ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଭାରତର ଜାତୀୟ ଏକତା, ଅଖଣ୍ଡତା ଓ ଶିକ୍ଷା କ୍ଷେତ୍ରର ବିକାଶରେ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଅବଦାନ ଚିରସ୍ମରଣୀୟ। ତାଙ୍କର ରାଷ୍ଟ୍ରବାଦୀ ଚିନ୍ତାଧାରା, ଦୂରଦର୍ଶୀ ନେତୃତ୍ୱ ଓ ଦେଶ ପ୍ରତି ଅତୁଟ ନିଷ୍ଠା ଆଜି ମଧ୍ୟ ଦେଶବାସୀଙ୍କୁ ପ୍ରେରଣା ଯୋଗାଉଛି ବୋଲି ବାଲେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।
ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସହଯୋଗରେ ଭୁବନେଶ୍ୱରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସୁଶ୍ରୀ’ ପକ୍ଷରୁ ରବିବାର ବାଲେଶ୍ୱର ଜିଲ୍ଲାର ଶ୍ରୀକୋଣାସ୍ଥିତ ସତ୍ୟସାଇ ଇଞ୍ଜିନିୟରିଂ କଲେଜ ପରିସରରେ ଡଃ ମୁଖାର୍ଜୀଙ୍କ ୧୨୫ତମ ଜୟନ୍ତୀ ଉପଲକ୍ଷେ ଏହି ଆଲୋଚନାଚକ୍ର ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ଡଃ ମୁଖାର୍ଜୀଙ୍କ ଜୀବନୀ ଓ ରାଷ୍ଟ୍ର ପ୍ରତି ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ। ଦେଶର ଅଖଣ୍ଡତା ଓ ଜାତୀୟ ସ୍ୱାଭିମାନ ରକ୍ଷା ପାଇଁ ତାଙ୍କର ସଂଘର୍ଷ ଭାରତୀୟ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ବୋଲି ସେ କହିଥିଲେ। ଯୁବପିଢ଼ି ତାଙ୍କ ଜୀବନ ଓ ଆଦର୍ଶରୁ ଦେଶପ୍ରେମ, ତ୍ୟାଗ ଓ ସମର୍ପଣର ଶିକ୍ଷା ଗ୍ରହଣ କରିବା ଉଚିତ ବୋଲି ସେ ଆହ୍ୱାନ ଦେଇଥିଲେ।
ବରିଷ୍ଠ ସାମ୍ବାଦିକ ଗଙ୍ଗାଧର ରାଉତ ଡଃ ମୁଖାର୍ଜୀଙ୍କ ରାଜନୈତିକ ଜୀବନ, ବୌଦ୍ଧିକ ଦକ୍ଷତା ଓ ଜାତୀୟ ଏକତା ପ୍ରତି ତାଙ୍କର ଅବିଚଳ ପ୍ରତିବଦ୍ଧତା ସମ୍ପର୍କରେ ଆଲୋଚନା କରିଥିଲେ। ଏଭଳି ମହାନ ବ୍ୟକ୍ତିତ୍ୱଙ୍କ ଜୀବନୀ ଓ ଚିନ୍ତାଧାରାକୁ ନୂତନ ପିଢ଼ିଙ୍କ ନିକଟରେ ପହଞ୍ଚାଇବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ବରିଷ୍ଠ ବିଜେପି ନେତା ତଥା ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା ମୁଖାର୍ଜୀଙ୍କ ରାଷ୍ଟ୍ରବାଦୀ ଦର୍ଶନ ଓ ଜନସେବା ପ୍ରତି ତାଙ୍କର ନିଷ୍ଠାକୁ ସ୍ମରଣ କରିଥିଲେ। ଦେଶର ଏକତା, ସାର୍ବଭୌମତ୍ୱ ଓ ସାଂସ୍କୃତିକ ଚେତନାକୁ ସୁଦୃଢ଼ କରିବାରେ ତାଙ୍କ ବିଚାରଧାରାର ଆଜି ମଧ୍ୟ ଗୁରୁତ୍ୱ ରହିଛି ବୋଲି ସେ କହିଥିଲେ।
ବରିଷ୍ଠ ଅଧିବକ୍ତା ହରେକୃଷ୍ଣ ଦାଶ ଦେଶର ଅଖଣ୍ଡତା, ଏକତା ଓ ଶାନ୍ତି ପ୍ରତିଷ୍ଠା ଦିଗରେ ଡଃ ମୁଖାର୍ଜୀଙ୍କ ଅବଦାନ ଉପରେ ତାତ୍ତ୍ୱିକ ଆଲୋଚନା କରିଥିଲେ।
ଏହି ଅବସରରେ ବରିଷ୍ଠ ବିଜେପି ନେତା ଗଣେଶ ପ୍ରସାଦ ମହାପାତ୍ର ଓ ଚନ୍ଦ୍ରଶେଖର ନନ୍ଦଙ୍କ ସମେତ ସାମ୍ବାଦିକ କିଶୋର ଦାସ ଓ ଗଙ୍ଗାଧର ରାଉତ ମୁଖାର୍ଜୀଙ୍କ ରାଜନୈତିକ ନୀତି, ଆଦର୍ଶ ଓ ଦେଶ ଗଠନରେ ତାଙ୍କ ଭୂମିକା ସମ୍ପର୍କରେ ମତ ରଖିଥିଲେ। ତାଙ୍କ ଜୀବନୀ ଓ ଆଦର୍ଶକୁ ଆଗାମୀ ପିଢ଼ି ପାଇଁ ଅଧ୍ୟୟନର ବିଷୟ କରିବା ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ।
ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁ ଡଃ ମୁଖାର୍ଜୀଙ୍କ ବହୁମୁଖୀ ବ୍ୟକ୍ତିତ୍ୱ, ଶିକ୍ଷାବିତ୍ ଭାବେ ତାଙ୍କର ଅବଦାନ ଏବଂ ସ୍ୱାଧୀନ ଭାରତର ରାଜନୈତିକ ଓ ସାମ୍ବିଧାନିକ ଇତିହାସରେ ତାଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ମତଭେଦ ସତ୍ତ୍ୱେ ଦେଶର ସ୍ୱାର୍ଥକୁ ସର୍ବୋଚ୍ଚ ସ୍ଥାନ ଦେବା ଏବଂ ନିଜ ବିଚାରଧାରା ପାଇଁ ଦୃଢ଼ତାର ସହ ଠିଆ ହେବା ତାଙ୍କ ବ୍ୟକ୍ତିତ୍ୱର ଅନ୍ୟତମ ବିଶେଷତ୍ୱ ଥିଲା ବୋଲି ସେ ମତ ଦେଇଥିଲେ। ଐତିହାସିକ ବ୍ୟକ୍ତିତ୍ୱମାନଙ୍କ ଅବଦାନକୁ ନିରପେକ୍ଷ ଐତିହାସିକ ଦୃଷ୍ଟିକୋଣରୁ ଅଧ୍ୟୟନ କରିବା ସହ ସେମାନଙ୍କ ଚିନ୍ତାଧାରାର ସମସାମୟିକ ପ୍ରାସଙ୍ଗିକତା ବୁଝିବା ଆବଶ୍ୟକ ବୋଲି ସେ କହିଥିଲେ।
ବାଲେଶ୍ୱରରେ ଆଲୋଚନାଚକ୍ର ପରେ ଭୁବନେଶ୍ୱରଠାରେ ଏକ ମନୋରମ ସାଂସ୍କୃତିକ ସନ୍ଧ୍ୟା ଆୟୋଜିତ ହୋଇଥିଲା। ଏଥିରେ ଭୁବନେଶ୍ୱରର ନୃତ୍ୟଧାମ, ନୃତ୍ୟାଙ୍କିତା ଓ ନୃତ୍ୟାୟନ ପକ୍ଷରୁ ବିଭିନ୍ନ ସାଂସ୍କୃତିକ ପରିବେଷଣ କରାଯାଇଥିଲା। ରାଜେଶ ସାମନ୍ତରାୟ, ‘ସୁଶ୍ରୀ’ ଅନୁଷ୍ଠାନର ସମ୍ପାଦିକା ଜୟଶ୍ରୀ ପଟ୍ଟନାୟକ ଓ ସଂଯୋଜିକା ଶୁଭଶ୍ରୀ ପଟ୍ଟନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।





