ପିପୁଲ୍ସ ବିଡିଓ ଜିତେନ୍ଦ୍ର ମିଶ୍ରଙ୍କ ବଦଳି ବାତିଲ ଦାବି

ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଲାଞ୍ଜିଗଡ଼ ଅଞ୍ଚଳବାସୀ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ବଦଳିକୁ ନେଇ ବ୍ଲକ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ‘ପିପୁଲ୍ସ ବିଡିଓ’ ଭାବେ ଲୋକପ୍ରିୟ ହୋଇଥିବା ଶ୍ରୀଯୁକ୍ତ ମିଶ୍ରଙ୍କ ବଦଳି ଖବର ପ୍ରଚାର ହେବାକ୍ଷଣି ବ୍ଲକର ୨୬ଟି ଯାକ ପଞ୍ଚାୟତ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ତାଙ୍କ କାର୍ଯ୍ୟଶୈଳୀରେ ପ୍ରଭାବିତ ଅନେକ ସାଧାରଣ ଲୋକେ ତାଙ୍କ ବଦଳି ଆଦେଶ ପ୍ରତ୍ୟାହାର ପାଇଁ ଦାବି କରୁଥିବାବେଳେ ଗୁରୁବାର ବିଡିଓଙ୍କ ବଦଳି ବାତିଲ ଦାବିରେ ବ୍ଲକର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟକୁ ଯାଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାସହିତ ତାଙ୍କୁ ଅନ୍ତତଃ ଆଉ ଏକ ବର୍ଷ ଲାଞ୍ଜିଗଡ ବ୍ଲକରେ କାର୍ଯ୍ୟ କରିବାକୁ ସୁଯୋଗ ଦେବା ଓ ଏଥିପ୍ରତି ପୁନଃବିଚାର କରିବାକୁ ଲାଞ୍ଜିଗଡ ବ୍ଲକ ଅଂଚଳବାସୀଙ୍କ ତରଫରୁ ପ୍ରତିନିଧି ଦଳରେ ସାମିଲ ଥିବା ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀ ଓ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା କମର୍ଦ୍ଧା ସମିତି ସଦସ୍ୟ ଜଗଦୀଶ ବେନିଆଁଙ୍କ ସମେତ ଲାଞ୍ଜିଗଡ ପ୍ରେସ୍ କ୍ଲବର ସଭାପତି କୈଳାସ ସାହୁ, ସାଧାରଣ ସଂପାଦକ ସୁଶୀଲ କୁମାର ବାଗ, ସଦସ୍ୟ ଗୋପାଳଦାସ ମହାନନ୍ଦ, ସମାଜସେବୀ ଜୟରାମ ତାଣ୍ଡି ପ୍ରମୁଖ ଦାବି କରିଛନ୍ତି ।


ବ୍ଲକ ଅଂଚଳରେ ଗତ ବର୍ଷକ ମଧ୍ୟରେ କୋଭିଡ ପରିଚାଳନା ସମେତ ବ୍ଲକର ଦୁର୍ଗମ ଅଂଚଳରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ସାଧିତ ହୋଇଛି । ତାଙ୍କ ନେତୃତ୍ୱରେ ବ୍ଲକ ଅଂଚଳରେ ଏକ ବୈପ୍ଲବିକ ପରିବର୍ତନର ଆଭାସ ମିଳିଛି । ଗତବର୍ଷ କୋଭିଡର ଭୟାବହତା ସମୟରେ ‘ସ୍ୱଚ୍ଛ ଗାଁ, ସୁରକ୍ଷିତ ଗାଁ’ ଓ ‘ସାମୁହିକ ହାତଧୂଆ ଅଭିଯାନ’ ଆରମ୍ଭ ହେବା ଦ୍ୱାରା ବ୍ଲକ ଅଂଚଳରେ ଲୋକେ ମହାମାରୀ କରୋନାରୁ ରକ୍ଷା ପାଇବା ସଂପର୍କରେ ସଚେତନ ହୋଇଥିଲେ । ଜଣେ ଆଗଧାଡିର କରୋନା ଯୋଦ୍ଧା ଭାବେ ସେ ବ୍ଲକ ଅଂଚଳବାସୀଙ୍କ ପାଇଁ ନିରବଚ୍ଛିନ୍ନ କାମ କରି କରୋନା ସଂକ୍ରମିତ ହୋଇଥିଲେ ହେଁ ଲୋକଙ୍କ ପାଇଁ କାମ କରିବାରେ ଆଦୌ ହେଳା କରିନଥିଲେ । ସେହିପରି ଗ୍ରାମପଂଚାୟତ ସ୍ତରରେ ‘ପ୍ରତି ମଙ୍ଗଳବାର ସାପ୍ତାହିକ ଅଭିଯୋଗ ଶୁଣାଣି’ ଦ୍ୱାରା ବ୍ଲକର ହଜାର ହଜାର ଲୋକ ଉପକୃତ ହୋଇପାରିଛନ୍ତି ।


ବ୍ଲକର ଅତି ଦୁର୍ଗମ ଗାଁଗୁଡିକୁ ଚିହ୍ନଟ କରି ପ୍ରାଥମିକତା ଦେବା ସହିତ ଆରମ୍ଭ ହୋଇଛି ‘ଗାଁକୁ ଚାଲ ଅଭିଯାନ’ । ପାହାଡ ଉପର ବାରଗୁଡାର ଲୋକଙ୍କୁ ତଳକୁ ଓହ୍ଲାଇ ଆଣି ଦିଆଲବାହାଲିଠାରେ ‘ଆବାସ ନଗର’ର ପରିକଳ୍ପନା କରାଯାଇଛି । ଲାଞ୍ଜିଗଡ ବ୍ଲକରେ ଏସବୁ ନିଆରା କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତି ସହିତ ପ୍ରଶାସନକୁ ଲୋକାଭିମୁଖୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ବିଡିଓ ଶ୍ରୀଯୁକ୍ତ ମିଶ୍ର । ତାଙ୍କ ନେତୃତ୍ୱରେ ବ୍ଲକ ଅଂଚଳରେ ପରିବର୍ତନର ଏକ ନୂତନ ଧାରା ଆରମ୍ଭ ହେବାକୁ ଯାଉଥିବାବେଳେ ସରକାର ତାଙ୍କ ବଦଳି ନିର୍ଦ୍ଦେଶ ଜାରି କରିଛନ୍ତି ।

ପ୍ରଶାସନିକ ଅଧିକାରୀ ଭାବେ ତାଙ୍କ ବଦଳି ଏକ ସ୍ୱାଭାବିକ ପ୍ରକ୍ରିୟା ହୋଇଥିଲେ ହେଁ ବ୍ଲକ ଅଂଚଳରେ ତାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଅନେକ କାର୍ଯ୍ୟକ୍ରମ ଅଧୁରା ରହିଯାଇଛି । ରାଜ୍ୟ ସରକାର ପ୍ରଶାସନିକ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବାକୁ ମୋ ସରକାର ଓ ୫-ଟି ଲାଗୁ କରିଥିବାବେଳେ ବିଡିଓ ଶ୍ରୀ ମିଶ୍ରଙ୍କ ଦ୍ୱାରା ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବହୁମାତ୍ରାରେ ସାଧିତ ହେଉଥିଲା । ଏସବୁ ଦାବି ନେଇ ଲାଞ୍ଜିଗଡ ବ୍ଲକର ବିକାଶ ପ୍ରକ୍ରିୟାକୁ ଅବ୍ୟାହତ ରଖିବାକୁ ବିଡିଓ ଶ୍ରୀ ମିଶ୍ରଙ୍କ ବଦଳିକୁ ବାତିଲ କରିବା ପାଇଁ ଦାବି ହୋଇଛି ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.