପଠାଯାଇଛି। କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଦାୟିତ୍ୱ ତୁଲାଇଥିଲେ। ତେବେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମାଧାନ ନ ହେଉଥିବାରୁ କିଛି ଅଭିଯୋଗକାରୀ ଅସନ୍ତୋଷ ପ୍ରକାଶ କରିଥିଲେ।





