ତାମିଲନାଡୁରେ ଦାଦନ ଶ୍ରମିକଙ୍କ ମୃତ୍ୟୁ; ଭିଟାମାଟିକୁ ଆସିପାରିଲାନି ଶବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କୌଣସି କାରଣରୁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକ ଟିଏ ଯଦି ସଶରୀରରେ ଗାଁ ଫେରିନପାରେ, ମୃତ୍ୟୁ ପରେ ଶବ ବି ଆସିନପାରେ ତେବେ ତା ଠାରୁ ବଳି ଦୁଃଖ କଣ ହୋଇପାରେ! ଏପରି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ। କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଅବୁଜବାହାଲ ଗ୍ରାମର ବେଣୁଧର ସାହୁଙ୍କ ପୁଅ ସୀମାଞ୍ଚଳ ସାହୁ (୩୦) ଆଜକୁ ପ୍ରାୟ ୬ମାସ ତଳେ ଦାଦନ ଖଟିବାକୁ ଯାଇଥିଲେ ତାମିଲନାଡୁର ତ୍ରିପୁର ଅଞ୍ଚଳକୁ। ଏହା ପୂର୍ବରୁ ମଧ୍ୟ ଅତୀତରେ ସେଠାରେ ତିନିବର୍ଷ ରହିଥିଲେ। ତେବେ  ହଠାତ ଝାଡାବାନ୍ତି ହେବାରୁ ସହଯୋଗୀ ମାନେ ସ୍ଥାନୀୟ ମେଡିକାଲରେ ଭର୍ତ୍ତୀ କରିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଅପରାହ୍ନ ୫ଟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ପରେ ପରିବାର ଲୋକେ ତାଙ୍କ ଶବକୁ ନିଜ ଗାଁକୁ ଆଣିବା ପାଇଁ ଚେଷ୍ଠା କରିଥିଲେ। ସ୍ୱଚ୍ଛାସେବୀ ରକ୍ତଦାତା ରବିନାରାୟଣ ସାହୁ ଏଦିଗରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଓ ସଞ୍ଜୟ ମହାରଣା ଗୋଲାମୁଣ୍ଡା ବିନ୍ଦୁ ଫାଉଣ୍ଡେସନ ପକ୍ଷରୁ ଉଦ୍ୟମ କରାଯାଇ ଥିଲା। ଏପରିକି ଫାଉଣ୍ଡେସନ ପକ୍ଷରୁ ଏୟାରଲିପ୍ଟ ପାଇଁ ଫ୍ଲାଇଟ ବୁକିଂ ମଧ୍ୟ ସରିଥିଲା। ହେଲେ ମେଡିକାଲରେ ସୀମାଞ୍ଚଳଙ୍କ ନାମ ରେଜିଷ୍ଟ୍ରସନରେ ଭୁଲ ରହିଥିଲା। ଯଦ୍ୱାରା ସେଠାରୁ ଶବ ଛଡାଗଲା ନାହିଁ। ନିଜେ ମେଡିକାଲ କର୍ମଚାରୀ ନାମ ଭୁଲ ଲେଖିଥିବା ବେଳେ ତାର ସିକାର ହେଲେ ମୃତକଙ୍କ ପରିବାର। ଶନିବାର ସକାଳେ ମଧ୍ୟ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ତୃଟି ଯୋଗୁଁ ଶବ ଛଡାଗଲା ନାହିଁ। ଫଳରେ ସେଠାରେ ଶବସତ୍କାର କରାଯାଇଥିବା ତାଙ୍କ ପରିବାର ସୂତ୍ରରୁ ଜଣାଯାଇଛି। ମୃତକ ସୀମାଞ୍ଚଳ ପ୍ରାୟ ଦୁଇବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କର ଦେଢବର୍ଷର ଝୀଅ ମଧ୍ୟ ଅଛି। ଏବେ ସ୍ତ୍ରୀ ରାଜେନ୍ଦ୍ରୀ ଓ କୁନି ଝୀଅ ସମାଇରା ବାହୁନି ବାହୁନି କାନ୍ଦୁଛନ୍ତି। ସ୍ୱାମୀର ମୁହଁ ଦେଖିନପାରିବାରୁ ସ୍ତ୍ରୀ ରାଜେନ୍ଦ୍ରୀ କୋହ ସମ୍ଭାଳି ପାରୁନାହାନ୍ତି। ମୃତକଙ୍କ ପରିବାରରେ ସୀମାଞ୍ଚଳ ଜଣେ ରୋଜଗାରିଆ ପୁଅ ହୋଇଥିବାରୁ ଅସହାୟ ସ୍ତ୍ରୀ, ଝୀଅ ର ପ୍ରତିପୋଷଣ ପାଇଁ ପ୍ରଶାସନ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.