ବିରଞ୍ଚିପୁର ପଞ୍ଚାୟତରେ ବିଜେଡିର ଶକ୍ତି ବୃଦ୍ଧି; ବିଜେପି ଛାଡ଼ିଲେ ସରପଞ୍ଚ ଏବଂ ତାଙ୍କ ସମର୍ଥକ 

ଓଡ଼ିଆ ବାର୍ତ୍ତା/ ବୁଗୁଡ଼ା (ଡ.କୁମୁଦ ଚନ୍ଦ୍ର ବେହେରା): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବିରଞ୍ଚିପୁର ପଞ୍ଚାୟତରେ ଆୟୋଜିତ ପଞ୍ଚାୟତ ସ୍ତରୀୟ ମିଶ୍ରଣ ପର୍ବରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ପଞ୍ଚାୟତର ସରପଞ୍ଚ ଏବଂ ତାଙ୍କ ବହୁ ସମର୍ଥକ ଭାରତୀୟ ଜନତା ପାର୍ଟି (ବିଜେପି) ଛାଡ଼ି ବିଜୁ ଜନତା ଦଳ (ବିଜେଡି)ରେ ଯୋଗଦାନ କରିଛନ୍ତି। ଏହି ମିଶ୍ରଣ ପର୍ବରେ ପୋଲସରା ବିଜେଡିର ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁ ଏବଂ ବିଜେଡିର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ନବଯୋଗଦାନକାରୀଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ। ବିଜେପି ଛାଡି ବିଜେଡିରେ ଯୋଗଦେଇଥିବା ସରପଞ୍ଚ ମନ୍ଦାକିନୀ ସେଠୀ ଓ ତାଙ୍କ ସମର୍ଥକମାନେ ବିଜେଡିର ଆଦର୍ଶ ଏବଂ ଉନ୍ନୟନମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ଦଳରେ ସାମିଲ ହୋଇଥିବା କହିଥିଲେ। ବିଜେପି ଲୋକଙ୍କ ସରକାର ବୋଲି କହୁଥିବା ବେଳେ ପ୍ରକୃତରେ ଏହି ଦଳରେ ନାରୀ ମାନଙ୍କୁ ସଂମ୍ମାନ ମିଳୁନଥିବା ଏବଂ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ହେଉ ନ ଥିବାବେଳେ ଚାଷୀ ମାନେ ସାର କଳାବଜାରୀର ସମ୍ମୁଖୀନ ହେଉଛନ୍ତି ଏହାକୁ ନେଇ ଆଗାମୀ ଦିନରେ ବୁଗୁଡ଼ା ବ୍ଲକ ଏବଂ ତହସିଲ ଘେରାଉ ପାଇଁ ନିଷ୍ପତି ହୋଇଥିଲା। ଏହି ଯୋଗଦାନ ଫଳରେ ବିରଞ୍ଚିପୁର ପଞ୍ଚାୟତରେ ବିଜେଡିର ସଂଗଠନ ଅଧିକ ସୁଦୃଢ଼ ହେବ ବୋଲି ଦଳୀୟ ନେତାମାନେ ଆଶା ପ୍ରକାଶ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ବିକାଶ ଏବଂ ଜନସେବାକୁ ଆଗକୁ ନେବା ପାଇଁ ସମସ୍ତେ ମିଳିତ ଭାବେ କାମ କରିବେ ବୋଲି ମତ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.