ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାର ବିଭିନ୍ନ ସମସ୍ୟାକୁ ନେଇ ବିଜେଡ଼ି ପକ୍ଷରୁ ଏସଡିଏମଓ ସଦାନନ୍ଦ ପାଣିଗ୍ରାହୀଙ୍କୁ ଏକ ଦାବିପତ୍ର ପ୍ରଦାନ। ଧର୍ମଗଡ ବ୍ଲକ ବିଜୁ ଜନତା ଦଳ ସଭାପତି ଡାକେ ଲହଜଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଏସଡିଏମଓଙ୍କୁ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରିଛନ୍ତି।ଦାବିପତ୍ରରେ ଚିକିତ୍ସାଳୟରେ ଦେଖାଦେଇଥିବା ନିମ୍ନଲିଖିତ ସମସ୍ୟାଗୁଡ଼ିକ ଉପରେ ଗୁରୁତ୍ୱାରୋପ କରାଯାଇଛି। ୧. ଡାକ୍ତରମାନେ ରୋଗୀଙ୍କୁ ପରୀକ୍ଷା କରି ଔଷଧ ଲେଖୁଥିଲେ ମଧ୍ୟ ଚିକିତ୍ସାଳୟରେ ଆବଶ୍ୟକ ଔଷଧ ମିଳୁନଥିବାରୁ ରୋଗୀମାନେ ହଇରାଣ ହେଉଛନ୍ତି। ୨. ମଞ୍ଜୁରୀପ୍ରାପ୍ତ ୪୯ ଜଣ ଡାକ୍ତରଙ୍କ ସ୍ଥାନରେ ମାତ୍ର ୧୩ ଜଣ ଡାକ୍ତରଙ୍କୁ ନେଇ ଚିକିତ୍ସାଳୟ ଚାଲୁଥିବାରୁ ରୋଗୀସେବା ବାଧାପ୍ରାପ୍ତ ହେଉଛି। ୩. ଡାକ୍ତର ଅଭାବ ଯୋଗୁଁ ରୋଗୀମାନଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ରେଫର୍ କରାଯାଉଥିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୪. ଶବବାହକ ଗାଡ଼ିର ବ୍ୟବସ୍ଥା ନଥିବାରୁ ମୃତକଙ୍କ ପରିବାରବର୍ଗ ଅଧିକ ଖର୍ଚ୍ଚାନ୍ତ ହେବା ସହ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ୫. ଚିକିତ୍ସାଳୟରେ ରୋଗୀମାନଙ୍କୁ ନିମ୍ନମାନର ଖାଦ୍ୟ ପରିବେଷଣ କରାଯାଉଥିବା ଅଭିଯୋଗ ମଧ୍ୟ ଉଠାଯାଇଛି। ଏହି ସମସ୍ତ ସମସ୍ୟାର ତୁରନ୍ତ ସମାଧାନ କରି ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଉନ୍ନତ ଓ ଗୁଣାତ୍ମକ ରୋଗୀସେବା ସୁନିଶ୍ଚିତ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି। ଯଦି ଶୀଘ୍ର ସମସ୍ୟାଗୁଡ଼ିକର ସମାଧାନ କରାନଯାଏ, ତେବେ ଧର୍ମଗଡ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଆଗାମୀ ଦିନରେ ଜନସ୍ୱାର୍ଥ ପାଇଁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ମହିଳା ସଭାନେତ୍ରୀ ମମତା ରାଣୀ ଗୋପାଳ, ଜିଲ୍ଲା ସାଧାରଣ ସମ୍ପାଦକ ଦିବ୍ୟ ସିଂ ମହାନ୍ତି, ବ୍ଲକ ଉପସଭାପତି ରତନ ନାଏକ, ଧର୍ମଗଡ ନଗର କାର୍ଯ୍ୟକାରୀ ସଭାପତି ମୁନିରାମ ମାଝୀ, ଉପସଭାପତି ରାଜେନ୍ଦ୍ର ଭୋଇ, ସମ୍ପାଦକ ପ୍ରେମଲାଲ ସାଗର, ବରିଷ୍ଠ ନେତା ଯୋଗେନ୍ଦ୍ର ସାହୁ, ସନ୍ତୋଷ ପାଢ଼ୀ, ବିପିନ ବିହାରୀ, ଛାତ୍ରନେତା ସୁନୀଲ ଭଏସାଲଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।





