କଳାହାଣ୍ଡି: ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟରେ ଇଂରାଜୀ ବିଭାଗ ଓ ଆଇ.କ୍ଯୁ.ଏ.ସି. ର ମିଳିତ ଆନୁକୂଲ୍ୟରେ ଇଂରାଜୀ ବିଭାଗ ମୁଖ୍ୟା ଶତରୂପା ମିଶ୍ର ଓ ଆଇ.କ୍ଯୁ.ଏ.ସି. ସମନ୍ୱୟକାରୀ ଡ. ରଜନୀକାନ୍ତ ଜେନାଙ୍କ ମିଳିତ ଉଦ୍ୟମରେ ଏକ ଦିବସୀୟ ଜାତୀୟ ସ୍ତରୀୟ ଆଭାସୀ ସମ୍ପାନ ଆୟୋଜିତ ହୋଇଯାଇଛି। କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ସମ୍ପାନର ବିଷୟବସ୍ତୁ “ଇଂରାଜୀ ଯୋଗାଯୋଗ ଭାଷା ଶିକ୍ଷା “(Learning to Communicate in English) ଉପରେ ଗଭୀର ଆଲୋଚନା କରିଥିଲେ ବିଶେଷଜ୍ଞ ପ୍ରଫେସର ସୁନିତା ମିଶ୍ର, ସେଣ୍ଟର ଫର ଇଂଲିଶ ଲାଙ୍ଗୁଏଜ ଷ୍ଟଡିଜ, ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ପ୍ରଫେସର ମିଶ୍ର ଯୋଗାଯୋଗ ବା ଇଂରାଜୀ କଥାବାର୍ତ୍ତା ସମ୍ବନ୍ଧରେ ଭାଷାର ଅନ୍ତର୍ଗତ ଓ ବହିର୍ଗତ ଦିଗ ସମ୍ପର୍କରେ ଆଲୋକପାତ କରିବା ସହିତ ଇଂରାଜୀ ଭାଷା ବ୍ୟବହାରକାରୀ ନିଜର ଦକ୍ଷତା ବୃଦ୍ଧିପାଇଁ ଶୁଣିବା, କହିବା,ପଢିବା ଏବଂ ଲେଖିବାର ନିର୍ଭିକ ଅଭ୍ୟାସ ଉପରେ ଗୁରୁତ୍ୱ ଦେଇଥିଲେ। ଆଲୋଚନାଚକ୍ରର ସମ୍ମାନସ୍ପଦ ଅତିଥି ପୂର୍ବତନ ଡିନ, ସ୍କୁଲ ଅଫ ଇଂଲିଶ ଲାଙ୍ଗୁଏଜ ଏଜୁକେସନ, ଏଫ୍ଲୁ, ହାଇଦ୍ରାବାଦ ପ୍ରଫେସର ଜି. ରାଜଗୋପାଳ ତାଙ୍କର ନିଜସ୍ୱ ଶୈଳୀରେ ପ୍ରଶ୍ନ ଛଳରେ କହିଥିଲେ ଯେ, ଜଣେ ନିଜର ପାରିପାର୍ଶ୍ଵିକ, ପ୍ରକୃତିଗତ କାରଣରୁ କିମ୍ବା ଭାଷାଗତ ଦୁର୍ବଳତାରୁ ଇଂରାଜୀରେ ଆଳାପ ବା ଭାବପ୍ରକାଶ କରିପାରେ ନାହିଁ। ଇଂରାଜୀ ବିଭାଗ ମୁଖ୍ୟା ଶତରୂପା ମିଶ୍ର ପ୍ରାରମ୍ଭିକ ସୂଚନା ଦେବା ସଂଗେସଂଗେ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟ ନିଜର ସଭାପତିତ୍ୱ ଅଭିଭାଷଣ ରଖିଥିବା ବେଳେ ଆଇ.କ୍ଯୁ.ଏ.ସି. ସମନ୍ୱୟକାରୀ ଡ. ରଜନୀକାନ୍ତ ଜେନା ତାଙ୍କର ନିଜସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟା ନଳିନୀ ବାଗ ଆରମ୍ଭରୁ ଶେଷପର୍ଯ୍ୟନ୍ତ ଆଲୋଚନାଚକ୍ରକୁ ସଂଯୋଜନା କରିଥିବା ବେଳେ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଧୀରେଶ ଚନ୍ଦ୍ର ନନ୍ଦ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବୈଷୟିକ ପରିଚାଳନା ଦାୟିତ୍ୱରେ ଥିଲେ ବିଷ୍ଣୁପ୍ରସାଦ ଚୌଧୁରୀ, ଶୁଭ୍ରାଂଶୁ ଦାଶ ଓ ଆଦିତ ପାତ୍ର। ପାଖାପାଖି ଦୁଇଶହ ପଚାଶରୁ ଉର୍ଦ୍ଧ୍ୱ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରୁ ଛାତ୍ରଛାତ୍ରୀ, ଗବେଷକ, ଅଧ୍ୟାପକ, ଅଧ୍ୟାପିକା ଅଂଶଗ୍ରହଣ କରି ଜାତୀୟ ସ୍ତରୀୟ ଆଭାସୀ ସମ୍ପାନକୁ ସାଫଲ୍ୟମଣ୍ଡିତ କରିଥିଲେ।





